ଦେଶୀ ବିହନ ଓ ପାରମ୍ପରିକ ଚାଷ ଦେଖାଉଛି ରାସ୍ତା

ସମ୍ବଲପୁର, ୧୨/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚଳିତ ଖରିଫ ଋତୁରେ ହୋଇଥିବା ଧାନ ଫସଲରୁ ଚକଡ଼ା ବା ବିପିଏଚ ପୋକ ଯୋଗୁଁ ବ୍ୟାପକ ଫସଲହାନୀ ହୋଇଛି। ଉଚ୍ଚ ଅମଳକ୍ଷମ ଓ ହାଇବ୍ରିଡ଼ ବିହନ କରାଯାଇଥିବା ଧାନ ଫସଲରେ ପୋକ ଓ ରୋଗ ପ୍ରାଦୁର୍ଭାବରୁ ଚାଷୀମାନେ କ୍ଷତିରେ ପଡ଼ିଥିବା ବେଳେ ସ୍ଥାନୀୟ ବା ପାରମ୍ପରିକ ବିହନ ବ୍ୟବହାର କରି ଧାନ କରିଥିବା ଚାଷୀମାନେ ଆଶ୍ୱସ୍ତି ଅନୁଭବ କରୁଥିବା କୁହାଯାଉଛି। ଏହି ଚାଷୀମାନେ ପୋକ ପ୍ରାଦୁର୍ଭାବରୁ ଧାନକୁ ସୁରକ୍ଷିତ ରଖି ପାରିଛନ୍ତି। ସ୍ଥାନୀୟ ପାରମ୍ପରିକ ବିହନରେ ରୋଗ ଓ ପୋକ ପତିରୋଧକ ଶକ୍ତି ରହିଥିବାରୁ ଏହି ଚାଷୀମାନେ କ୍ଷତିରେ ପଡ଼ିନଥିବା କୁହାଯାଉଛି। ସମ୍ବଲପୁର ସହର ଉପକଣ୍ଠ ଧନକଉଡ଼ା ବ୍ଲକ ତାଲବ ଗ୍ରାମର ଯୁବଚାଷୀ ତଥା ସଂଗଠକ ଯୋଗେଶ ଭୋଇ ଦୁଇ ଏକଡ଼ ଜମିରେ ସ୍ଥାନୀୟ ଓ ୧୦ ଏକଡ଼ ଜମିରେ ବଜାରରୁ କିଣିଥିବା ଉଚ୍ଚ ଅମଳକ୍ଷମ ବିହନ ଜରିଆରେ ଖରିଫ ଧାନଚାଷ କରିଥିଲେ। ବଜାରରୁ କିଣିଥିବା ବିହନର ଧାନ ଫସଲରେ ପୋକ ଯୋଗୁଁ ଅତି କମ୍ ଅମଳ ହୋଇଥିବା ବେଳେ ସ୍ଥାନୀୟ ବିହନରୁ ଅମଳ ଠିକ୍ଠାକ୍ ରହିଛି। ଗତ କିଛି ବର୍ଷ ହେଲା ସେ ୨ ଏକଡ଼ ଜମିରେ ସ୍ଥାନୀୟ ବିହନ ଦ୍ୱାରା ଧାନଚାଷ କରି ନିଜ ଘରପାଇଁ ଚାଉଳ ଉତ୍ପାଦନ କରି ଆସୁଛନ୍ତି। ଏଥିପାଇଁ ଏକଡ଼ ପିଛା ୫ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିଥାନ୍ତି। ହେଲେ ଉଚ୍ଚ ଅମଳକ୍ଷମ ବିହନ ଜରିଆରେ ଚାଷ ହୋଇଥିବା ଜମିରେ କୀଟନାଶକ ଓ ସାର ପାଇଁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ଗାଁର ବ୍ୟୋମକେଶ ଠାକୁର, ତରଣୀ ଭୋଇ, ସୁରଥ ପ୍ରଧାନ, ବଲ୍ଲଭ ସାହୁ, ନିଗମାନନ୍ଦ ସାହୁ ପ୍ରମୁଖ ଚଳିତ ଖରିଫରେ ସ୍ଥାନୀୟ ବିହନ ବ୍ୟବହାର କରିଛନ୍ତି। ଏହି ପଦ୍ଧତିରେ ଚାଷ କରୁଥିବା ଚାଷୀଙ୍କୁ ସାର ପାଇଁ ମଧ୍ୟ ବିଶେଷ ଖର୍ଚ୍ଚ କରିବାକୁ ପଡ଼ୁନାହିଁ। ଏଥିପାଇଁ ଯେ କୌଣସି ପାଣିପାଗର ଚିନ୍ତା ମଧ୍ୟ କରିବାକୁ ପଡ଼ୁନାହିଁ। ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାର ପାରମ୍ପରିକ ବିହନ ଦ୍ୱାରା ଚାଷକୁ ଉତ୍ସାହିତ କରିବା ସକାଶେ ଚାଷୀନେତା ସରୋଜ କୁମାର ମହାନ୍ତି କହିଛନ୍ତି। ଏଥି ସହିତ ଜୈବିକ ଚାଷକୁ ମଧ୍ୟ ପ୍ରୋତ୍ସାହିତ କରିବା ସମୟ ଆସିଛି ବୋଲି ସେ କହିଥିଲେ। ସମ୍ବଲପୁର ସହିତ ବରଗଡ଼ ଜିଲ୍ଲାରେ ମଧ୍ୟ ପାରମ୍ପରିକ ଧାନ ଚାଷ କରିଥିବା ଚାଷୀମାନେ ଆଶ୍ୱସ୍ତିରେ ଥିବା ଜଣାପଡ଼ିଛି। ସୁନା ହରିଣ. କୁସୁମକଲି-୧, କୁସୁମକଳି-୨ କିସମର ପାରମ୍ପରିକ ଧାନ ବିହନର ଉପଯୋଗ ଏମାନଙ୍କୁ ସହାୟକ ହୋଇଛି। ଏଥିରେ ଉପାର୍ଜନ ମଧ୍ୟ ଠିକ୍ଠାକ ହୋଇଛି।

Leave a Reply

Your email address will not be published. Required fields are marked *