ଧନ ସମ୍ପତି ଛାଡି ସରଳ ଓ ନିରାଡମ୍ବର ଜୀବନ ସହ ଜନସେବା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ବିଜେପିର କଟାକ୍ଷ

– ୧୧୭ ବିଧାୟକଙ୍କ ମଧ୍ୟରୁ ୭୦ ଜଣଙ୍କର ବିଳାସପୂର୍ଣ୍ଣ ଗାଡି ବିଜେଡିର ସରଳ ଓ ନିରାଡମ୍ବର ଜନସେବାର ପ୍ରତିବିମ୍ବ କି ?
– ଚିଟଫଣ୍ଡ୍ କେଳେଙ୍କାରୀରେ ଯୋଡି ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନ୍ତରଙ୍ଗ ସରୋଜ ସାହୁ ଏବେବି ନବୀନ ନିବାସର କାର୍ପଟଦାର
– ଦଳର ପୂର୍ବତନ ମନ୍ତ୍ରୀ ଓ ଟାଣୁଆ ବିଧାୟକ ଅରୁଣ ସାହୁ ଓ ଅନ୍ୟ ଯୋଗାଡିଆ ବିଧାୟକ ମାନେ ଠକ ଡାକ୍ତର ମୋତିଲାଲ ଗୌଡଙ୍କ ସହିତ ମଜା କରିବା ଓ ହାଇ ପ୍ରୋଫାଇଲ ପାର୍ଟିରେ ସାଙ୍ଗ ହୋଇ ମଦ୍ୟପାନ କରିବା ସରଳତାର ନମୂନା !
– ଭୁବନେଶ୍ୱରରୁ କଟକ କାରରେ ନଯାଇ ହେଲିକ୍ୟାପ୍ଟରରେ ଯିବା କଣ ମୁଖ୍ୟମନ୍ତ୍ରୀଙ୍କ ମିତବ୍ୟୟିତା ?

ଭୁବନେଶ୍ୱର, ତା.୨୬/୧୨(ଓଡ଼ିଆ ପୁଅ): ବିଜେଡିର ୨୦ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଧନ ସମ୍ପତି ଛାଡି ସରଳ ଓ ନିରାଡମ୍ବର ଜୀବନ ସହ ଜନସେବା କରିବାର ବକ୍ତବ୍ୟକୁ କଟାକ୍ଷ କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି।

ବିଧାନସଭା ଚାଲିଲା ବେଳେ ବିଜେଡିର ୧୧୭ ବିଧାୟକଙ୍କ ମଧ୍ୟରୁ ୭୦ ଜଣଙ୍କର ବିଳାସପୂର୍ଣ୍ଣ ଗାଡି ବିଜେଡିର ସରଳ ଓ ନିରାଡମ୍ବର ଜନସେବାର ପ୍ରତିବିମ୍ବ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଲ୍ୟାଣ୍ଡ କ୍ରୁଜର, ଲ୍ୟାଣ୍ଡ ରୋଭର, ରେଂଜ ରୋଭର, ଅଡି, ମର୍ସିଡିଜ୍ ଓ ବିଏମଡବ୍ଲୁ ପ୍ରଭୃତି ଗାଡି ବିଜେଡି ବିଧାୟକ ମାନେ ଚଲାଇ ସରଳ ଓ ନିରାଡମ୍ବର ଜୀବନକୁ ମୁଖ୍ୟମନ୍ତ୍ରୀ ସାର୍ଟିଫିକେଟ୍ ଦେଉଛନ୍ତି କି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଅନେକ ବିଧାୟକଙ୍କ ଗାଡିର ମୂଲ୍ୟ କୋଟିଏ ଟଙ୍କାରୁ ମଧ୍ୟ ଅଧିକ ହେବା, ସରଳତା କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

୧୮ ବର୍ଷର ବିଜେଡି ସରକାରର ଶାସନ କାଳ ଭିତରେ ଅନେକ ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ ବୃଦ୍ଧି ପାଇଥିବା ସଂପତିକୁ ନେଇ ଅନେକ ତର୍କ ବିତର୍କ ସପର୍କରେ ରାଜ୍ୟବାସୀ ଅବଗତ ଅଛନ୍ତି। ଚିଟଫଣ୍ଡ ଦୁର୍ନୀତିରେ ଶାସକ ବିଜେଡିର ଜଣେ ସାଂସଦ ଓ ଜଣେ ବିଧାୟକ ଜେଲରେ ଥିବାବେଳେ ଅନେକ ବେଲରେ ବାହାରେ ଅଛନ୍ତି। ଖଣି, ଡାଲି, ମଧ୍ୟାହ୍ନ ଭୋଜନ ହଡପ ଘଟଣାରେ ଶାସକ ଦଳର ମନ୍ତ୍ରୀ ଏବଂ ତାଙ୍କ ସଂପର୍କୀୟମାନେ କେତେ ସଂପତି ଆହରଣ କରିଛନ୍ତି, ତାହା ସାଧାରଣରେ ଚର୍ଚ୍ଚା ହେଉଛି। ଏହା ସତ୍ୱେ ମୁକ୍ୟମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ୧୮ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ଧର୍ମକୁ ଆଖି ଠାର ସଦୃଶ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଛଳନାକୁ ରାଜ୍ୟବାସୀ ଭଲ ଭାବରେ ଜାଣିଛନ୍ତି ଏବଂ ଆଗାମୀ ଦିନରେ ଏଭଳି ଅନେକ ମିଥ୍ୟା ଛଳନା ଓ ଅଭିନୟ ଦେଖିବାର ସୁଯୋଗ ପାଇବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଚିଟଫଣ୍ଡ୍ କେଳେଙ୍କାରୀରେ ଯୋଡି ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନ୍ତରଙ୍ଗ ନବୀନ ନିବାସର ଅନ୍ତେବାସୀ ସରୋଜ ସାହୁ ଏବେ ବି ନବୀନ ନିବାସର କାର୍ପଟଦାର। ଗରୀବଙ୍କ ଟଙ୍କା ଲୁଟ୍ କରି ସେହି ଅର୍ଥରେ କୋଟିପତି ହେବା ସରଳ ଓ ନିରଡାମ୍ବର ରାଜନୀତିର ନମୂନା କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସରଳତାର ସାର୍ଟିଫିକେଟ୍ ସରୋଜ ସାହୁଙ୍କ ସହିତ ରହିବା ବିଡମ୍ବନାର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଦଳର ଟାଣୁଆ ବିଧାୟକ ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ ଓ ବ୍ୟୋମକେଶ ରାୟ ପ୍ରଭୃତି ଠକ ଡାକ୍ତର ମୋତିଲାଲ ଗୌଡଙ୍କ ସହିତ ମଜା କରିବା ଓ ହାଇ ପ୍ରୋଫାଇଲ ପାର୍ଟିରେ ସାଙ୍ଗ ହୋଇ ମଦ୍ୟପାନ କରିବା ସରଳ ଜୀବନ ଓ ଉଚ୍ଚ ବିଚାରର ନିଚ୍ଛକ ପ୍ରତିଛବି କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରୁ ଭୁବନେଶ୍ୱର ଯାତ୍ରା ପାଇଁ ହେଲିକ୍ୟାପ୍ଟର ବ୍ୟବହାର କରିବାର ନଜୀର ଅଛି। ଦୈତ ନଗରୀର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ ଯିବା ପାଇଁ କାରରେ ନଯାଇ ଗରୀବ ଓଡିଆଙ୍କ କଷ୍ଟ ଲବ୍ଧ ଟିକସ ଅର୍ଥରେ ହେଲିକ୍ୟାପ୍ଟରରେ ଉଡିକି ଯିବା କି ପ୍ରକାର ଆର୍ଥିକ ଶୃଙ୍ଖଳା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ଏପରିକି ମୁଖ୍ୟମନ୍ତ୍ରୀଙ୍କ ନାମ ସହ ଅନେକ ଗୁଡିଏ ବିଳାସ ବ୍ୟସନର କଥା ବହୁ ଚର୍ଚ୍ଚିତ। ସେଗୁଡିକ ଖୋଲାଖୋଲି କହିଲେ ହୁଏତ ସୈାଜନ୍ୟହାନୀ ହେବ। ସେଗୁଡିକ କେତେ ସରଳ ଜୀବନର ଚେହେରା, ତାହା ମୁଖ୍ୟମନ୍ତ୍ରୀ ପ୍ରକାଶ କଲେ ଭଲ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଓଡିଶାର ସ୍ୱାର୍ଥ ପାଇଁ ନୁହେଁ ବରଂ ପୁରୀଠାରେ କ୍ୟାବିନେଟ ବୈଠକ କରି ନିଜର ୨୦ ବର୍ଷରେ କରିଥିବା ପାପକୁ ମହୋଦଧିରେ ଶାସକ ବିଜେଡି ବୁଡ ପକାଇଛି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ମହାନ୍ତି କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ଏବଂ ରାଜ୍ୟ ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *