ଧରାପଡ଼ିଲା ବାଇକ୍ ଚୋରି ର୍ୟାକେଟ୍, ୭ ଗିରଫ

ବୁର୍ଲା/ସମ୍ବଲପୁର, ୨୫/୮ (ଓଡ଼ିଆ ପୁଅ)- : ବୁର୍ଲା ସହର ଶାସ୍ତ୍ରୀ ଛକରେ ଗତକାଲି ରାତିରେ ପୁଲିସ ପକ୍ଷରୁ ଯାନବାହନ ଯାଞ୍ଚ ବେଳେ ଏକ ବାଇକ୍ ଚୋରି ର୍ୟାକେଟ୍ ଧରାପଡ଼ିଛି। ପୁଲିସ ଯାଞ୍ଚ କରୁଥିବା ବେଳେ ବୁର୍ଲା ଇନ୍ଦିରା ଛକର କାକେ ଓରଫ୍ ପପିନ୍ଦର ସିଂ (୩୯), ସମ୍ବଲପୁର ରେମେଡ଼ର ଦୀକ୍ଷିତ ସାହୁ (୩୦) ଏବଂ ରେଙ୍ଗାଲି କିସନନଗରର ବୈଲୋଚନ ଓରଫ୍ ଚଗଲା ନାଥ (୨୫) ହୀରାକୁଦ ଡେମ୍ ପଟୁ ଏକ ନମ୍ବରବିହୀନ ହୋଣ୍ଡା ଡି୍ରମ୍ ୟୋଗା ବାଇକ୍ରେ ଆସୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ଯାଞ୍ଚରେ ସେମାନେ ବାଇକ୍ର କୌଣସି କାଗଜପତ୍ର ଦେଖାଇ ପାରି ନଥିବା ବେଳେ ତାହା ଚୋରି ବାଇକ୍ ବୋଲି ସ୍ୱୀକାର କରିଥିଲେ। ସେମାନେ ବୁର୍ଲା ଷ୍ଟେଟ୍ବ୍ୟାଙ୍କ ସମ୍ମୁଖରୁ ବାଇକ୍ଟି ଚୋରି କରିଥିବା କହିଥିଲେ। ପୋଲିସ ୩ ଜଣଙ୍କୁ ଥାନାକୁ ନେଇ ଜେରା କରିବାରୁ ରେଙ୍ଗାଲି ଥାନା ଅନ୍ତର୍ଗତ କେଉଁଟଡିହିର ସିରୁ ଓରଫ୍ ତିଆନ୍ ଓରାମ୍ (୧୯), ବାବଲୁ ଓରାମ୍ (୧୯), ରେଙ୍ଗାଲି ବଡ଼ପଡ଼ାର ଶୁକଦେବ ଓରାମ୍ (୨୫) ଓ ରେଙ୍ଗାଲି ଟାମ୍ପରକେଲାର ଯୋଗେନ୍ଦ୍ର ଓରାମ୍ ମଧ୍ୟ ସେମାନଙ୍କ ସହ ବାଇକ୍ ଚୋରିରେ ସମ୍ପୃକ୍ତ ଥିବା ସୂଚନା ଦେଇଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସିଲୁ, ବାବୁଲାଲ, ଶୁକଦେବ ଏବଂ ଯୋଗେନ୍ଦ୍ରଙ୍କୁ ଗିରଫ କରି ଏଚ୍ପି୧୫ଏ୦୯୯୯ ଏବଂ ଓଆର୧୫ଏଲ୍୨୨୩୭ ନମ୍ବର ବଜାଜ ପ୍ଳାଟିନା, ଓଡ଼ି୧୫୭୪୦୯ ହୋଣ୍ଡା ସାଇନ୍ ଏବଂ ଓଆର୍୧୫ଏଚ୍୦୨୯୬ ହିରୋପ୍ୟାସନ୍ ବାଇକ୍ ଜବତ କରିଥିଲେ। ଉପରୋକ୍ତ ବାଇକ୍ ଗୁଡ଼ିକ ବୁର୍ଲା, ରେଙ୍ଗାଲି, ଠେଲକୁଲି ଓ ଦେବଗଡ଼ ଥାନା ଅଞ୍ଚଳରୁ ଚୋରି ହୋଇଥିବା ବୁର୍ଲା ଥାନା ଆଇଆଇସି ମାନସ ରଞ୍ଜନ ପ୍ରଧାନ କହିଛନ୍ତି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *