ଜିଲ୍ଲା ପରିକ୍ରମା

ଧାନ କ୍ରୟରେ ନାୟକାଣୀଡିହି ସେବା ସମବାୟ ସମିତିର ଅନିୟମିତତା ଅଭିଯୋଗ ଚାଷୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର, ସମସ୍ୟା ସମାଧାନ ନହେଲେ ରାସ୍ତାରୋକ୍ ଓ ଗଣଧାରଣା ଚେତାବନୀ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ନାୟକାଣୀଡିହି ସେବା ସମବାୟ ସମିତିର ଧାନକ୍ରୟରେ ଅନିୟମିତତା ଅଭିଯୋଗ କରି ଆଜି ବିଜେପିର ପୂର୍ବତନ ଜିଲା ସଭାପତି ଦୀନବନ୍ଧୁ ପତିଙ୍କ ନେତୃତ୍ୱରେ ବିଶ୍ୱନାଥ ବାରିକ, ରମାକାନ୍ତ ମହାନ୍ତି, ଅମର କୁମାର ବାରିକ, ଗଣେଶ ପ୍ରସାଦ ମାହୁନ୍ତ, ସୁଶାନ୍ତ କୁମାର ବେହେରା, ମନୋଜ ଦାସ ପ୍ରମୁଖ ବହୁ ଚାଷୀ ଜିଲାପାଳ ଜ୍ଞାନ ଦାସଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ମୂଳେ ଆସନ୍ତା ଗୁରୁବାର ସୁଦ୍ଧା ସମସ୍ୟାର ସମାଧାନ ନହେଲେ ଚାଷୀମାନେ ଧାମରା-ଜାମୁଝାଡି ମୁଖ୍ୟ ରାସ୍ତା ବିଦେଇପୁର ଠାରେ ରାସ୍ତାରୋକ କରିବା ସହ ଗଣଧାରଣାରେ ବସିବାର ଚେତାବନୀ ଦେଇଛନ୍ତି। ଜିଲାପାଳଙ୍କୁ ଚାଷୀମାନେ ଦେଇଥିବା ଦାବିପତ୍ର ମୂଳେ ସରକାରଙ୍କ ଧାର୍ଯ୍ୟ ନିୟମ ଅନୁଯାୟୀ ଧାନର ମାନ ଉପରେ କୌଣସି କଟାଣର ବ୍ୟବସ୍ଥା ନଥିଲେ ମଧ୍ୟ ନାୟକାଣୀଡିହି ସେବା ସମବାୟ ସମିତି ସମସ୍ତ ଆଇନ୍ ଅବମାନନା କରି ଚାଷୀମାନଙ୍କ ଠାରୁ କ୍ୱିଣ୍ଟାଲ ପିଛା ୭ କେଜି ଧାନ କାଟି ନେଉଛି। ଚାଷୀମାନେ ଏହାର ପ୍ରତିବାଦ କରିବାରୁ ସମିତିର ସଭାପତି ଓ ସଂପାଦକ ମିଲର ମାନଙ୍କ ସହ ପରାମର୍ଶ କରି ଉକ୍ତ କଟାଣ କରାଯାଉଛି ବୋଲି ସଫେଇ ଦେଇଛନ୍ତି। ଏଣୁ ସେମାନେ ଗତ ୧୦ ତାରିଖ ଦିନ ସଂପାଦକଙ୍କୁ ଏକ ଲିଖିତ ଅଭିଯୋଗ କରିବା ପରେ ସେ ମିଲରମାନଙ୍କ ସହ ପରାମର୍ଶ କରି ଉକ୍ତ କଟାଣର ପୁନଃ ବିଚାର କରାଯିବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେମାନଙ୍କ ସହ କୌଣସି ପରାମର୍ଶ ନକରି ଗତ ୧୫ ତାରିଖରେ ପୁନର୍ବାର ଉକ୍ତ ମଣ୍ଡିରେ ଧାନ କିଣାଯିବାରୁ ସେମାନେ ସଂପାଦକଙ୍କୁ ଭେଟିବାକୁ ପ୍ରୟାସ କରିଥିଲେ ମଧ୍ୟ ସେ ଉପେକ୍ଷା କରିଥିଲେ। ଏଣୁ ଘଟଣାର ସରଜମିନ୍ ତଦନ୍ତ କରାଯାଇ ସରକାରଙ୍କ ଧାର୍ଯ୍ୟ ନିୟମ ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନକ୍ରୟ କରି ଓଜନ ଉପରେ କୌଣସି କଟାଣ କରାନଯାଇ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବାକୁ ଦାବି କରାଯାଇଛି। ଜିଲାପାଳ ଏ ସଂପର୍କରେ ଜିଲା ଯୋଗାଣ ଅଧିକାରୀ ଓ ବିଭାଗୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଉଚିତ୍ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top