ଦେଉଳବେଡ଼ା କଲୋନୀ କ୍ୱାର୍ଟରରେ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବାର ଅଭିଯୋଗ

ତାଳଚେର,୪/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍.ସି.ଏଲ.ର ତାଳଚେରସ୍ଥିତ ଦେଉଳବେଡ଼ା କଲୋନୀ କ୍ୱାର୍ଟରରେ ଯାବତୀୟ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଥିବାର ଓଡ଼ିଶା କୋଲଫିଲଡ଼ସ ୱାର୍କରସ ୟୁନିୟନ(ସିଟୁ) ର ସାଧାରଣ ସମ୍ପାଦକ ଆନନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଥାନାରେ ଅଭିଯୋଗ କରିଛନ୍ତି । ଶ୍ରୀ ଆଚାର୍ଯ୍ୟଙ୍କ କହିବାନୁଯାୟୀ ସେ ଦେଉଳବେଡ଼ା କଲୋନୀ ୱେଲଫେୟାର ବିଲଡିଂରେ ଦୀର୍ଘ ୧୪ବର୍ଷ ହେବ ରହି ଆସୁଛନ୍ତି । ତାଙ୍କ କ୍ୱାର୍ଟର ପାଖକୁ ଅନ୍ୟ ଏକ କ୍ୱାର୍ଟର ରହିଛି । ଯାହାକି ନନ୍ଦିରା କୋଲିୟରୀରେ କାର୍ଯ୍ୟରତ ହରମୋହନ ପ୍ରଧାନ ନାମକ କର୍ମଚାରୀଙ୍କ ନାମରେ ରହିଛି । ଶ୍ରୀ ପ୍ରଧାନଙ୍କ ନିଜ ଘର ନରହରିପୁରର ଡିମିରିଆ ଗ୍ରାମରେ ହୋଇଥିବା ବେଳେ ବିଗତ ୧୦ବର୍ଷ ହେଲା ସେ ଉକ୍ତ କ୍ୱାର୍ଟରରେ ନରହି ଭଡ଼ାସୂତ୍ରରେ ଦେଇଛନ୍ତି । ତେବେ ବର୍ତମାନ ଉକ୍ତ କ୍ୱାର୍ଟରରେ ବିଭିନ୍ନ ପ୍ରକାରର ଗଞ୍ଜେଇ,ଅଫିମ,ମଦ,ବେଶ୍ୟା ବୃତି ଆଦି କାରବାର ଚାଲୁଥିବାର ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକ ଆର,ବି,ରିଙ୍ଗେଙ୍କୁ ଶନିବାର ଦିନ ଜଣାଇଥିଲେ । ଶ୍ରୀ ରିଙ୍ଗେ କ୍ଷେତ୍ରର ଏପିଏମ୍ ଜି.ବି.ମହାପାତ୍ରଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ କହିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଅଦ୍ୟାବଧି କୈାଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଏହାର ଫାଇଦା ନେଇ ରବିବାର ଦ୍ୱିପହର ସମୟରେ ୧୦/୧୨ଜଣ ଯୁବକଙ୍କ ସହ ଏକ ଯୁବତୀ ଉକ୍ତ କ୍ୱାର୍ଟରକୁ ଯାଇଥିଲେ । ଶ୍ରୀ ଆଚାର୍ଯ୍ୟ ଏହାର ପ୍ରତିବାଦ କରିବାରୁ ସେମାନେ ଯୁକ୍ତିତର୍କ କରିଥିଲେ । ସେମାନଙ୍କ ସହ ଲାଗିଲେ ଜୀବନରୁ ମାରିବାକୁ ଧମକ ମଧ୍ୟ ଦେଇଥିଲେ । ଏ ସମ୍ପର୍କରେ ଶ୍ରୀ ଆଚାର୍ଯ୍ୟ ଏମ୍.ସି.,ଲ ଡି.ପି,ଲିଙ୍ଗରାଜ ଜି.ଏମ୍ ରିଙ୍ଗେ,ଜେ.ବି.ସି.ସି.ଆଇ ସଦସ୍ୟ ଡିଡି ରାମାନନ୍ଦନ,ଅନୁଗୋଳ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ତାଳଚେର ଏସ୍.ଡି.ପି.ଓ ପ୍ରମୁଖଙ୍କୁ ହ୍ୱାଟସ ଆପ ମାଧ୍ୟମରେ ଜଣାଇବା ପରେ ଅତିରିକ୍ତ ଏସପି ତାଙ୍କୁ କୋଲୀୟରୀ ଥାନାରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଏ ସମ୍ପର୍କରେ ଲିଙ୍ଗରାଜ ଜି.ଏମ୍ ରିଙ୍ଗେ ସିକ୍ୟୁରିଟି ଇନଚାର୍ଜ କୁମୁଦ ସାହୁଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ତାଙ୍କ ଜ୍ଞାତସାରରେ ଏହା ଚାଲିଥିବା ତଥା ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବାର ଶ୍ରୀ ଆଚାର୍ଯ୍ୟ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *