ଧର୍ମଶାଳା ବ୍ଳକରେ ଅତିରିକ୍ତ ରେସନ କାର୍ଡରେ ୨୦ ହଜାର ସାମିଲ ହେବେ

ଯାଜପୁର-୩୧/୭(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ବ୍ଳକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାଦ ପଡିଥିବା ଆଉ ୨୦ହଜାର ହିତାଧିକାରୀ ରାଜ୍ୟ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବେ ସାମିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି। ୨୦୧୧ ଜନଗଣନା ଅନୁସାରେ ଧର୍ମଶାଳା ବ୍ଳକର ଜନସଂଖ୍ୟା ୨ଳକ୍ଷ ୨୨ ହଜାର ୮୨୨ ରହିଛି। ପ୍ରତ୍ୟେକ ବ୍ଳକରେ ୮୨ ଭାଗ ଗରିବ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିଲା ବେଳେ ଆବଶ୍ୟକତାକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଧର୍ମଶାଳା ବ୍ଳକରେ ୭୮ଭାଗ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏହି ବ୍ଲକର ୪୨ ହଜାର ୩୮୭ ପରିବାରର ୧ଲକ୍ଷ ୭୫ ହଜାର ୩୩୦ ଜଣଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଏକ ଟଙ୍କାରେ ଚାଉଳ ଓ ଗହମ ଦିଆଯାଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିବା ୪ ହଜାର ୬୪ଜଣ ପରିବାର ଏହି ଯୋଜନାରେ ସାମିଲ ହେବାକୁ ଆବେଦନ କରି ଅପେକ୍ଷାରେ ଅଛନ୍ତି। ରାଜ୍ୟ ସରକାରଙ୍କ ଏହି ଯୋଜନା ପ୍ରସ୍ତୁତ ପରେ କ୍ୟାବିନେଟରେ ଅନୁମୋଦନ ହୋଇଛି। ବଞ୍ଚିତ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ନିଦ୍ଦେର୍ଶ ଦିଆଯାଇଥିବା ବିଡିଓ ଅମ୍ବିକା ପ୍ରସାଦ ଦାଶ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *