ଦେଢ ଲକ୍ଷ ଟଙ୍କାର ଗଂଜେଇ ଜବତ, ଦୁଇ ଗିରଫ

ରାଉରକେଲା ୨-୧୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲା ଗୋପବନ୍ଧୁପାଲ୍ଲୀ ରାସ୍ତା ନିକଟରୁ ପ୍ଲାଟଂସାଇଟ ପୁଲିସ ଦେଢ ଲକ୍ଷ ଟଙ୍କାର ଗଂଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଦୁଇଜଣ ହେଲେ ବୀର ବାହଦୂର ତନ୍ତୀ ଓ ବିହାର ଅଂଚଳର ନାଜିର ଅହମ୍ମଦ। ସେମାନଙ୍କ ଠାରୁ ତିନୋଟି ବସ୍ତାରେ ଥିବା ୩୮ କିଲୋଗ୍ରାମ ୬୯୦ ଗ୍ରାମ ଓଜନର ଗଂଜେଇ ଜବତ କରାଯାଇଛି। ଧରାପଡିଥିବା ବୀରମ ବାହାଦୂର ଷ୍ଟେସନରେ କୁଲି କମେ କରି ପେଟ ପୋଷୁଥିବା ବେଳେ ନାଜିର ମାଲଗୋଦାମ ଅଂଚଳରେ ବହୁ ଦିନରୁ ପରିବା ବେପାର କରୁଛି। ତେଣୁ ଏହି ଦୁଇଜଣ ଚୋରା ଗଂଜେଇ ବୋହି ଫସିଥିବା ବେଳେ କିଙ୍ଗ ପିନ୍ ଚମ୍ପଟ ମାରିଥିବା କୁହାଯାଉଛି। ପ୍ଲାଟଂ ସାଇଟ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ସୂଚନା ଅନୁସାରେ ଟ୍ରେନରେ କୋରାପୁଟରୁ ରାଉରକେଲା ଗଂଜେଇ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ତାଙ୍କୁ ଆଗୁଆ ଖବର ମିଳିଥିଲା। ଏହାକୁ ଆଧାର କରି ଥାନାର ଏକ ସ୍ୱତନ୍ତ୍ର ଟିମ୍ ସାଦା ପୋଷାକରେ ଷ୍ଟେସନ ନିକଟରେ ପଇଁତରା ମାରୁଥିଲେ। ଷ୍ଟେସନରେ ବଗି ରହିବା ପରେ ଅଭିଯୁକ୍ତ ଦୁହେଁ ନିର୍ଦ୍ଦିଷ୍ଟ ବଗିରୁ ସନ୍ଦିଗ୍ଧ କିଙ୍ଗଫିନଙ୍କ ଠାରୁ ଚୋରା ଗଂଜେଇ ବସ୍ତା ଆଣିଥିଲେ। ତାହାକୁ ବୋହି ସେମାନେ ଗୋପବନ୍ଧୁପାଲ୍ଲୀ ଆଡକୁ ଯାଉଥିବା ବେଳେ ପୁଲିସ ଟିମ୍ ସେମାନଙ୍କୁ ରାସ୍ତା ମଝିରେ କାବୁ କରି ନେଇଥିଲା। ଗିରଫ ଅଭିଯୁକ୍ତ ଦୁଇଜଣ ଦୀର୍ଘ ୭ ମାସ ହେଲା ଏହି ଚୋରା ଗଂଜେଇ କାରବାର କରି ଆସୁଥିଲେ ବୋଲି ପୁଲିସ ଜେରା କାଳରେ ପ୍ରକାଶ କରିଛନ୍ତି। ଏତେ ବ୍ୟାପକ ପରିମାଣର ଗଂଜେଇ ଧରିବା ରାଉରକେଲା ପୁଲିସର ଏକ ବଡ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *