ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରର ଶୁଭାରମ୍ଭ

– ନୂଆଦିଲ୍ଲୀରେ ପ୍ରଥମ କେନ୍ଦ୍ରକୁ ଉଦଘାଟନ କଲେ ରାଜନାଥ ସିଂହ ଓ ଧର୍ମେନ୍ଦ୍ର ପ୍ରଧାନ
– ସ୍ମାର୍ଟସିଟିମାନଙ୍କରେ ଦକ୍ଷତା ବିକାଶ ସକାଶେ କାର୍ଯ୍ୟକରିବ ଏହି କେନ୍ଦ୍ର

ନୂଆଦିଲ୍ଲୀ ୨୩-୧୦ (ଓଡ଼ିଆ ପୁଅ) ସହଯୋଗ ଭିତିରେ କୌଶଳ ବୃଦ୍ଧି ସକାଶେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ତଥା କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର (ପିଏମକେକେ) ଉଦଘାଟନ କରିଛନ୍ତି। ଦେଶର ସ୍ମାର୍ଟସିଟିମାନଙ୍କରେ ଦକ୍ଷତା ବିକାଶ ସକାଶେ ଏହି କେନ୍ଦ୍ର କାର୍ଯ୍ୟକରିବ। ନୂଆଦିଲ୍ଲୀ ପୌର ପରିଷଦ (ଏନଡ଼ିଏମସି)ର ସହଯୋଗରେ ଏହି କେନ୍ଦ୍ର ନୂଆଦିଲ୍ଲୀଠାରେ ସ୍ଥାପନ କରାଯାଇଛି। ଏହା ବ୍ୟତୀତ ଉଭୟ ମନ୍ତ୍ରୀ ଆଜି ମୋତିବାଗ ଠାରେ କୌଶଳ ବିକାଶ କେନ୍ଦ୍ର ଏବଂ ଧରମ ମାର୍ଗ ଠାରେ ଏକ ଉତ୍କର୍ଷ କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି।

ଭାରତ ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ସହ ତାଳମେଳ ରଖି ଏହି ନୂତନ କୌଶଳ ବିକାଶ କେନ୍ଦ୍ରଗୁଡ଼ିକ କେନ୍ଦ୍ର ସହରାଂଚଳ ବ୍ୟାପାର ଓ ଗୃହନିର୍ମାଣର ସମସ୍ତ ପ୍ରତିଶ୍ରୁତିକୁ ସାକାର କରିବା ଦିଗରେ କାର୍ଯ୍ୟକରିବ। କୌଶଳ ବିକାଶ ଓ ଉଦେ୍ଦ୍ୟାଗ ମନ୍ତ୍ରଣାଳୟ ସ୍ମାର୍ଟ ସିଟିଗୁଡ଼ିକୁ ସମସ୍ତ ପ୍ରକାର କୌଶଳଜନିତ ସହଯୋଗ ଯୋଗାଇଦେବ। ଜାତୀୟ କୌଶଳ ବିକାଶ ନିଗମ (ଏନଏସଡ଼ିସି) ଯାହାକି ଏମଏସଡ଼ିଇର ଏକ କାର୍ଯ୍ୟାନ୍ୱୟନ ଶାଖା, ତାହା ନୂଆଦିଲ୍ଲୀ ପୌର ପରିଷଦ ସ୍ମାର୍ଟ ସିଟି ଲିମିଟେଡ଼ ସହ ଏଥିନିମନ୍ତେ ସହଯୋଗରେ ଅନୁବନ୍ଧିତ ହୋଇଛି। ଏହା ମାଧ୍ୟମରେ ସ୍ମାର୍ଟ ସିଟିମାନଙ୍କରେ ପିଏମକେକେ କେନ୍ଦ୍ରମାନ ସ୍ଥାପନ କରାଯିବ ଯାହାକି ବେକାର ଯୁବକଯୁବତୀ ମାନଙ୍କୁ ସ୍ୱଳ୍ପକାଳୀନ କୌଶଳ ତାଲିମ ମଡ଼୍ୟୁଲ୍ ଯୋଗାଇଦେବ। ଏହା ପୌର କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧିପାଇବ ଯାହାକି ପ୍ରାକ୍ ଅଧ୍ୟୟନ ସ୍ୱୀକୃତି କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟେରେ ସାଂସଦ ଶ୍ରମତୀ ମୀନାକ୍ଷୀ ଲେଖି, ଏନଡ଼ିଏମସିର ଅଧ୍ୟକ୍ଷ ଶ୍ରୀ ନରେଶ କୁମାର, ଏନଡ଼ିଏମସିର ଉପାଧ୍ୟକ୍ଷ ଶ୍ରୀ କରଣ ସିଂହ, ବିଧାୟକ ତଥା ଏନଡ଼ିଏମସିର ସଦସ୍ୟ ଶ୍ରୀ ସୁରେନ୍ଦ୍ର ସିଂହ ଏବଂ ଏମୟୁଏଚଏ, ଏମଏସଡ଼ିଇ, ଏନଏସଡ଼ିସି ଏବଂ ଏନଡ଼ିଏମସିର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ।

ଏହି କୌଶଳ ବିକାଶ କେନ୍ଦ୍ରକୁ ଉଦ୍ଘାଟନ କରି ଶ୍ରୀ ରାଜନାଥ ସିଂହ କହିଲେ ଯେ ଭାରତ ଏକ ଯୁବ ରାଷ୍ଟ୍ର ଭାବେ ଗୌରବର ଅଧିକାରୀ ହୋଇଛି। ଏହାର ଜନସାଂଖ୍ୟିକ ସାମର୍ଥ୍ୟ ୨୦୩୦ ମସିହା ସୁଦ୍ଧା ବିଶ୍ୱରେ ଏହାକୁ ଏକ ମହାନଶକ୍ତି ଏବଂ ଶ୍ରେଷ୍ଠ ତିନିଟି ରାଷ୍ଟ୍ରମଧ୍ୟରୁ ଅନ୍ୟତମ ଭାବେ ସୁପ୍ରତିଷ୍ଠିତ କରିପାରିବ। ଏହି ଲକ୍ଷ୍ୟ ହାସଲ କରିବାର ମୁଖ୍ୟ ଉପାୟଟି ହେଲା ଆମର ଯୁବଶକ୍ତିଙ୍କୁ କୁଶଳୀ ଏବଂ ଦକ୍ଷ କରିବା। କୁଶଳୀ ବ୍ୟକ୍ତି ସର୍ବତ୍ର ସମ୍ମାନ, ସ୍ୱୀକୃତି ଏବଂ ଗୌରବ ଲାଭ କରିଥାଏ। କାରଣ କଠିନ ପରିଶ୍ରମ କରିବାର ସାମର୍ଥ୍ୟ ତାକୁ ଏହି ଗୌରବର ଅଧିକାରୀ କରାଇଥାଏ। ତେଣୁ ଏଭଳି କୌଶଳ ବିକାଶ କେନ୍ଦ୍ର ମାନ ପ୍ରତିଷ୍ଠା କରି ଦେଶର ଯୁବଶକ୍ତିଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଏବଂ ସେମାନଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନ କରି ସ୍ୱାବଲମ୍ବୀ କରାଯିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଶ୍ରୀ ସିଂହ ଦୃଢ଼ ମତ ପୋଷଣ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ସହଯୋଗ ହେଉଛି ସମୟର ଆବଶ୍ୟକତା ଏବଂ ଦେଶରେ ପୋଷଣୀୟ ଏବଂ ସମାବେଶୀ ବିକାଶକୁ ଏହା ପ୍ରୋତ୍ସାହନ ଯୋଗାଇବ। ଆଜିର ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦୁଇଟି ସର୍ବୋତ୍କୃଷ୍ଟ ପ୍ରକଳ୍ପ- ସ୍କିଲ ଇଣ୍ଡିଆ ମିଶନ୍ ଏବଂ ସ୍ମାର୍ଟ ସିଟି ମିଶନ ମଧ୍ୟରେ ସମନ୍ୱୟ ଓ ସହଯୋଗର ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ ଆଶାପୋଷଣ କରିଥିଲେ। ସଫଳ ବିକାଶ ନିମନ୍ତେ କୁଶଳୀ ମାନବ ସମ୍ବଳର ଯଥେଷ୍ଟ ଆବଶ୍ୟକତା ରହିଛି ବିଶେଷ କରି ବୃହତ୍ ଏବଂ ସ୍ମାର୍ଟ ସିଟିମାନଙ୍କରେ ଏହା ସଫଳତାର ସହ ପ୍ରୟୋଗ କରାଯାଇପାରିବ। କୌଶଳ ତାଲିମ ଦ୍ୱାରା ଏଭଳି ଶ୍ରମଶକ୍ତିଙ୍କୁ ଆମେ ସ୍ୱୀକୃତି ଓ ସମ୍ମାନ ପ୍ରଦର୍ଶନ କରିପାରିବା ବୋଲି ସେ ମତପୋଷଣ କରିଥିଲେ।

