ଧାନ କିଣା ନେଇ ସରକାରଙ୍କ ନୂଆ ମାର୍ଗଦର୍ଶିକା ଚବିଶ ଘଣ୍ଟା ଭିତରେ ଚାଷୀଙ୍କୁ ମିଳିବ ବିକ୍ରି ମୂଲ୍ୟ

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚାଷୀଙ୍କ ସମସ୍ୟା ବାବଦରେ ସରକାର ଏବେ ହେଜିଛନ୍ତି। ଏଣିକି ଧାନ ବିକିଲେ ୨୪ ଘଣ୍ଟା ଭିତରେ ଚାଷୀ ପାଇବ ବିକ୍ରି ମୂଲ୍ୟ! ଏଥିପାଇଁ ଆନୁସଙ୍ଗିକ ବ୍ୟବସ୍ଥା ସମବାୟ ସମିତିରୁ ଜିଲାସ୍ତର ପର୍ଯ୍ୟନ୍ତ ଆପଣାଇବା ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟ ସମବାୟ ନିବନ୍ଧକ ଏହି ମର୍ମରେ ବିଭିନ୍ନ ଜିଲାରେ କାର୍ଯ୍ୟରତ ସହକାରୀ ନିବନ୍ଧକ (ଏଆରସିଏସ) ଓ ଉପନିବନ୍ଧକ (ଡିଆରସିଏସ)ଙ୍କୁ ଚିଠି କରିଛନ୍ତି। ଦୁଇ ଦିନ ତଳେ ଏଭଳି ଚିଠି (ନଂ୧୨୫୦୧) ପହଞ୍ଚିଛି। ଯେଉଁଥିରେ ଚାଷୀଙ୍କ ଧାନ ବିକ୍ରିକୁ ନେଇ ସରକାର ବେଶ ଚିନ୍ତା ପ୍ରକଟ କରିଥିବା ଓ ନିଜେ ମୁଖ୍ୟମନ୍ତ୍ରୀ ଏହାକୁ ବିଶେଷ ଗୁରୁତ୍ୱ ଦେଉଥିବା ବୁଝା ପଡିଛି। ମିଳିଥିବା ସୂଚନାନୁଯାୟୀ, ଗତ ରବି ଋତୁରେ ଚାଉଳ ସଂଗ୍ରହ କ୍ଷେତ୍ରରେ ଚାଷୀଙ୍କ ମତିଗତି ସରକାରଙ୍କୁ ଚେତିବାକୁ ବାଧ୍ୟ କରିଛି। ସାରା ରାଜ୍ୟରେ ୧୪ ଲକ୍ଷ ୮୯ ହଜାର ୮୮୮ ଜଣ ଚାଷୀ ବିଭିନ୍ନ ସମବାୟ ସମିତିରୁ ରବି ଚାଷ ଲାଗି ଋଣ ନେଇଥିଲେ। କିନ୍ତୁ ଉତ୍ପାଦିତ ଧାନ ବିକିବା ଲାଗି ମାତ୍ର ୧ ଲକ୍ଷ ୬୪ ହଜାର ୯୦୮ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ତହିଁରୁ ମାତ୍ର ୧ ଲକ୍ଷ ୫ହଜାର ୬୪୩ ଜଣ ଚାଷୀ ସମବାୟ ସମିତି ଜରିଆରେ ଧାନ ବିକିଥିଲେ। ଋଣ ନେଇଥିବା ଚାଷୀ ସଂଖ୍ୟା ଓ ସରକାରଙ୍କୁ ଧାନ ବିକିବା ଲାଗି ନାମ ପଂଜିକରଣ କରିଥିବା ଚାଷୀଙ୍କ ସଂଖ୍ୟାରେ ଏକ ବିରାଟ ବ୍ୟବଧାନ ସରକାରଙ୍କ ନଜରକୁ ଆସିଛି। ଏହି ବ୍ୟବଧାନ ୧୩ ଲକ୍ଷ ୨୫ ହଜାର ଛୁଇଁବା ପରେ ସରକାର ବି ଛାନିଆଁ ହୋଇଛନ୍ତି। ପ୍ରକୃତପକ୍ଷେ ଚାଷୀମାନେ ସରକାରୀ ସଂସ୍ଥା ଜରିଆରେ ଧାନ ବିକିବାକୁ କାହିଁକି ଆଗ୍ରହ ଦେଖାଉ ନାହାନ୍ତି ସେଥିନେଇ ଆରମ୍ଭ ହୋଇଛି ତଜର୍ମା। ଏହାକୁ ସୁଧାରିବା ଲାଗି ସରକାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ସମବାୟ ସମିତିରେ ଯେତକ ଚାଷୀ ଋଣ ନେବେ ସେତକ ଚାଷୀ ଯେମିତି ନାମ ପଞ୍ଜୀକରଣ କରିବେ ସେନେଇ ସମବାୟ ସମିତିକୁ ଲକ୍ଷ୍ୟ(ଟାର୍ଗେଟ) ଧାର୍ଯ୍ୟ କରାଯାଇଛି। କ୍ଷୂଦ୍ର ଓ ନାମମାତ୍ର ଚାଷୀଙ୍କୁ ଏ ବାବଦରେ ସଚେତନ କରିବା ଲାଗି ସମବାୟ ସମିତି, ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ଲାଗି କୁହାଯାଇଛି। ଚାଷୀଙ୍କୁ ୨୪ ଘଣ୍ଟା ମଧ୍ୟରେ ବିକ୍ରି ମୂଲ୍ୟ ପୈଠ କରିବା ଲାଗି ସଂପୃକ୍ତ ସମବାୟ ସମତିର ସଂପାଦକ ସେହିଦିନ ହିଁ ଭେଣ୍ଡର ରସିଦ, ଟ୍ରାନଜିଟ ପରମିଟ ଅପଲୋଡ କରିବାକୁ ନିର୍ଦେଶ ଦିଆଯାଇଛି। ଚାଷୀଙ୍କ ବ୍ୟାଙ୍କ ଜମାଖାତା ଜରିଆରେ ବିକ୍ରିମୂଲ୍ୟ ପୈଠ ହେବ। ଯେକୌଣସି ପରିସ୍ଥିତିରେ ବି ଚାଷୀ ଯେମିତି ୨୪ ଘର୍ଟା ଭିତରେ ବିକ୍ରି ମୂଲ୍ୟ ପାଇବ ସେଥିଲାଗି ଜିଲା ସ୍ତରୀୟ ବୈଠକରେ ଏ ବାବଦରେ ବିଷଦ ଆଲୋଚନା କରିବାକୁ ନିର୍ଦେଶ ଦିଆଯାଇଛି। ବିଶେଷତଃ ଜିଲା ସ୍ତରୀୟ ପ୍ରକ୍ୟୁରମେଣ୍ଟ କମିଟି ବୈଠକରେ ଏ ବାବଦରେ ଆଲୋଚନା କରି ଚାଷୀ ଯେଉଁଦିନ ଧାନ ଦେବ ମିଲର କେମିତି ସେହିଦିନ ହିଁ ମଣ୍ଡିରୁ ଧାନ ଉଠାଇବ ସେଥିନେଇ ବ୍ୟବସ୍ଥା କରବିାକୁ କୁହାଯାଇଛି। ଜିଲା ଯୋଗାଣ ଅଧିକାରୀମାନେ ଏହି ଦାୟିତ୍ୱ ବୁଝିବେ ବୋଲି କୁହାଯାଇଛି। ଏଠାରେ ସୂଚନାଥାଉକି, ଗତ ଖରିଫ ବର୍ଷରେ ବହୁଚାଷୀ ସମବାୟ ସଂସ୍ଥାକୁ ଧାନ ବିକ୍ରି ନକରି ଦଲାଲଙ୍କ ଜରିଆରେ ରାଜ୍ୟ ବାହାରର ବେପାରୀଙ୍କୁ ଧାନ ବିକିବା ଯୋଗୁ ସରକାରୀ ଭାବେ ଧାନକିଣା ଲକ୍ଷ୍ୟ ହ୍ରାସ ପାଇଛି। ସରକାରୀ ସଂସ୍ଥା ପ୍ରତି ଚାଷୀଙ୍କ ଅନାଗ୍ରହ ପଛରେ ବିକ୍ରି ମୂଲ୍ୟ ମିଳିବାରେ ବିଳମ୍ବ ଏକ ପ୍ରମୁଖ କାରଣ ବୋଲି ସରକାର ବିଚାରିଛନ୍ତି। ପୂର୍ବରୁ ୭ଦିନ ମଧ୍ୟରେ ଚାଷୀ ବିକ୍ରି ମୂଲ୍ୟ ପାଇବ ବୋଲି କୁହାଯାଇଥିବା ବେଳେ ଏବେ ୨୪ ଘଣ୍ଟା ମଧ୍ୟରେ ଚାଷୀକୁ ମୂଲ୍ୟ ପ୍ରଦାନ ଲାଗି ହେଉଥିବା ଯୋଜନା କେତେଦୂର ଫଳପ୍ରଦ ହେବ ତାହା ସମୟ କହିବ।

Leave a Reply

Your email address will not be published. Required fields are marked *