ଦେଶୀମଦ କାରବାରରେ ମଧ୍ୟସ୍ଥି ସାଜିଛନ୍ତି ଅବକାରୀ କର୍ମଚାରୀ!

ରାଉରକେଲା ୧୦ ଜୁଲାଇ (ଓଡ଼ିଆ ପୁଅ/ଶିବରାମ ପାତ୍ର):ରାଉରକେଲା ଯଦିଓ ସ୍ମାର୍ଟସିଟି ହୋଇ ସାରିଛି ତଥାପି ନିଶାର ଚକ୍ରବ୍ୟୁହରୁ ରାଉରକେଲା ଏବେ ବି ମୁକୁଳିପାରି ନାହିଁ। ଚାରିଆଡେ ବ୍ୟାପିବାରେ ଲାଗିଛି ନିଶାର ପସରା। ମଦ, ଗଂଜେଇ, ଦେଶୀମଦ, ଡ୍ରଗ ବ୍ରାଉନସୁଗାର ନିଶାରେ ମସୁଗୁଲ ହୋଇ ପଡ଼ିଛନ୍ତି ଯୁବପିଢୀ। ଅବୈଧ ମଦ କାରବାରକୁ ଅଙ୍କୁଶ ଲଗାଇବାରେ ଅବକାରୀ ଓ ପୁଲିସ ବିଭାଗ ଉଦ୍ୟମ ନିଷ୍ପଳ ହୋଇପଡିଥିବା ବେଳେ, ମଦ ବ୍ୟବହାର ବନ୍ଦ କରିବାକୁ ଉପଯୁକ୍ତ ଜନସଚେତନତା ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ସହରରେ ବଢିବାରେ ଲାଗିଛି ଚୋରା ଦେଶୀମଦ କାରବାର। ଏହି କାରବାରକୁ ପରୋକ୍ଷରେ କିଛି ଅସାଧୁ ଅବକାରୀ କର୍ମଚାରୀ ପ୍ରଶୟ ଦେଉଥିବା ଏକ ବିଶେଷ ଅନୁସନ୍ଧାନରୁ ଜାଣିବାକୁ ମିଳିଛି। ଜଣେ ଅବକାରୀ କର୍ମଚାରୀ ବସ୍ତିରେ ଚାଲୁଥିବା ମଦବେପାରରେ ମଧ୍ୟସ୍ଥି ସାଜିଥିବା ସହର ସାରା ଆଲୋଚନା ହେଉଛି। ଏହି କର୍ମଚାରୀଙ୍କ ପ୍ରତି ଅବକାରୀ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏହି ଅବକାରୀ କର୍ମଚାରୀ ଜଣଙ୍କ ନୟାବଜାର ଉତ୍ତମ ବସ୍ତିରେ ଦେଶୀ ମଦକାରବାରକୁ ପରୋକ୍ଷରେ ନିୟନ୍ତ୍ରଣ କରିଥାନ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି। ବେଳ ପଡ଼ିଲେ କିଛି ମଦଭାଟିରେ ବସି ପଡ଼ି ମଦ୍ୟପାନ କରନ୍ତି। ସେହି ସମୟରେ ଯଦି ଚଡଉ ପାଇଁ ଅବକାରୀ ବିଭାଗ ଭ୍ୟାନ ପହଂଚେ, ତାର ଆଗୁଆ ସୂଚନା ମଦବେପାରୀ ମାନଙ୍କୁ ଏହି କର୍ମଚାରୀ ଜଣଙ୍କ ଜଣାଇଦିଅନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ରାଉରକେଲା ସହରର ପ୍ରାୟ ୬୦ରୁ ଉର୍ଦ୍ଧ ବସ୍ତିରେ ଦେଶୀ ମଦକାରବାର ନିଜର କାୟା ବିସ୍ତାର କରିଛି। ଗୋପବନ୍ଧୁପାଲୀ, ଟିମ୍ବର କଲୋନୀ, ଉତମ ବସ୍ତି, ଗିରିଧାରୀ ପଡ଼ା, ରାମେଶ୍ୱରପାଲ୍ଲୀ, ଶିତଳପଡ଼ା, ଖଡ଼ିଆପଡ଼ା, ଟୁଙ୍ଗୁରିଟୋଲା, ପାକିସ୍ଥାନ କଲୋନୀ ଓ ଆହୁରି କିଛି ବସ୍ତିରେ ଦିନରାତି ମଦ କାରବାର ଚାଲୁଛି। ମାସରେ କାଁଭାଁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଉଥିଲେ ସୁଦ୍ଧା ପରବର୍ତି ଅବସ୍ଥା ମଦବେପାରୀ ଜାମିନରେ ଆସି ପୁଣି ମଦବେପାରରେ ଲିପ୍ତ ରହୁଛନ୍ତି। ଏଣୁ ଅବୈଧ ଦେଶୀମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *