ଧାନକ୍ଷେତରେ ରୋଗ ପୋକ, କୃଷି ବିଭାଗ ନିରବ, ଚାଷୀ ମୁଣ୍ଡରେ ଚଡ଼କ

ମାଲକାନଗିରି, ୯ା୯(ଓଡିଆ ପୁଅ ) ମାସତମାମ ଲଗାତର ଭାବେ ବର୍ଷା ଲାଗି ରହିଥିବାରୁ ସୁର୍ଯ୍ୟ କିରଣ ପଡୁନଥିବାରୁ ଗତକିଛି ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାର ଧାନକ୍ଷେତରେ ରୋଗପୋକ ଲାଗି ହଜାର ହଜାର ହେକ୍ଟର ଜମିରେ ଧାନଚାଷ ନଷ୍ଟହୋଇ ଯାଇଥିଲେ ବି କୃଷି ବିଭାଗ ପକ୍ଷରୁ ଏହାର ପ୍ରତିକାର ବ୍ୟବସ୍ଥା କରା ଯାଉନଥିବାରୁ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଯାଇଛି। ଜମିଗୁଡିକରେ ପାଣି ଭରପୁର ହୋଇ ରହିଥିବାରୁ ବିଶେଷ କରି ଧାନଗଛ ପତ୍ର ଓ ମୂଳରେ ଚକଡା, ମାଟିଆ ଗୁଣ୍ଡି ଓ ଚିତା ଧଉଳି, ଲେଡା ପୋକର ଆତଙ୍କ ଦେଖା ଦେଇଛି। ଏହି ପୋକଗୁଡିକ ଧାନଗଛର ପତ୍ର ଓ ମୂଳ ଲାଗି ରୁହୁଛନ୍ତି। ଏହି ପୋକଙ୍କ ପାଦୃର୍ଭାବ ଯୋଗୁଁ ଧାନଗଛ ଗୁଡିକ ଶୁଖି ମରିଯାଉଛି। ଏହି ପୋକମାନେ ପ୍ରଚୁର ପରିମାଣରେ ଧାନ କ୍ଷେତରେ ରହି ବଂଶ ବିସ୍ତାର କରିଚାଲିଛନ୍ତି। ଏହାକୁ ନେଇ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଛି। ଧାନଗଛ ଏବେ ବୃଦ୍ଧି ପାଇବା ଅବସ୍ଥାରେ ଥିବାବେଳେ ଏହି ରୋଗପୋକ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଚଳିତବର୍ଷ ଭଲ ବର୍ଷା ହୋଇଥିବାରୁ ଭଲଧାନ ଫସଲ ଅମଳକରିବାକୁ ଚାଷୀ ମାନେ ଆଶାବାନ୍ଧିଥିବା ବେଳେ ଧାନ କ୍ଷତରେ ରୋଗପୋକ ପାର୍ଦୁଭାବ କାରଣରୁ ଚାଷୀ ଚିନ୍ତାରେ ପଡି ଯାଇଛନ୍ତି। ଏ ସଂପର୍କରେ କୃଷିବିଭାଗ କୁ ଜଣାଇଲେ ମଧ୍ୟ କେହି କର୍ମଚାରୀ ଅନୁଧ୍ୟାନ କରିବା ପାଇଁ ଗାଁକୁ ଯାଉନଥିବା କି ପୋକ ମରା ଔଷଧ ବ୍ୟବସ୍ଥା କରୁନଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। କୃଷିବିଭାଗ ଏଥି ପ୍ରତି ଗୁରୁତ୍ୱ ଦେଉନଥିବାରୁ ଆଦିବାସୀ ଗ୍ରାମବାସୀ ମାନେ ବାଧ୍ୟହୋଇ ପାରମ୍ପାରିକ ପଦ୍ଧତିରେ ଜଙ୍ଗଲରୁ କରଡା ଗଛର ଡାଳ ପତ୍ର ଆଣି ଧାନ କ୍ଷେତ ରେ ଡାଳପୋତି ପତ୍ର ପକାଉଥିବାର ଦେଖାଯାଉଛି। ଆଗରୁ ଧାନଚାଷରେ କିଟନାଶକ ଔଷଧ ବଦଳରେ ଗ୍ରାମବାସୀମାନେ କରଡା ଗଛକୁ ବ୍ୟବହାର କରୁଥିଲେ। ଏହି ଗଛଡାଳ ଓ ପତ୍ର ଅତ୍ୟନ୍ତ ପିତା ହୋଇଥିବାରୁ କ୍ଷେତରେ ମାଡ଼ି ଥିବା ପୋକମାନେ ମରିଯାଉଥିବାର ଚାଷୀମାନେ କୁହନ୍ତି। ମାଲକାନଗିରି, କୋରକୁଣ୍ଡା, ପଡିଆ, କାଲିମେଳା, ମାଥିଲି ବ୍ଲକର ଚାଷଜମିରେ ଏହି ପୋକ ଲାଗି ଶହ ଶହ ହେକ୍ଟର ଜମିର ଧାନ ଫସଲ ସବୁ ଜଳି ଯାଇଛି। ତୁରନ୍ତ ଧାନ କ୍ଷେତରେ ରୋଗପୋକଙ୍କ ଦାଉରୁ ଚାଷ ଜମିକୁ ରକ୍ଷା କରାନଗେଲେ ବ୍ୟାଙ୍କ ଋଣ ଓ ଧାର କରଜ କରି ଚାଷୀମାନେ ବହୁ କଷ୍ଟରେ ଧନଫସଲ କରିଛନ୍ତି, ସେହି ଫସଲଗୁଡିକ ପୋକଙ୍କ ପାଦୃର୍ଭାବରେ ନଷ୍ଟ ହୋଇ ଯାଉଥିବାରୁ କିପରି ଫସଲ ଆମଦାନି ହେବ କିପରି ଋଣ ଶୁଝିବେ ସେ ଚିନ୍ତାରେ ଚାଷୀମାନେ ଧାନ କ୍ଷେତରେ ମୁଣ୍ଡରେ ହାତଦେଇ ବସିଛନ୍ତି। ଜିଲ୍ଲା କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି। ବେଳୁହିଁ ସାବଧାନ ନହେଲେ ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ହୋଇଥିବା ଧାନ ଫସଲ ଉଜୁଡି ଯାଇ ଜିଲ୍ଲାରେ ମରୁଡି ହେବାର ବହୁତ ଆଶଙ୍କା ରହିଛି।

 

 

Leave a Reply

Your email address will not be published. Required fields are marked *