ଦ୍ୱିତୀୟ ଦିନରେ ବିଧାୟକଙ୍କ ଧାରଣା

କୋରାପୁଟ ; ତା୦୫-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ସେବା ନିମନ୍ତେ ଆବଶ୍ୟକୀୟ ଡାକ୍ତର ଏବଂ ପାରା ମେଡିକାମ କର୍ମଚାରୀ ନିଯୁକ୍ତି ନକରି ତରବରିଆ ଭାବେ ଜିଲା ମୁଖ୍ୟ ଚିକିତ୍ସାଳୟକୁ କୋରାପୁଟରୁ ଜୟପୁରକୁ ସ୍ଥାନାନ୍ତର କରିବା ପ୍ରତିବାଦରେ ଚାଲିଥିବା କୋରାପୁଟ ବିଧାୟକଙ୍କ ଧାରଣା ଦ୍ୱିତୀୟ ଦିନରେ ପହଂଚିଛି। ବିଧାୟକ କୃଷ୍ନଚନ୍ଦ୍ର ସଗରିଆ ଜିଲା ସ୍ୱାସ୍ଥ୍ୟ ବିଭାଗର ଏପରି ନିଷ୍ପତିକୁ କଟୁ ସମାଲୋଚନା କରିବା ସହ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ହଜାର ଜହାର ଲୋକଙ୍କ ଆବଶ୍ୟକକୁ ଅଣଦେଖା କରି ରାଜନୈତିକ ଚାପରେ ଏପରି ଭୁଲ ପଦକ୍ଷେପ ନେଇଥିବା ବିଧାୟକ ମନ୍ତବ୍ୟ ଦେଇଛନ୍ତି। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ନାଟକ ବନ୍ଦ ନକଲେ କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି। ରବିବାର ଏସଏଲଏନ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡା.କ୍ଷେତ୍ରବାସୀ ସୁବୁଦ୍ଧି ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା.କାଳି ପ୍ରସାଦ ବେହେରା ଧାରଣା ସ୍ଥଳକୁ ଯାଇ ଧାରଣା ପ୍ରତ୍ୟାହୃତ କରିବାକୁ ବିଧାୟକ ସଗରିଆଙ୍କୁ ଅନୁରୋଧ କରିଥିଲେ ମଧ୍ୟ ବିଧାୟକ ପ୍ରତ୍ୟାକ୍ଷାନ କରିଥିଲେ। ଜୟପୁରକୁ ସ୍ଥାନାନ୍ତର ପ୍ରକ୍ରିୟା ବନ୍ଦ କରିବା ସହ ବର୍ତମାନ ସୁଦ୍ଧା ଜୟପୁରକୁ ଯାଇଥିବା ସମସ୍ତ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କୁ ଫେରାଇ ଆଣିବା ଏବଂ ମେଡିକାଲ କଲେଜ ସମ୍ପୂର୍ଣ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ କୋରାପୁଟରେ ରଖିବା ପାଇଁ ଲିଖିତ ପ୍ରତିଶୃତି ଦେଲେ ସେ ଧାରଣାରୁ ଉଠିବେ ବୋଲି ସଗରିଆ ଶୁଣାଇବା ପରେ ଦୁଇ ଅଧୀକ୍ଷକ ଫେରି ଯାଇଥିଲେ।

କୋରାପୁଟ ଡିଏଚଏଚରୁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ଜୟପୁରକୁ ସ୍ଥାନାନ୍ତର ଘଟଣାକୁ ବିରୋଧ କରି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ୨ ଦିନ ହୋଇଥିବା ବେଳେ ଜୟପୁରକୁ ସ୍ଥାନାନ୍ତର ହୋଇଥିବା ଡାକ୍ତର ଓ ପାରାମେଡିକାଲ ଷ୍ଟାଫମାନଙ୍କୁ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଫେରାଇଆଣିବେ ବୋଲି କୋରାପୁଟ ଡିଏଚଏଚର ଅଧିକ୍ଷକ ଡାକ୍ତର କାଳି ପ୍ରସାଦ ବେହେରା ଓ କଲେଜ ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି ଧାରଣାସ୍ଥଲକୁ ଆସି ଆଲୋଚନା ସମୟରେ ପ୍ରକାଶ କରିଥିଲେ।କିନ୍ତୁ ବିଧାୟକ ଶ୍ରୀ ସଗରିଆ ଲିଖିତ ଆକାରରେ ସିଡିଏମଓଙ୍କ ଦସ୍ତଖତ ଥାଇ ଆଣିବାକୁ କହିବା ପରେ ୨ ଅଧିକାରୀ ଯାଇଥିଲେ ଓ ରାତ୍ରୀ ୭ଘ.୩୦ ମିନିଟ ସୁଦ୍ଧା ନ ଆସିବାରୁ ବିଧାୟକ ଓ ଅନ୍ୟାନ୍ୟ କଂଗ୍ରେସ ନେତା ଓ କର୍ମିମାନେ ଧାରଣାସ୍ଥଳରୁ ପଳେଇଯାଇଥିଲେ।୨ ଅଧିକାରୀଙ୍କ ଏପରି ମନୋଭାବ ପାଇଁ ବିଧାୟକ ଶ୍ରୀ ସଗରିଆ ଅସନ୍ତୋଷ ବ୍ୟକ୍ତ କରିଥିଲେ।ସେମାନେ ଲିଖିତ ଆକାରରେ ଦେଇଥିଲେ ଧାରଣା ପ୍ରତ୍ୟାହୃତ କରାଯାଇଥାନ୍ତା।ଆସନ୍ତାକାଲି ୩ ୟ ଦିନ ଧାରଣାରେ ଶତାଧିକ କଂଗ୍ରେସକର୍ମି ଯୋଗଦେବେ ବୋଲି ସେ ସୂଚନା ଦେଇଥିଲେ।ଦାବି ପୂରଣ ପାଇଁ କଂଗ୍ରେସକର୍ମିମାନେ ଜିଲ୍ଲାପାଳ ଅଫିସ ଘେରାଉ କରିବେ ବୋଲି ସେ ସୂଚନା ଦେଇଥିଲେ।କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୁପୁକ ତୁରୁକ ୨ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ କ୍ଷୁବ୍ଧ ହେବା ସହ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *