ଧରଣୀଧର ଭୂୟାଁ କୁସୁମିତାରୁ ଆଳି, ସଂଗ୍ରାମୀରୁ ସନ୍ନ୍ୟାସୀ

– ଧରଣୀଧରଙ୍କ ଶ୍ରାଦ୍ଧୋତ୍ସବରେ …
– ବିଜୟ ନାଏକ

ବଞ୍ଚିଥିବା ବେଳେ ହୀନମନ୍ୟତା, ତିରସ୍କାର, ନିର୍ଯ୍ୟାତନା ଓ ତାଡ଼ନାର ଶୀକାର ହୋଇଥିବା ମଣିଷଟି ତାର ମୃତ୍ୟୁପରେ ମହାପୁରୁଷରେ ପରିଣତ ହୋଇଯାଏ। ଆଜିର ଏହି ଭୋଗବାଦୀ ଦୁନିଆରେ ଏହା ଏକ ନିଚ୍ଛକ ସତ ଭାବରେ ପ୍ରତିପାଦିତ ହୋଇଅଛି। ଏହାର ଜ୍ୱଳନ୍ତ ଉଦାହରଣ ହେଲେ କେନ୍ଦୁଝର ପ୍ରଜାମେଳିର ନେତା ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)। କେନ୍ଦୁଝରର ଆଦିବାସୀ ପଲ୍ଲୀ ଗ୍ରାମ କୁସୁମିତାରେ ୧୮୬୪ ମସିହା ମଇ ମାସ ୫ ତାରିଖରେ ଏକ ଭୂୟାଁ ପରିବାରରେ ଜନ୍ମିତ ମେଧାବୀ ସନ୍ତାନ ଧରଣୀଧର ପ୍ରତିକୂଳ ପରିବେଶରେ କେନ୍ଦୁଝରରୁ ମାଧ୍ୟମିକ ଶିକ୍ଷା ଓ କଟକରୁ ସର୍ଭେ ତାଲିମ ସଫଳତାର ସହ ସମାପନ କରି କେନ୍ଦୁଝର ରାଜାଙ୍କ ଅଧିନରେ ସର୍ଭେୟର କାମ ସୁଚାରୁରୂପେ ସମ୍ପାଦନ କରୁଥିଲେ ମଧ୍ୟ ତାଙ୍କୁ ନିଜ କାର୍ଯ୍ୟ ସମ୍ପାଦନ ପାଇଁ ଜରିବ୍ଟିଏ ମଧ୍ୟ ପ୍ରଦାନ କରାଯାଇନଥିଲା। ପାଦରେ ମାପକରି ସେ ଭୂ-ସର୍ବେକ୍ଷଣ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରୁଥିଲେ। ତତ୍କାଳୀନ କେନ୍ଦୁଝର ରାଜାଙ୍କ କର୍ମଚାରୀମାନଙ୍କ ତାତ୍ସଲ୍ୟ, ଘୃଣା, ଜାତିଭେଦ ଓ ହୀନମନ୍ୟତାର କ୍ରମାଗତ ଶୀକାର ହେଉଥିଲେ। ରାଜାଙ୍କ ଦ୍ୱାରା କେନ୍ଦୁଝର ମାଛକାନ୍ଦଣା ବନ୍ଧ କାର୍ଯ୍ୟ ସମ୍ପାଦନ ପାଇଁ ସେତେବେଳେ ୧୦ ହଜାର ଟଙ୍କାର ଅନୁଦାନ ବ୍ୟୟବରାଦ ହୋଇଥିଲେ ମଧ୍ୟ ରାଜାଙ୍କ ମ୍ୟାନେଜର ଥିବା ବିଚିତ୍ରାନନ୍ଦ ଦାସ ପ୍ରଜାମାନଙ୍କ ଜରିଆରେ ବେଠି ଦ୍ୱାରା ଏହି କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ସାରା କେନ୍ଦୁଝରର ଭୂୟାଁ, କୋହ୍ଲ ଓ ଅନ୍ୟ ଆଦିବାସୀଙ୍କ ସହ ସାଧାରଣ ପ୍ରଜାମଧ୍ୟ ବେଠି ଖଟି ଏହି କାର୍ଯ୍ୟ ସମ୍ପାଦନ କରୁଥିଲେ। ଏହି କାର୍ଯ୍ୟ ତଦାରଖ କରୁଥିବା ରାଜକର୍ମଚାରୀମାନେ ପ୍ରଜାମାନଙ୍କୁ ବର୍ବର ଆକ୍ରମଣ କରୁଥିଲେ ଓ ନିର୍ଯ୍ୟାତନା ଚରମସୀମା ଅତିକ୍ରମ କରିଥିଲା। ଏହି ଘଟଣା ସ୍ୱାଧୀନଚେତା, ସ୍ୱାଭିମାନୀ ଧରଣୀଧରଙ୍କୁ ଗଭୀର ମାନସିକ ଆଘାତ ପ୍ରଦାନ କରିଥିଲା। ସେ ରାଜାଙ୍କ ଚାକିରୀ ଛାଡ଼ି ପ୍ରଜାମାନଙ୍କୁ ଏକତ୍ରିତ କରି ରାଜାଙ୍କ ବିରୁଦ୍ଧରେ ପ୍ରଜାମେଳି କରିଥିଲେ ଓ ଆଦିବାସୀମାନଙ୍କ ସହିତ କେନ୍ଦୁଝରର ସାଧାରଣ ପ୍ରଜାମାନେ ମଧ୍ୟ ଏହି ଆନ୍ଦୋଳନରେ ନିଜକୁ ସାମିଲ୍ କରିଥିଲେ। ଯାହାଫଳରେ ପ୍ରଜାମାନେ ରାଜବାଟିକୁ ଅବରୋଧ କରିନେଲେ ଓ ତତ୍କାଳୀନ ରାଜାଙ୍କ ଦେୱାନଙ୍କ ଚକ୍ରାନ୍ତର ଶିକାର ହୋଇ ଧରଣୀଧର ବନ୍ଦୀ ହେଲେ ଓ ବିଚାରରେ ତାଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରାଗଲା ଏବଂ ବ୍ରିଟିଶ୍ ସରକାରଙ୍କ ପ୍ରତିନିଧି ପ୍ରଜାମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ରାଜାଙ୍କ ଅତ୍ୟାଚାରରୁ ମୁକ୍ତି ଦେବାପାଇଁ ପ୍ରତିଶ୍ରୁତି ପ୍ରଦାନ କଲେ।

ଧରଣୀଧର ନିଜେ ଦଣ୍ଡିତ ହେବାପରେ ପ୍ରଜାମାନେ ନିର୍ଯ୍ୟାତନାରୁ ମୁକ୍ତି ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଦଣ୍ଡ ସମାପ୍ତି ପରେ ସେ ଜନ୍ମମାଟି କେନ୍ଦୁଝରକୁ ଫେରିନଥିଲେ। କିଛିଦିନ କଟକରେ ଅବସ୍ଥାନ କରି ତତ୍କାଳୀନ ଦେଶପ୍ରେମୀ ଯୁବକମାନଙ୍କୁ ବ୍ରିଟିଶ୍ ସରକାରଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ପ୍ରେରଣା ଦେଉଥିଲେ। ପରବର୍ତ୍ତୀ ଅବସ୍ଥାରେ ପୁରୀରେ ସନ୍ନ୍ୟାସ ଧର୍ମ ପାଳନ କଲେ। ତତ୍କାଳୀନ ଆଳି ରାଜା ବ୍ରଜସୁନ୍ଦର ଦେବଙ୍କ ଆମନ୍ତ୍ରଣରେ ଆଳିରେ ଅବସ୍ଥାନ କରି ପ୍ରାକୃତିକ ଚିକିତ୍ସା ଓ ଅତ୍ୟାଧୁନିକ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଜନସାଧାରଣଙ୍କୁ ପରାମର୍ଶ ଦେଉଥିଲେ। ଏହି ମହାମନିଷୀ ୧୯୪୪ ମସିହା ମଇ ମାସ ୧୬ ତାରିଖରେ ଆଳିଠାରେ ଶେଷ ନିଃଶ୍ୱାସ ତ୍ୟାଗ କଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ଗୁଣାବଳୀକୁ ଆଜି ଲୋକେ ପ୍ରଚାର ପ୍ରସାର କରୁଛନ୍ତି। ଜୀବଦ୍ଦଶାରେ ଯାହାଙ୍କ ବିରୁଦ୍ଧରେ ରାଜଦ୍ରୋହ କଳଙ୍କ ପ୍ରଚାର କରାଯାଇଥିଲା, ମୃତ୍ୟୁପରେ ତାଙ୍କୁ ମହାମାନବର ସମ୍ମାନ ଦିଆଯାଉଛି। ଆଜି ଧରଣୀଧରଙ୍କୁ ନେଇ ଭୋଟ୍ ବ୍ୟାଙ୍କ ବଢାଇବା ପାଇଁ ସବୁଦଳର ନେତୃବର୍ଗ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଦେଇଛନ୍ତି। ଯାହାହେଉ ସେହି ମହାମନିଷୀଙ୍କ ନିଷ୍ଠା, ଆଦର୍ଶରେ ଅନୁପ୍ରାଣିତ ହୋଇ ଆଦିବାସୀ ସମାଜ ବିଶେଷକରି ଭୂୟାଁ ସମାଜ ନିଜ ଭିତରେ ଆତ୍ମବଳ ସୃଷ୍ଟିକରି ବିକାଶ ପଥରେ ଅଗ୍ରସର ହୁଅନ୍ତୁ, ତାଙ୍କ ଶ୍ରାଦ୍ଧୋତ୍ସବରେ ଏତିକି କାମନା କରି ସେହି ମହାନ୍ ଆତ୍ମାର ସଦ୍ଗତି କାମନା କରୁଅଛି।

ଯୋଡ଼ା, କେନ୍ଦୁଝର
ମୋବାଇଲ୍ : ୯୪୩୮୨୮୨୦୩୧

Leave a Reply

Your email address will not be published. Required fields are marked *