ଦେବଗଡ : ଜିଲ୍ଲାପାଳଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଦେବଗଡ ୨୩-୮ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) ଦେବଗଡ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପଗୁଡିକର କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଯତ୍ନବାନ ହେବାପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା, ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତକର୍ମନିଯୁକ୍ତି ଯୋଜନା, ଚର୍ତୁଃଦଶ କେନ୍ଦ୍ର ଅର୍ଥ କମିଶନ ଓ ୪ର୍ଥ ରାଜ୍ୟ ଅର୍ଥ କମିଶନ ପାଣ୍ଠି ବିନିଯୋଗ, ଆମ ଗାଁ ଆମ ବିକାଶ, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଅଙ୍ଗନବାଡିକେନ୍ଦ୍ର ନିର୍ମାଣ ଏବଂ ନୂତନ ଭାବେ ଗଠିତ ପଂଚାୟତଗୁଡିକର କାର୍ଯ୍ୟାଳୟ ଗୃହ ନିର୍ମାଣ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ଜିଲ୍ଲାପାଳ ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା ଏବଂ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ବକେୟା ଥିବା ୪୭୧୯ ଟି ଘରର ନିର୍ମାଣ କାର୍ଯ୍ୟ ଡିସେମ୍ବର ମାସ ଶେଷ ସୁଦ୍ଧା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମହାତ୍ମାଗାନ୍ଧି ଜାତୀୟ ନିଶ୍ଚିତକର୍ମନିଯୁକ୍ତି ଯୋଜନାରେ ବୃକ୍ଷରୋପଣ, ପ୍ରଧାନମନ୍ତ୍ରୀ କ୍ରିଷି ସିଂଚାଇ ଯୋଜନା, ସବୁଦିନିଆ ରାସ୍ତା ନ ଥିବା ଗ୍ରାମକୁ ଗମନା ଗମନର ସୁବିଧା ନିମନ୍ତେ ରାସ୍ତା ନିର୍ମାଣ, ପ୍ରତ୍ୟେକ ପଂଚାୟତରେ ଖେଳପଡିଆ ଏବଂ ନଳକୂପ ଖନନ ଆଦି ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଚର୍ତୁଃଦଶ କେନ୍ଦ୍ର ଅର୍ଥ କମିଶନ ଓ ୪ର୍ଥ ରାଜ୍ୟ ଅର୍ଥ କମିଶନରୁ ମିଳିଥିବା ପାଣ୍ଠିର ଶୀଘ୍ର ବିନିଯୋଗ କରି ସେପ୍ଟେମ୍ବର ମାସ ସୁଦ୍ଧା ସୈାରଚାଳିତ ରାସ୍ତାପାର୍ଶ୍ୱ ଆଲୋକିକରଣ ବ୍ୟବସ୍ଥା ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ୨୦୧୭-୧୮ ଆର୍ଥିକ ବର୍ଷରେ ଅସଂପୂର୍ଣ୍ଣ ଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକର ନିର୍ମାଣ କାର୍ଯ୍ୟ ଡିସେମ୍ବର ମାସ ସୁଦ୍ଧା ସମାପ୍ତ କରି ସିଡିପିଓଙ୍କୁ ହସ୍ତାନ୍ତର କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ତାଗିଦ୍ କରିଥିଲେ। ଆମ ଗାଆଁ ଆମ ବିକାଶ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଞୁର କରାଯାଇଥିବା ପ୍ରକଳ୍ପଗୁଡିକ ସେପ୍ଟେମ୍ବର ମାସ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ନୂତନ ଭାବେ ଗଠିତ ୧୦ ଟି ପଂଚାୟତର କାର୍ଯ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ କହିଥିଲେ। ସମୀକ୍ଷା ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଆସନ୍ତା ଅକ୍ଟୋବର ୨ ତାରିଖରୁ କାର୍ଯ୍ୟକାରୀ କରାଯାଉଥିବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ସରକାରଙ୍କ ନିର୍ଦ୍ଦିଷ୍ଟ ମାପଦଣ୍ଡ ଓ ସମୟସୀମା ମଧ୍ୟରେ ହିତାଧିକାରୀ ଚୟନ ଉପରେ ଗୁରୁତ୍ୱାରୋପ କରିବା ସଂଗେ ସଂଗେ ଯେପରି କୈାଣସି ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ନ ପଡନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ, ଭିନସେଣ୍ଟ ପୂନମ କାନ୍ତ ଏକ୍କା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ବୈଷୟିକ) ନିହାର ରଞନ ଦାଶ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଗଜେନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକର ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଂଚାୟତ ନିର୍ବାହୀ ଅଧିକାରୀ, ପୈାର ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରି ପ୍ରକଳ୍ପ ନିର୍ଦ୍ଦେଶକ ବୃନ୍ଦ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *