ଧର୍ମଶାଳା ବ୍ଲକ ଜଳନିଧି ଯୋଜନାରେ ଘୋଟାଲା ପଦାକୁ ଆସିଲା

ଯାଜପୁର-୨୭/୧୧(ଓଡିାା ପୁଅ/ଏ.ରାଉତ) ରାଜ୍ୟ ସରକାର ଆପିକଲ ଜରିଆରେ ବିଭିନ୍ନ ବ୍ଲକର ଚାଷ ଜମିକୁ ଜଳସେଚିତ କରିବାକୁ ଜଳନିଧି ଯୋଜନାରେ ଅଭୀର ଓ ଅବଭୀର ନଳକୂପ ଖନନ ପାଇଁ ସହାୟତା ପ୍ରଦାନ କରୁଛନ୍ତି । ଏହି ଯୋଜନା ମାଧ୍ୟମରେ କିଭଳି ଚାଷୀ ନିଜ କୃଷିକ୍ଷେତ୍ରକୁ ଜଳସେଚିତ କରି ଉପକୃତ ହୋଇ ପାରିବେ ଏହି ଯୋଜନା ଆଙ୍କିଛନ୍ତି ସରକାର । ବହୁ ସ୍ଥାନରେ ଏହି ଯୋଜନାରେ ବ୍ୟାପକ ଅନୀୟମିତତା ହୋଇଥିଲାବେଳେ ଚାଷୀଙ୍କ ବଦଳରେ ଅନ୍ୟ ପ୍ରଭାବଶାଳି ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇ ସରକାରଙ୍କ ଲକ୍ଷଲକ୍ଷ ଟଙ୍କାକୁ ଚଳୁ କରିଥିଲାବେଳେ ପ୍ରକୃତ ଚାଷୀ ଏହି ବ୍ୟବସ୍ଥାରୁ ଫାଇଦା ପାଇ ପାରିନାହାନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକରେ । ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ସୂଚନା ଅଧିକାର ବଳରେ ମାଗିଥିବା ତଥ୍ୟରୁ ଏହି ଯୋଜନାର ଅନୀୟମିତତା ଓ ଦୁର୍ନୀତି ଜଣାପଡିଛି । ତଥ୍ୟ ମୁତାବକ ଧର୍ମଶାଳା ବ୍ଲକରେ ସରକାର ୨୦୦୭-୦୮ ଆର୍ଥିକ ବର୍ଷରୁ ୨୦୧୨-୧୩ ଆର୍ଥିକ ବର୍ଷ ମଧ୍ୟରେ ୧୩୫୬ ଜଣ ହିତାଧିକାରୀଙ୍କୁ ଗୋଟିଏ ଲେଖାଏ ନଳକୂପ ଖୋଳିବାକୁ ଅର୍ଥ ପ୍ରଦାନ କରାଯାଇଛି । ତାହା ପୁଣି ସବ୍ସିଡରେ । ସରକାରୀ ନିୟମ ଅନୁଯାୟୀ ଯେଉଁ ଚାଷୀଙ୍କର ଏକ ହେକ୍ଟର ଚାଷ ଜମିଥିବ ତାଙ୍କୁ ଏହି ନଳକୂପ ଖନନ ପାଇଁ ସୂଯୋଗ ପ୍ରଦାନ କରାଯିବ । ସରକାରଙ୍କ ଏହି ନିୟମ ଆଖିରେ ଅଙ୍ଗୁଳି ଗେଞ୍ଜି ପ୍ରାୟ ୯୦ ଭାଗ ହିତାଧିକାରୀ ଏହାକୁ ଚାଷ ଜମି ବଦଳରେ ନିଜ ଘରେ ଖୋଳି ଘରୋଇ ଭାବେ ବ୍ୟବହାର କରୁଛନ୍ତି । ଏହା ସହିତ ବହୁ ନଳକୂପ ଧର୍ମଶାଳା ବ୍ଲକର ବହୁ କ୍ରସର ୟୁନିଟ ଓ କ୍ଷୁଦ୍ରଶିଳ୍ପ ସଂସ୍ଥାରେ ସ୍ଥାପନ ମଧ୍ୟ କରିଥିବା ଜଣାଯାଇଛି । ଫଳରେ ବିଭିନ୍ନ ରାଜନୈତିକ ନେତା, ସରକାରୀ କର୍ମଚାରୀ, ଠିକାଦାର, କୃଷୀ ବିଭାଗ ଅଧିକାରୀଙ୍କ ସମ୍ପର୍କୀୟ, ଅନ୍ୟ ରାଜନୈତିକ ବ୍ୟକ୍ତି ବିଶେଷ ଓ ପ୍ରଭାବଶାଳୀ ବ୍ୟକ୍ତି ଏହି ଯୋଜନାର ହିତାଧିକାରୀ ସାଜିଛନ୍ତି । ଏହା ସହିତ ଗୋଟିଏ ଗୋଟିଏ ପରିବାରର ଜଣେଠାରୁ ଅଧିକ ବ୍ୟକ୍ତି ମଧ୍ୟ ଏହି ଯୋଜନାର ହିତାଧିକାରୀ ହୋଇଥିବା ଶ୍ରୀ ବେହୁରା ଅଭିଯୋଗ କରିଛନ୍ତି । ତଥ୍ୟ ଅନୁଯାୟୀ ବ୍ଲକ ଓ ଜିଲା ବାହାରେ ମଧ୍ୟ ଏହି ଯୋଜନା କାର୍ଯ୍ୟକରାଯାଇଛି । ସୂଚନା ଅଧିକାର ତଥ୍ୟରୁ ଜଣାଯାଇଛି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ନିହଲପ୍ରସାଦ ପଂଚାୟତର ରଗଡିପଶି ଗ୍ରାମର ଗୋକୁଳାନନ୍ଦ ଧଳଙ୍କ ପୁଅ ଶରତକୁମାର ଧଳଙ୍କ ନାମରେ ଏହି ଭଳି ଏକ ନଳକୂପ ପ୍ରଦାନ କରାଯାଇଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକରୁ ଏହି ଯୋଜନା ଜିଲା ସୀମା ଡେଇଁ ଅନ୍ୟ ଏକ ଜିଲାକୁ ପଳାଇବା ଧର୍ମଶାଳା ବ୍ଲକରେ ଏହି ଯୋଜନା କିଭଳି କାର୍ଯ୍ୟକାରୀ ହୋଇଛି ତାକୁ ପ୍ରମାଣ କରୁଛି । ସୂଚନା କର୍ମୀ ଶ୍ରୀ ବେହୁରା ସୂଚନା ଅଧିକାର ଆଇନ ବଳରେ ହିତାଧିକାରୀ ମାନଙ୍କୁ ଏହି ଯୋଜନାରେ କେତେ ଟଙ୍କାର ସବ୍ସିଡ ପ୍ରଦାନ କରାଯାଇଛି ଓ ସ୍ଥାପନ ହୋଇଥିବା ମୋଟର ଗୁଡିକର ନମ୍ବର ମାଗିଥିଲାବେଳେ କର୍ତୁପକ୍ଷ ଏହାକୁ ପ୍ରଦାନ କରୁନଥିବାର ଅଭିଯୋଗ ମଧ୍ୟ କରିଛନ୍ତି । ସବୁଠାରୁ ତାତ୍ପର୍ଯ୍ୟର ବିଷୟ ହେଲା ୨୦୦୭-୦୮ ରୁ ୨୦୧୨-୧୩ ଆର୍ଥିକ ବର୍ଷ ମଧ୍ୟରେ ଯେତିକି ନଳକୂପ ଖନନ ହୋଇଥିବା ବିଷୟ ତଥ୍ୟ କହୁଛି ତାହାର ଅର୍ଦ୍ଧାଧିକ ନଳକୂପ ଖନନ ହୋଇ ନଥିବା ଜଣାଯାଇଛି । ଫଳରେ ବିନା କାର୍ଯ୍ୟରେ ସବ୍ସିଡ ଅର୍ଥକୁ ଚଳୁ କରାଯାଇଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ।ଏହି ମହା ଘୋଟାଲାରେ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିବାର ଅଭିଯୋଗ ଉଠାଇଛନ୍ତି ଶ୍ରୀ ବେହୁରା । ସରକାର କୃଷିକୁ ଗୁରୁତ୍ୱ ପ୍ରଦାନ କରୁଥିଲାବେଳେ ଜଳନିଧି ଯୋଜନାରେ କିଭଳି ଚାଷୀ ଉପକୃତ ହୋଇ ପାରିବେ ସେଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲାବେଳେ ଧର୍ମଶାଳା ବ୍ଲକରେ ଏହି ଯୋଜନାରେ ବ୍ୟାପକ ଅନୀୟମିତତା ହେବା କୃଷି ବିଭାଗ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି । ତୁରନ୍ତ ଜିଲା ପ୍ରଶାସନ ସହିତ ଭିଜିଲାନ୍ସ ବିଭାଗ ଏହି ଦୁର୍ନୀତିର ତଦନ୍ତ କରିବା ସହିତ ଏହି ଦୁର୍ନୀତିର ପର୍ଦାଫାସ କରି ଅଭିଯୁକ୍ତ ମାନଙ୍କୁ ଦଣ୍ଡିତ କରିବାକୁ ସର୍ବେଶ୍ୱର ବେହୁରା ଦାବି କରିଛନ୍ତି ।

One thought on “ଧର୍ମଶାଳା ବ୍ଲକ ଜଳନିଧି ଯୋଜନାରେ ଘୋଟାଲା ପଦାକୁ ଆସିଲା

Leave a Reply

Your email address will not be published. Required fields are marked *