ଓଡ଼ିଶା

ଧାନ ସଂଗ୍ରହ କମିଟି ବୈଠକ : ୧୪ରୁ ଆରମ୍ଭ ହେବ ଧାନ କିଣା

ସମ୍ବଲପୁର, ୪/୧୧ (ଓଡ଼ିଆ ପୁଅ) : ଏଠାରେ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକରେ ଚାଷୀ ପ୍ରତିନିଧିମାନେ ଜିଲ୍ଲାୱାରୀ ଧାନସଂଗ୍ରହ ନୀତି ନିର୍ଦ୍ଧାରଣ ହେଉ ନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ ସେମାନଙ୍କ ମତ ଜଣାଇ ଦିଆଯିବାକୁ ଦାବି ରଖିଛନ୍ତି। ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରୁ ଚାଷୀ ପ୍ରତିନିଧିମାନେ କହିଥିଲେ ଯେ, ରାଜ୍ୟସ୍ତରରେ ଅଣ ଜଳସେଚିତ ଅଞ୍ଚଳରୁ ଏକର ପ୍ରତି ୧୩ କ୍ୱିଣ୍ଟାଲ ଧାନ ସଂଗ୍ରହ ନିଷ୍ପତ୍ତି ନିଆଯାଇଛି। ହେଲେ ସମ୍ବଲପୁର ଜିଲ୍ଲାର ଅଣ ଜଳସେଚିତ ଅଞ୍ଚଳରେ ମରୁଡ଼ି ସ୍ଥିତି ହୋଇଥିବାରୁ ଉପରୋକ୍ତ ପରିମାଣର ଧାନ ବିକ୍ରି ପାଇଁ ଚାଷୀଙ୍କ ପାଖରେ ନାହିଁ। ଯଦି ଉପରୋକ୍ତ ରାଜ୍ୟ ନିଷ୍ପତ୍ତିକୁ ସଂପୃକ୍ତ ଅଞ୍ଚଳରେ ଲାଗୁ କରାଯିବ ତାହା ହେଲେ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀମାନଙ୍କ ମରୁଡ଼ି ସହାୟତା ଓ ଫସଲବୀମାକୁ ସୁରକ୍ଷିତ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ତ୍ରୁଟିପୂର୍ଣ୍ଣ ନୀତି କାର୍ଯ୍ୟକାରୀ ହେଲେ ମରୁଡ଼ି ଅଞ୍ଚଳର ଚାଷୀଙ୍କ ନାମରେ ଅନ୍ୟ ଅଞ୍ଚଳରୁ ଧାନ ସଂଗ୍ରହ କରାଯାଇ ପାରିବ ନାହିଁ। ତେଣୁ ଜିଲ୍ଲା ତଥା ଅଞ୍ଚଳର ସ୍ଥିତି ଆଧାରରେ ଏଭଳି ନିଷ୍ପତ୍ତି ନିଆଯିବା ଆବଶ୍ୟକ ବୋଲି ପଶ୍ଚିମଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଅଶୋକ ପ୍ରଧାନଙ୍କ ସମେତ ଅନ୍ୟ ଚାଷୀ ପ୍ରତିନିଧିମାନେ କହିଥିଲେ।

ବୈଠକରେ ଜିଲ୍ଲାରେ ଧାନ ସଂଗ୍ରହ ନେଇ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ସମ୍ବଲପୁର ଉପଖଣ୍ଡ ଏବଂ ଜମନକିରା ବ୍ଲକ୍ର ମୁଢ଼େନ୍ପାଲି ଅଞ୍ଚଳରେ ଆସନ୍ତା ୧୪ ତାରିଖରୁ ୟାର୍ଡ ଓ କ୍ରୟକେନ୍ଦ୍ର ଖୋଲାଯାଇ ଧାନ କିଣାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ନଭେମ୍ବର ୨୨ରୁ କୁଚିଣ୍ଡା, ଜମନକିରା ବ୍ଲକ୍ ଏବଂ ନଭେମ୍ବର ୨୬ ରୁ ରେଢ଼ାଖୋଲ ବ୍ଲକ୍ରେ ଧାନ କିଣା ପାଇଁ ସ୍ଥିର କରାଯାଇଥିଲା। ବାମରା ଓ ନାକଟିଦେଉଳ ବ୍ଲକ୍ରେ ଡିସେମ୍ବର ୧ ତାରିଖରୁ ଧାନକିଣା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚିପିଲିମା ସବ୍ସିଡିଆରୀ କେନାଲ ପାଇଁ ଅଧିଗୃହୀତ ଜମିରେ ଦୀର୍ଘ ୫ ଦଶନ୍ଧି ହେଲା ଚାଷ କରି ଆସୁଥିବା ବସନ୍ତପୁର ପଞ୍ଚାୟତର ଚାଷୀଙ୍କ ପଞ୍ଜୀକରଣ ହୋଇ ନଥିବା ସମସ୍ୟା ଉତ୍ଥାପିତ ହୋଇଥିବା ବେଳେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହିପରି ଜିଲ୍ଲାରେ ୧୩ ହଜାର ହେକ୍ଟର ଜମି ଜଙ୍ଗଲ ଜମି ଆଇନ ଅଧିକାର ବଳରେ ସତ୍ତ୍ୱ ଲାଭ କରିଥିବା ଚାଷୀମାନଙ୍କ ପଞ୍ଜୀକରଣ ପାଇଁ କୁଚିଣ୍ଡା ବିଧାୟକ ରବିନାରାୟଣ ନାୟକ ଦାବି କରିଥିଲେ। ସେହି ଚାଷୀମାନେ ମଧ୍ୟ ତୁରନ୍ତ ସେମାନଙ୍କ ନାମ ପଞ୍ଜୀକରଣ କରାଇ ଧାନ ବିକ୍ରି କରି ପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ସମସ୍ତ ୟାର୍ଡ ଓ କ୍ରୟ କେନ୍ଦ୍ରରେ ଆର୍ଦ୍ରତା ମାପକ ଯନ୍ତ୍ର ନିଶ୍ଚିତ ଭାବେ ଉପଲବ୍ଧ କରାଯିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବା ସହ ୟାର୍ଡ ଓ କ୍ରୟ କେନ୍ଦ୍ରରେ ନିର୍ଣ୍ଣିତ ଧାନର ମାନ ହିଁ ଚୂଡ଼ାନ୍ତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ଜିଲ୍ଲାରେ ୭୯ଟି ୟାର୍ଡ଼ ଓ କ୍ରୟ କେନ୍ଦ୍ରରେ ଧାନ କିଣା ଯାଉଥିବା ବେଳେ ଚଳିତ ବର୍ଷ ଯୁଯୁମୁରା ବ୍ଳକ୍ ଅନ୍ତର୍ଗତ ହାତୀବାରି ଓ ଛାମୁଣ୍ଡା ଏବଂ ବାମରା ବ୍ଲକ୍ ଅନ୍ତର୍ଗତ ବାଉଁଶଲଗାରେ ମଧ୍ୟ କ୍ରୟ କେନ୍ଦ୍ର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଧାନ ବିକ୍ରି ପାଇଁ ଭାଗଚାଷୀଙ୍କ ପଞ୍ଜୀକରଣ ଉପରେ ଗୁରୁତ୍ୱାରୋପ କରାଯାଉଥିବା ଏବଂ ଚଳିତ ବର୍ଷ ଏଯାବତ୍ ୧୧୨୦ ଭାଗ ଚାଷୀ ପଞ୍ଜୀକରଣ କରାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଥିଲେ। ଅନ୍ୟ ଭାଗଚାଷୀମାନେ ମଧ୍ୟ ପଞ୍ଜୀକରଣ କରାଇ ୟାର୍ଡରେ ଧାନ ବିକ୍ରିର ସୁବିଧା ନେବାକୁ ସେ ଅନୁରୋଧ କରିଥିଲେ। ବୈଠକର ଆଲୋଚନାରେ ସମ୍ବଲପୁର ସଦର ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ କୁଚିଣ୍ଡା ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ନାୟକ, ସମ୍ବଲପୁର ସାଂସଦ ପ୍ରତିନିଧି ସରୋଜ ସାହୁ, ରେଢ଼ାଖୋଲ ବିଧାୟକ ପ୍ରତିନିଧି ଶିବନାରାୟଣ ସାହୁ, ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ କର୍ମକର୍ତ୍ତା ମୁରାରୀ ପ୍ରସାଦ ପୁରୋହିତ, ହରିଶଙ୍କର ପୁରୋହିତ, ଉମେଶ ମିଶ୍ର, ବ୍ୟମୋକେଶ ଠାକୁର, ଚନ୍ଦ୍ର ପଣ୍ଡା, ଯୋଗବିହାରୀ ପରିଡ଼ା, ସୁଶୀଲ ପଟେଲ, କାହ୍ନୁଚରଣ ମାଝୀ, ମହିଳା ଚାଷୀ ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲାର ସମସ୍ତ ଅଞ୍ଚଳରୁ ଚାଷୀ ପ୍ରତିନିଧି ଉପସ୍ଥିତ ଥିବା ବେଳେ ମିଲ୍ ମାଲିକଙ୍କ କେହି ପ୍ରତିନିଧି ଆସି ନଥିଲେ। ଏ ବର୍ଷ ଧାନ ସଂଗ୍ରହରେ ଭାଗ ନନେବାକୁ ରାଜ୍ୟ ରାଇସ୍ ମିଲର୍ସ ଆସୋସିଏସନ୍ର ନିଷ୍ପତ୍ତି ଯୋଗୁଁ ମିଲ୍ ମାଲିକଙ୍କ ପ୍ରତିନିଧି ବୈଠକକୁ ଆସି ନଥିବା ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top