ଧର୍ମଶାଳା ତହସିଲ : ଲିଜ୍ ଅଂଚଳ ବାହାରୁ ଦୈନିକ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର କଳା ପଥର ଲୁଟ୍, ପ୍ରଶାସନ ଚୁପ୍ କାହିଁକି ?

ଯାଜପୁର,୧୧/୦୬(ଓଡିଆପୁଅ/ମାନସ ରାଉତ)-ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଏବେ କଳା ପଥର ଲୁଟେରାଙ୍କ ଭୂସ୍ୱର୍ଗ ପାଲଟିଛି। ନାମକୁ ମାତ୍ର ୩ରୁ ୫ ଏକର ଲିଜ୍ ନେଇ ମାଫିଆ ମାନେ ଲିଜ୍ ଅଂଚଳ ବାହାରୁ ବଡ଼ ବଡ଼ ମେସିନ୍ ଲଗାଇ ଦୈନିକ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର କଳା ପଥର ଲୁଟି ନେଉଥିଲେ ମଧ୍ୟ ତହସିଲଦାର ସବୁ ଦେଖି ଅଦେଖିା ସାଜିଛନ୍ତି। ବିଶେଷ କରି ଲୁଣିବର, ରାହାଡ଼ପୁର, ଚୁଡ଼ାବରାଣ୍ଡିଆ, ଆରୁହା, ବିଚ୍ଛାଖଣ୍ଡି ଓ ଡ଼ଙ୍କାରୀ ପ୍ରଭୃତି ଖଣି ଅଂଚଳରୁ ଏହି ଲୁଟ୍ ଚାଲିଛି। ଓ.ଏମ.ଏମ.ସି. ନିୟମ ଅନୁଯାୟୀ ଖଣି ଲିଜ୍ ପ୍ରଦାନ ପରେ ସେହି ଅଂଚଳକୁ ସଠିକ୍ ଭାବେ ମାପଚୁପ କରାଯାଇ ସୀମା ନିର୍ଦ୍ଧାରଣ କରାଯିବା ପରେ ଖରି ଖଣି ଖନନ ହେବା କଥା। ଲିଜ୍ ଅଂଚଳରୁ ଲିଜ୍ ଧାରୀ କେତେ ପଥର ଉତୋଳନ କରିବେ ସେହି ଅନୁଯାୟୀ ଚୁକ୍ତି ସ୍ୱାକ୍ଷରିତ ହେବା ସହ ସେହି ଚୁକ୍ତିକୁ କୌଣସି ପରିସ୍ଥିତିରେ ମଧ୍ୟ ଖିଲାପ କରିବେ ନାହିଁ କିମ୍ବା ଲିଜ୍ ଅଂଚଳ ବାହାରୁ ପଥର ଖନନ କରିବେ ନାହିଁ ବୋଲି ଚୁକ୍ତି ବଦ୍ଧ ହୋଇଥାନ୍ତି। ଏହି ଚୁକ୍ତିନାମା ଲିଜ୍ ଧାରୀ ଓ ତହସିଲଦାର କିମ୍ବା ଉପ-ଜିଲ୍ଲାପାଳଙ୍କ ମିଳିତ ସ୍ୱାକ୍ଷରରେ ସଂପାଦିତ ହୋଇଥାଏ। ଏହି ଚୁକ୍ତିନାମାକୁ ଉଭୟ ପକ୍ଷ ମାନିବା କଥା। ତେବେ ମାଫିଆମାନେ ଲିଜ୍ ଅଂଚଳ ବାହାରେ ନିୟମିତ ଖନନ କରି କୋଟି କୋଟି ଟଙ୍କାର ପଥର ଲୁଟି ନେଉଥିବା ଜାଣିଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର ଓ ଜିଲ୍ଲା ପ୍ରଶାସନ କେଉଁ କାରଣରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲିଜ୍ ବାହାରୁ ଏ ପରି ବେଆଇନ୍ ଖନନ ହେଉଥିବାରୁ ଗୋଟିଏ ପଟେ ଲିଜ୍ ଧାରୀ ଚୁକ୍ତିନାମାକୁ ଉଲଘଂନ କରୁଥିବା ବେଳେ ଅନ୍ୟପଟେ ଦୈନିକ ଲକ୍ଷାଧିକ ଟଙ୍କାର ସରକାରୀ ରାଜସ୍ୱ ଆତ୍ମସାତ୍ ହୋଇଚାଲିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *