ଦ୍ୱିତୀୟ ଦିନରେ ଇଣ୍ଡିଆଗେଟରେ ଓଡିଶା ପର୍ବ ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ଓଡିଆ ସଂସ୍କୃତି ଓ ପରମ୍ପରାରେ ରହିଛି – ଧର୍ମେନ୍ଦ୍ର ପ୍ରଧାନ

– ଓଡିଆ ଖାଦ୍ୟ, ଓଡିଆ ହସ୍ତକଳା ଷ୍ଟଲରେ ପ୍ରବଳ ଭୀଡ
– ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କଲେ ଜନତା

ନୂଆଦିଲ୍ଲୀ ଭୁବନେଶ୍ୱର, ୧୦ ମାର୍ଚ୍ଚ (ଓଡ଼ିଆ ପୁଅ) – ନୂଆଦିଲ୍ଲୀର ଇଣ୍ଡିଆ ଗେଟଠାରେ ଓଡିଆ ପର୍ବର ଦ୍ୱିତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ଓଡିଆ ସଂସ୍କୃତି ଓ ପରମ୍ପରାର ମହକ କେବଳ ଜାତୀୟ ରାଜଧାନୀ ଦିଲ୍ଲୀ ନୁହେଁ ସମଗ୍ର ବିଶ୍ୱରେ ଯେଉଁଠି ଓଡିଆ ସମାଜ ଅଛି ଏହାକୁ ପ୍ରଦର୍ଶିତ କରିବାକୁ ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ସମବେତ ହଜାର ହଜାର ଜନସାଧାରଣଙ୍କୁ ଓଡିଶାର କୋଣ ଅନୁକୋଣରୁ ଆସିଥିବା ଅନନ୍ୟ ଓଡିଆ ଖାଦ୍ୟ ପେୟର ମଜା ନେବା ସହ ଓଡିଆ ନୃତ୍ୟ ଓ ସାଂସ୍କୃତିକ ମହାନତାକୁ ଅନୁଭବ କରିବାକୁ ଏକାଠି ହୋଇଥିବାରୁ ଆନ୍ତରିକ ସାଧୁବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଥିଲେ ଯେ ଓଡିଆ ଜାତିର ବୀରତ୍ୱ, ସ୍ୱାଭିମାନ ଓ ସଂସ୍କୃତି ସମଗ୍ର ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ରଖୁଛି। ଆଗାମୀ ଦିନରେ କେବଳ ଇଣ୍ଡିଆ ଗେଟ ନୁହେଁ ସ୍ୱାଧୀନତା ଦିବସର ରାଜଧାନୀର ଏହି ସମ୍ପୂର୍ଣ ରାସ୍ତା ଉପରେ ଦେଶର ନଜର ରହିବା ପରି ଆଗାମୀ ବର୍ଷ ମାନଙ୍କରେ ଓଡିଶା ପର୍ବର ବିଶାଳତା ସମଗ୍ର ଭାରତ ବର୍ଷକୁ ପ୍ରଭାବିତ କରିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓଡିଆ ମାନେ ଦିଲ୍ଲୀ ଓ ଦେଶ ବିଦେଶରେ ସେମାନଙ୍କର ସଫଳତାର ଅନୁଭବକୁ ଓଡିଶାକୁ ନେଇ ଓଡିଶାକୁ ଆହୁରି ସମୃଦ୍ଧ କରିବାକୁ ଆହ୍ୱାନ ଜଣାଇଛନ୍ତି। ଦେଶର ସବୁଠୁ ଆଗୁଆ ରାଜ୍ୟ ହେବା ପାଇଁ ଓଡିଶା ପାଖରେ ସବୁ ପ୍ରକାର ଉପାଦାନ ଅଛି ବୋଲି ସାଂସଦ ପଣ୍ଡା କହିଛନ୍ତି। ଦିଲ୍ଲୀର ସାଂସଦ ତଥା ବିଶିଷ୍ଟ ଭୋଜପୁରୀ ଗାୟକ ଓ ଅଭିନେତା ମନୋଜ ତିବାରୀ ଭୋଜପୁରୀ ଭାଷାରେ ଗୀତ ଗାଇ ଓଡିଆ ସଂସ୍କୃତି ଓ ପରମ୍ପରାର ଭୂୟସୀ ପ୍ରଶଂସା କରିଛନ୍ତି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ମଂଚରେ ପଦ୍ମଶ୍ରୀ ହଳଧର ନାଗ, ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ, ଅପରାଜିତା ମହାନ୍ତି ଓ ମିହିର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଇଣ୍ଡିଆ ଗେଟରେ ଓଡିଆ ଖାଦ୍ୟ, ହସ୍ତତନ୍ତ, ହସ୍ତକଳା ଷ୍ଟଲ ମାନଙ୍କରେ ପ୍ରବଳ ଜନ ଗହଳି ହୋଇଛି।

Leave a Reply

Your email address will not be published. Required fields are marked *