ଦ୍ୱିତୀୟ ସତ୍ୟ ସ୍ୱରୂପ ମେମୋରିଆଲ ଟି୨୦ : ଅଲରାଉଣ୍ଡର ବାଲେଶ୍ୱର ଓ ଚରମ୍ପା ଏକାଡେମୀ ବିଜୟୀ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଚରମ୍ପା ଇଷ୍ଟକୋଷ୍ଟ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ସତ୍ୟ ସ୍ୱରୂପ ମେମୋରିଆଲ ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦୁଇଟି ମ୍ୟାଚ ଖେଳା ଯାଇଛି। ଗୋଟିଏ ମ୍ୟାଚରେ ଅଲ୍ ରାଉଣ୍ଡର ବାଲେଶ୍ୱର ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ଚରମ୍ପା କ୍ରିକେଟ ଏକାଡେମୀ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ ଉଦଳା ୟୁନିକ ଏକାଦଶ ଓ ଅଲ ରାଉଣ୍ଡର ବାଲେଶ୍ୱର ମଧ୍ୟରେ ଖେଳା ଯାଇଥିଲା। ଟସ୍ ଜିତି ବାଲେଶ୍ୱର ଦଳ ବ୍ୟାଟିଂ କରିଥିଲା। ଦଳ ୧୫ ଓଭରରେ ୯ ଉଇକେଟ ହରାଇ ୧୦୨ରନ କରିଥିଲା। ଦଳ ପକ୍ଷରୁ ସେକ୍ ଅମଜିତ ୪୧ ରନ, ତାପସ ରାଉତ ୧୮ ରନ ଓ ମିଲନ ଓଝା ୧୫ରନ କରିଥିବା ବେଳେ ପ୍ରତିପକ୍ଷ ଉଦଳା ଦଳର ସଞ୍ଜିତ ଚୌଧୁରୀ ଓ ଏସ୍. ସିଂ ୩ଟି ଲେଖାଏ, ଏସ୍. ମହାନ୍ତି ୨ଟି ଉଇକେଟ ନେଇଥିଲେ। ପରେ ଉଦଳା ୟୁନିକ ଏକାଦଶ ବ୍ୟାଟିଂ କରି ଆବଶ୍ୟକ ୧୪ ଓଭରରେ ୬ ଉଇକେଟ ହରାଇ ୮୬ ରନ କରି ମ୍ୟାଚ ଡାରି ଯାଇଥିଲା। ଦଳର ଏସ୍. ସିଂ ୩୨ ଓ ବି. ବିହାରୀ ୧୯ କରିଥିବା ବେଳେ ବାଲେଶ୍ୱର ଅଲ୍ରାଉଣ୍ଡର ପକ୍ଷରୁ ଗୋବିନ୍ଦ ସୋରେନ ଓ ସେକ ଅମ୍ଜିତ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ସେକ୍ ଅମ୍ଜିତ୍ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ମ୍ୟାଚ ପାରାଦୀପ ସ୍ପୋର୍ଟିଂ ଓ ଚରମ୍ପା କ୍ରିକେଟ ଏକାଡେମୀ ମଧ୍ୟରେ ଖେଳା ଯାଇଥିଲା। ଟସ ଜିତି ପାରାଦୀପ ଦଳ ବ୍ୟାଟିଂ କରିଥିଲା। ଦଳ ୧୮ ଓଭରରେ ୭ ଉଇକେଟ ହରାଇ ୧୨୭ ରନ କରିଥିଲା। ଦଳର ସୌମ୍ୟ ରଞ୍ଜନ ସେନାପତି ୪୨, ସ୍ୱାଗତ ସାହୁ ୩୭ ଓ ବୁଟା ସିଂ ୨୭ ରନ କରିଥିବା ବେଳେ ଚରମ୍ପା ପକ୍ଷରୁ ସନ୍ତୋଷ ପରିଡା ୪ଟି, ହର୍ଷିତ ରାଠୋର ୨ଟି ଓ ପି. କେ ମହାରଣା ଗୋଟିଏ ଉଇକେଟ ନେଇଥିଲେ। ପରେ ବ୍ୟାଟିଂ କରି ଚରମ୍ପା ଦଳ ୧୬.୧ ଓଭରରେ ୪ ଉଇକେଟ ହରାଇ ୧୩୦ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦଳ ପକ୍ଷରୁ ଓମ୍ଶ୍ରୀ ଯାଦବ ୫୪, ରାଜେଶ ବଳ ୨୮ ଓ ଜ୍ୟୋତିରାଜ ମହାରଣା ୧୪ ରନ କରିଥିଲେ। ପାରାଦୀପ ପକ୍ଷରୁ ଏନ. ହାତୀ, କେ. ସିଂ ଓ ବି. ସିଂ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ସନ୍ତୋଷ ପରିଡାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ରିଜର୍ଭ ଇନିସ୍ପେକ୍ଟର ମନୋରଞ୍ଜନ ତରେଇ, କମଳାକାନ୍ତ ନାୟକ, ଜୀତେନ୍ଦ୍ର ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ ଗୁଡିକୁ ରଞ୍ଜନ ମହାନ୍ତି ଓ ଶରତ ଜେନା ଏବଂ କାଳନନ୍ଦୀ ପଣ୍ଡା ଅମ୍ପାୟାର ଭାବେ ପରିଚାଳନା କରିଥିଲେ। ଅସିତ ଦାସ ସ୍କୋରର ଥିଲେ।
