ଧାନ ସଂଗ୍ରହ ପ୍ରକ୍ରିୟାରେ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୦-୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ୨୦୧୨ ଖରିଫ ଧାନ ସଂଗ୍ରହର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ଧାନ ସଂଗ୍ରହ ପାଇଁ ଅଧିକରୁ ଅଧିକ ଚାଷୀମାନଙ୍କୁ ପଞ୍ଜିକୃତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପଞ୍ଜୀକରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ସୂଚନାଯୋଗ୍ୟଯେ, ଖରିଫ ୨୦୧୬ରେ ଜାନୁଆରୀ ୯ ତାରିଖ ସୁଦ୍ଧା ୯.୭୬ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ, ଖରିଫ ୨୦୧୭ରେ ବର୍ତ୍ତମାନ ସୁଦ୍ଧା ୧୧.୦୫ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଆସନ୍ତା ବର୍ଷ ପଞ୍ଜୀକରଣ ସଂଖ୍ୟାରେ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଚାଷୀମାନଙ୍କ ସଂଗୃହୀତ ଧାନର ମୂଲ୍ୟ ତୁରନ୍ତୁ ପ୍ରଦାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ। ସମବାୟ ବ୍ୟାଙ୍କ କ୍ଷେତ୍ରରେ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ୨୪ ଘଣ୍ଟା ମଧ୍ୟରେ ଧାନର ମୂଲ୍ୟ ପ୍ରଦାନ କରିବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ବ୍ୟାଙ୍କ କ୍ଷେତ୍ରରେ ୭୨ ଘଣ୍ଟା ମଧ୍ୟରେ ସମସ୍ତ ଦେୟ ନିଶ୍ଚିତ ଭାବରେ ପ୍ରଦାନ କରିବାକୁ ସେ କହିଥିଲେ। ଧାନ ସଂଗ୍ରହ କାର୍ଯ୍ୟକ୍ରମ ସମୟରେ ଯେପରି ସମସ୍ତ ମଣ୍ଡି ଖୋଲା ରହିବ, ତାହା ସୁନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ମିଲରମାନେ ଧାନ ନେଇ ଠିକ୍ ସମୟରେ ଚାଉଳ ଦେବାରେ ଅବହେଳା କଲେ, ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ସମସ୍ତ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା କରି ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସୁବିଧାରେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ସୂଚନା ଅନୁଯାୟୀ ୨୦୧୬ ଖରିଫ ପାଇଁ ୨୦୧୭ ଜାନୁଆରୀ ୯ ତାରିଖ ସୁଦ୍ଧା ୧୪.୧୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗୃହୀତ ହୋଇଥିଲା। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭୩୬ କୋଟି ଟଙ୍କା ପରିମାଣର ୧୭୯୦ ଲକ୍ଷ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ଚାଷୀମାନଙ୍କୁ ୨୩:୫୬, ୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଲକ୍ଷ ଚାଷୀ ଧାନ ବିକ୍ରୟ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ରାଜେଶ ବର୍ମା ଓ ବିଭିନ୍ନ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *