ଦ୍ୱିତୀୟ ପର୍ଯ୍ୟାୟ ପୋଲିଓ କାର୍ଯ୍ୟକ୍ରମ

ପୁରୀ:୧୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ପୋଲିଓ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସଦର ମୁଖ୍ୟ ଚିକିତ୍ସାଳୟ ଏମ୍ସିଏଚ୍ ବିଲ୍ଡିଂରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖାଇବାକୁ ଦିଆଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ହର ପଟ୍ଟନାୟକ, ଉପମୁଖ୍ୟ ଚିକିତ୍ସା ଅଧିକାରୀ ବ୍ରଜବନ୍ଧୁ ଦାସ ଓ ଭାସ୍କର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ପୋଲିଓ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାରେ ସମୁଦାୟ ୭୪୬ଟି ବୁଥ୍ ଖୋଲା ଯାଇଥିବା ବେଳେ ୨୮ଟି ଟ୍ରାଞ୍ଜିଟ୍ ବୁଥ୍ ଖୋଲାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ୯୨ଟି ପୋଲିଓ ବୁଥ୍ ଖୋଲାଯାଇଥିବା ବେଳେ ସିଂହଦ୍ୱାର, ଷ୍ଟେସନ, ବସଷ୍ଟାଣ୍ଡ ଓ ସମୁଦ୍ରକୂଳରେ ସ୍ୱତନ୍ତ୍ର ବୁଥ୍ ଖୋଲାଯାଇଥିଲା। ୨୯୮୪ଜଣ ଟିକା ଦାନ କାରୀଙ୍କୁ ଏହି ସବୁ ବୁଥ୍ରେ ନିୟୋଜିତ କରାଯାଇଥିବା ବେଳେ ୧୪୯ଜଣ ସୁପରଭାଇଜର ବୁଥ୍ ତଦାରଖ ଦାୟିତ୍ୱରେ ଥିଲେ। ଏତଦ୍ବ୍ୟତୀତ ୧୮ଟି ମୋବାଇଲ ପାର୍ଟି ଦ୍ୱାରା ମଧ୍ୟ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖାଇବାକୁ ଦିଆଯାଇଥିଲା। ସକାଳ ୬ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଶିଶୁମାନଙ୍କୁ ବୁଥ୍ରେ ପୋଲିଓ ବୁନ୍ଦା ଦିଆଯାଇଥିଲା। ଆସନ୍ତା ଶୁକ୍ରବାର ଓ ଶନିବାର ଟିକା ଦାନକାରୀମାନେ ଜିଲ୍ଲାର ଘରେ ଘରେ ବୁଲି ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖାଇବାକୁ ଦେବେ।

Leave a Reply

Your email address will not be published. Required fields are marked *