ଦେବଗଡ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ଦେବଗଡ, ୨୧-୦୮ (ଓଡ଼ିଆ ପୁଅ) – ଦେବଗଡ଼ ଜିଲ୍ଲା ଯୋଜନା କମିଟିର ବୈଠକ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ କମିଟିର ଅଧ୍ୟକ୍ଷା ତଥା ରାଜ୍ୟ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀମତୀ ଛୁରିଆ ଦେବଗଡ ଛୋଟ ଜିଲ୍ଲା ହେଲେ ମଧ୍ୟ ସଂସ୍କୃତି ଓ ଐତିହ୍ୟର ଗନ୍ତାଘର ବୋଲି କହିଥିଲେ। ଏହି ଜିଲ୍ଲାର ସାମଗ୍ରୀକ ବିକାଶ ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ଓ ଲୋକପ୍ରତିନିଧିମାନଙ୍କର ଉପଯୁକ୍ତ ସମ୍ମନ୍ୱୟ ରକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଫଳରୂପାୟନ ନିମନ୍ତେ ଅଧିକାରୀମାନେ ଅଧିକ କ୍ରିୟାଶୀଳ ହେବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ଦେବଗଡ ଜିଲ୍ଲା ପାଇଁ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ୪ ଶହ ୩୫ କୋଟି ୯୭ ଲକ୍ଷ ୪୨ ହଜାର ଟଙ୍କାର ପ୍ରସ୍ତାବିତ ଯୋଜନା ଚିଠା ଅନୁମୋଦନ କରାଯାଇଥିଲା। ସେଥିମଧ୍ୟରୁ ଗ୍ରାମାଂଚଳର ବିକାଶ ନିମନ୍ତେ ୩୮୫ କୋଟି ୨୯ ଲକ୍ଷ ୧୭ ହଜାର ଟଙ୍କା ଉଦ୍ଦିଷ୍ଟ ଥିବାବେଳେ ସହରାଂଚଳ ବିକାଶ ନିମନ୍ତେ ୫୦ କୋଟି ୬୮ ଲକ୍ଷ ୨୫ ହଜାର ଟଙ୍କାର ବ୍ୟୟ ଅଟକଳ ବିଭିନ୍ନ କ୍ଷେତ୍ର ନିମନ୍ତେ ଅନୁମୋଦନ କରାଯାଇଛି। ଏହା ବ୍ୟତୀତ ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ସଡକ ଓ ଜଳସେଚନ କ୍ଷେତ୍ର ପାଇଁ ସମୁଦାୟ ୨୮୫ ଟି ପ୍ରକଳ୍ପ ନିମନ୍ତେ ୬ କୋଟି ୮୫ ଲକ୍ଷ ୮୭ ହଜାର ୫୫୧ ଟଙ୍କାର ଅନୁଦାନ ଉପରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା। ସେଥିମଧ୍ୟରୁ ଗମନା ଗମନ ସୁବିଧା ପାଇଁ ସଡକ ନିର୍ମାଣ ନିମନ୍ତେ ୨୪୮ ଟି ପ୍ରକଳ୍ପ ପାଇଁ ୫ କୋଟି ୯୩ ଲକ୍ଷ ୯୭ ହଜାର ୫୫୧ ଟଙ୍କା ଅନୁମୋଦନ କରାଯାଇଥିବାବେଳେ ୩୭ ଟି ଜଳସେଚନ ପ୍ରକଳ୍ପ ନିମନ୍ତେ ୯୧ ଲକ୍ଷ ୯୦ ହଜାର ଟଙ୍କା ଅନୁମୋଦନ କରାଯାଇଛି।

ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁଧାମୟୀ ପଟେଲ, ଉପାଧ୍ୟକ୍ଷ ଜୟକୃଷ୍ଫ ପ୍ରଧାନ, ସାଂସଦ ପ୍ରତିନିଧି ସୁଜିତ ପ୍ରଧାନ, ବିଧାୟକ ପ୍ରତିନିଧି ରଞିତ ପଟେଲଙ୍କ ସମେତ ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟା, ଯୋଜନା କମିଟିର ସଦସ୍ୟ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଯୋଗଦେଇଥିଲେ। ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଭିନସେଣ୍ଟ ପୂନମ କାନ୍ତ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *