ଓଡ଼ିଶା

ଧାନ ସଂଗ୍ରହ ଓ ଆମ ଗାଁ ଆମ ବିକାଶ ସମ୍ବନ୍ଧୀୟ କ୍ୟାବିନେଟ ନିଷ୍ପତି ନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ମୋଦି ସରକାରଙ୍କ ଧାନର ଏମଏସପିରେ ୨୦୦ ଟଙ୍କା ବୃଦ୍ଧି ପାଇଁ ୧୫ ଲକ୍ଷ ଚାଷୀ ପରିବାରକୁ ୧୦୦୦ରୁ ୧୨୦୦ କୋଟି ଟଙ୍କା ଅଧିକ ମିଳିବ
– ଓଡିଆଚାଷୀଙ୍କୁ ଧାନର ସଠିକ ମୂଲ୍ୟ ପାଇଁ ଚାଷୀଙ୍କ ସହ ମଣ୍ଡି ଜଗିବ ବିଜେପି
– ଆମ ଗାଁ ଆମ ବିକାଶ ଯୋଜନାରେ କାମ ବିଭାଗ ଦ୍ୱାରା କ୍ରିୟାନ୍ୱୟନ ନିଷ୍ପତି ଦଳୀୟ କର୍ମୀଙ୍କ ପକେଟକୁ ଟଙ୍କା ଯୋଗାଇବା ପାଇଁ ଉଦିଷ୍ଟ
– ମୁଖ୍ୟମନ୍ତ୍ରୀ ସରପଂଚ ଓ ତୃଣମୂଳସ୍ତରର ଜନପ୍ରତିନିଧି ତଥା ପଲୀସଭା ଓ ଗ୍ରାମସଭାର ଅଧିକାର ଛଡାଇ ନେବାକୁ ଅପଚେଷ୍ଟା କରୁଛନ୍ତି
– ଓଡିଆ ଜନଭାବନା ବୁଝୁନଥିବା ନୂଆ କଳାପାହଡ ମାନେ ଓଡିଶାକୁ ଦୁର୍ନୀତିର କେନ୍ଦ୍ର କରିବାର ପ୍ରଚେଷ୍ଟାର ଜବାବ ସାଧାରଣ ଲୋକେ ଦେବେ

ଭୁବନେଶ୍ୱର /ପୁରୀ ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ) -ଧାନ ସଂଗ୍ରହ ଓ ଆମ ଗାଁ ଆମ ବିକାଶ ସମ୍ବନ୍ଧୀୟ କ୍ୟାବିନେଟ ନିଷ୍ପତି ନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦି ସରକାର ଦେଉଥିବା ଧାନର ସହାୟକ ମୂଲ୍ୟ ରେ କୁଇଟାଂଲ ପିଛା ୨୦୦ ଟଙ୍କା ବୃଦ୍ଧି ଯେପରି ବିଜେଡି ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କ ପଇଷା ହରିଲୁଟ କରାନଯାଏ ସେଥିପାଇଁ ଚାଷୀଙ୍କ ସହ ମିଶି ବିଜେପି ଧାନମଣ୍ଡି ଜଗିବ ବୋଲି କହିଛନ୍ତି। ସେହିପରି ଆମ ଗାଁ ଆମ ବିକାଶ ଯୋଜନାରେ ବିନା ଟେଣ୍ଡରରେ କାମ ପାଇଁ ନିଷ୍ପତି ସିଧାସିଧା କିଛି ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ଟଙ୍କା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଧାନକିଣା ନେଇ ଓଡିଶା କ୍ୟାବିନେଟ ନିଷ୍ପତିରେ କିଛି ନୂତନତ୍ୱ ନାହିଁ। ପ୍ରତିବର୍ଷ ଚାଷୀଙ୍କ ସିଧା ଧାନ କିଣିବା ନାଁରେ ମିଲରଙ୍କ ସହ ମିଶି ଚାଷୀମାନଙ୍କୁ ଶୋଷଣ କରାଯାଏ। ସେଥିପାଇଁ ଓଡିଶାର ଚାଷୀମାନଙ୍କ ମହଲରେ ବଡ ବିରୋଧ ରହିଛି। ଏଥର ମୋଦି ସରକାର ସହାୟକ ମୂଲ୍ୟରେ ୨୦୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାଦ୍ୱାରା ପୂର୍ବ ବର୍ଷ ତୁଳନାରେ ରାଜ୍ୟର ୧୫ ଲକ୍ଷ ଚାଷୀ ପରିବାରକୁ ୧୦୦୦ରୁ ୧୨୦୦ କୋଟି ଟଙ୍କା ଅଧିକ ଯିବ। ୭୨ ଘଂଟାରେ ଚାଷୀଙ୍କ ଆକାଉଂଟକୁ ପୂର୍ବ