ଏହି ଅବସରରେ ବିଶେଷ ଅତିଥିଭାବେ ଯୋଗ ଦେଇ ଲୋକସଭା ସଦସ୍ୟା ଶ୍ରୀମତୀ ମୀନାକ୍ଷୀ ଲେଖି କହିଲେ ଯେ ଉଭୟ ମନ୍ତ୍ରଣାଳୟଙ୍କ ଏଭଳି କାର୍ଯ୍ୟ ପ୍ରଶଂସନୀୟ ଏବଂ ଏନଏସଡ଼ିସି ଏବଂ ଏନଡ଼ିଏମସି ଭଳି ନୋଡ଼ାଲ ଏଜେନନ୍ସିମାନଙ୍କ ମାଧ୍ୟମରେ ସମାନ ବିକାଶ ଓ ଉନ୍ନତିକୁ ସାକାର କରିବା ଦିଗରେ ସେମାନେ କାର୍ଯ୍ୟକରିବେ। ଏଭଳି କେନ୍ଦ୍ର ଯୁବକଯୁବତୀମାନଙ୍କୁ ଗୁଣାତ୍ମକ କୌଶଳ ତାଲିମ ପ୍ରଦାନ ମାଧ୍ୟମରେ ସେମାନଙ୍କୁ କର୍ମନିଯୁକ୍ତିକ୍ଷମ ଓ ରୋଜଗାରକ୍ଷମ କରାଯାଇପାରିବ। ଦେଶରେ ସ୍ମାର୍ଟ ସିଟି ପ୍ରକଳ୍ପକୁ ସାକାର କରିବା ଦିଗରେ ଏହା ବିଶେଷ ଭାବେ ସହାୟକ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଏନଡ଼ିଏମସିର ଅଧ୍ୟକ୍ଷ ଶ୍ରୀ ନରେଶ କୁମାର କହିଲେ ଯେ ଜାତୀୟ କୌଶଳ ବିକାଶ ଅଭିଯାନ ଭାରତ ବିକାଶ ଦିଗରେ ଏକ ମାଇଲଖୁଂଟ ଭାବେ ବିବେଚିତ ହେବ। କୌଶଳ ବିକାଶ ମାଧ୍ୟମରେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଏବଂ ବିକାଶ ପ୍ରକ୍ରିୟାକୁ ପ୍ରଖର କରିବା ସମ୍ଭବପର ହୋଇପାରିବ ବୋଲି ସେ ମତପୋଷଣ କରିଥିଲେ।

ଏନଡ଼ିଏମସିର ସାଧନକୁ ଉପଯୋଗ କରି ନୂତନ ଭାବେ ପ୍ରତିଷ୍ଠିତ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ତାର କୌଶଳ ତାଲିମ ପ୍ରଦାନ ଅଭିଯାନକୁ ସାକାର କରିପାରିବ। ନୂଆଦିଲ୍ଲୀର ମନ୍ଦିରମାର୍ଗଠାରେ ପ୍ରତିଷ୍ଠିତ ଏହି ଏନଡ଼ିଏମସି-ପିଏମକେକେ କେନ୍ଦ୍ର ସ୍ମାର୍ଟସିଟିର କୌଶଳ ବିକାଶ ଦିଗରେ ଏକ ଅଭିନବ ପ୍ରୟାସ ଏବଂ ୩୦, ୦୦୦ବର୍ଗମିଟର ପରିମିତ କ୍ଷେତ୍ରରେ ପ୍ରତିଷ୍ଠା କରାଯାଇଛି। ଏହି କେନ୍ଦ୍ରରୁ ପ୍ରତିବର୍ଷ ପ୍ରାୟ ୪୦୦୦ ଯୁବକ କୌଶଳ ବିକାଶ ତାଲିମ ପାଇପାରିବେ। ସ୍ୱାସ୍ଥ୍ୟସେବା ଏବଂ ସୌରଶକ୍ତି ସେକ୍ଟରର ଆବଶ୍ୟକତା ପୂରଣ କରିବା ସହ ଏନଏସଡ଼ିସିର ଏକ ତାଲିମ ସହଯୋଗୀ ଓରିଅନ୍ ଇଡ଼ୁଟେକ୍ ଦ୍ୱାରା ଏହା ପରିଚାଳିତ ହେବ। ଏହା ଦେଶର ୨୭୫ଟି କୌଶଳ ତାଲିମ କେନ୍ଦ୍ର ମାଧ୍ୟମରେ ଏବେସୁଦ୍ଧା ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ୱ ଯୁବକଙ୍କୁ ତାଲିମ ପ୍ରଦାନ କରିସାରିଛି।ଏହି ଅବସରରେ ସ୍ନେଡ଼ର ଇଲେକ୍ଟ୍ରିକ ଦ୍ୱାର ଏକ ସୌରଶକ୍ତିଚାଳିତ ପରୀକ୍ଷାଗାରର ଶୁଭାରମ୍ଭ କରାଯାଇଥିଲା।

Leave a Reply

Your email address will not be published. Required fields are marked *