ବର୍ଷ ମାନଙ୍କରେ ମଧ୍ୟ ଟଙ୍କା ଯାଇନାହିଁ। ଏଥର ଚାଷୀମାନଙ୍କ ସହ ମିଶି ବିଜେପି ମଣ୍ଡି ଜଗିବ ଯେପରି ଧାନର ମାନ, ଓଜନ ଓ ସଠିକ ସମୟରେ ମୂଲ୍ୟ ଚାଷୀମାନେ ପାଇପାରିବେ। ଧାନର ସଠିକ ମୂଲ୍ୟ ନ ଦେଲେ ଏହା ଜନଆନ୍ଦୋଳନର ରୂପ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ କୁ ନେଇ ବିଜେପି ମହାଲେଖାକାରଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲା। ବିନା ନିୟମ, ବିନା ଗାଇଡଲାଇନରେ ୧୨ ଶହ କୋଟିଟଙ୍କା ନିର୍ବାଚନ ପୂର୍ବରୁ ଦଳୀୟ କର୍ମୀଙ୍କୁ ବଂଟା ଯିବାର ବ୍ୟବସ୍ଥା କରାଯାଇଛି। ଓାର୍ଡମେମ୍ବର, ସରପଂଚ, ସମିତିସଭ୍ୟ, ଜିଲାପରିଷଦ ସଦସ୍ୟଙ୍କ ଅଧିକାରକୁ ଛଡାଇ ନେଇ ମୁଖ୍ୟମନ୍ତ୍ରୀ ନିଜେ ସରପଂଚର କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବାଟୁଂଥିବା ଟଙ୍କାକୁ ବିଭାଗଦ୍ୱାରା କ୍ରିୟାନ୍ୱିତ କରିବାର ଅର୍ଥ ହେଉଛି ଜେଇଇଙ୍କ ପାଖରେ ଟଙ୍କା ରଖି ଦଳୀୟ କର୍ମୀଙ୍କୁ ଲାଭ ପହଁଚାଇବା।

ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ଶିଶୁ, ମହିଳା, ଅଙ୍ଗନବାଡିର ସମସ୍ୟାରେ ଅର୍ଥ ଖର୍ଚ୍ଚ କରି ମାତୃ ଶିଶୁ ଯତ୍ନ ନେବା ବଦଳରେ ଦଳୀୟ ସ୍ୱାର୍ଥ ପାଇଁ ଖର୍ଚ୍ଚ କରିବା ମୁଖ୍ୟମନ୍ତ୍ରୀଙ୍କ ତୋଗଲିକ୍ ମାନସିକତାକୁ ପଦାରେ ପକାଇ ଦେଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଷ୍ଟପ ପିସି ରାଜ୍ୟ ସରକାରୀ କର୍ମଚାରୀଙ୍କ ସମ୍ବନ୍ଧରେ ଖୋଦ ମୁଖ୍ୟମନ୍ତ୍ରୀ କହିଥିଲେ। ବିଭାଗସ୍ତରରେ କାମର କ୍ରିୟାନ୍ୱୟନ ପାଇଁ କ୍ୟାବିନେଟ ନିଷ୍ପତି ପିସିକୁ ପ୍ରୋତ୍ସାହନ। ଏବେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟପ ପିସି କହୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ରାଷ୍ଟ୍ରୀୟ ସଭାପତି ଅମିତ ଶାହା ରାଜ୍ୟରେ ନିର୍ବାଚିତ ପ୍ରତିନିଧି ବଦଳରେ ବଡ ଅଫିସର ମାନଙ୍କ ଶାସନକୁ ଅକ୍ତିଆର ରଖିବା ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଗଣତନ୍ତ୍ରରେ ନିର୍ବାଚିତ ଜନପ୍ରତିନିଧି ମାନେ କ୍ଷମତାର ଅଧିକାରୀ ହେଲେ ସେମାନେ ଲୋକଙ୍କ ପାଖରେ ଉତରଦାୟୀ। ମାତ୍ର ଓଡିଆ ଭାବନା ବୁଝୁନଥିବା ନୂଆ କଳାପାହଡ ମାନେ ଓଡିଶାକୁ ଦୁର୍ନୀତିରେ ଡୁବେଇ ଦେଲେଣୀ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଏ ସମ୍ବନ୍ଧୀୟ ବକ୍ତବ୍ୟ ଦୀର୍ଘଦିନ ତାଙ୍କ ଦଳ ତରଫରୁ ଉଠାଉଥିବା ପ୍ରସଙ୍ଗ ଉପରେ ମୋହର ଲାଗିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top