ଜିଲ୍ଲା ପରିକ୍ରମା

ଦୃତ ଗାଡି ଚାଳନା ଓ ମଦ୍ୟପ ଗାଡି ଚାଳକଙ୍କ ପ୍ରତି ପୁଲିସର ନଜର ନାହିଁ

ଯାଜପୁର-୨୧/୮(ଓଡିଆ ପୁଅ/ଏ.ରାଉତ) ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ଜିଲାରେ ଗାଡି ମଟର ଯାଂଚ ହେଉଥିବା ଦେଖିବାକୁ ମିଳିଛି। ଯାଂଚ ସମୟରେ ପୁଲିସ ଗାଡିର କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଯାଂଚ କରୁଥିଲାବେଳେ ହେଲମେଟ ପ୍ରତି ମଧ୍ୟ ଗୁରୁତ୍ୱ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଯାହାକୁ ନେଇ ଜିଲାରେ ବିଭିନ୍ନ ସମୟରେ ଗାଡି ଦୁର୍ଘଟଣା ଘଟୁଛି ଓ ଧନ ଜୀବନ ହାନି ହେଉଛି ସେ ଉପରେ ପୁଲିସ ନଜର ଦେଉନାହିଁ। ମଦ୍ୟପାନ ସହିତ ଦୃତ ଗତିରେ ଗାଡି ଚାଳନା ଦୁର୍ଘଟଣାର ପ୍ରଧାନ କାରଣ ହୋଇଛି। ବହୁ ସମୟରେ ବିଭିନ୍ନ ବାଇକ୍ ଚାଳକ ମଦ୍ୟପାନ କରି ଦୃତ ଗତିରେ ଗାଡି ଚାଳନା କରୁଥିବା ବେଳେ ବହୁ ଯୁବକ ଉଦ୍ଦେଶ୍ୟ ମୂଳକ ଭାବେ ମଧ୍ୟ ଦୃତଗତିରେ ଗାଡି ଚାଳନା କରୁଥିବା ଦେଖିବାକୁ ମିଳିଥାଏ। ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଦୃତଗାମୀ ବାଇକ୍କୁ ଯୁବକ ମାନେ ଅତି ଦୃତ ଗତିରେ ଚାଳନା କରିବା ଦ୍ୱାରା ଦୁର୍ଘଟଣାର ମାତ୍ରା ଦିନକୁଦିନ ବଢି ଚାଲିଛି। ବିଭିନ୍ନ ସମୟରେ ଏହାକୁ ନେଇ ପଥଚାରୀ ସାଧାରଣ ଲୋକ ହଇରାଣ ହରକତ ହେଉଥିବା ବେଳେ ଏମାନଙ୍କ ଯୋଗୁ ଦୁର୍ଘଟଣାର ମଧ୍ୟ ଶିକାର ହେଉଛନ୍ତି। ବାଇକ୍ ଚାଳକଙ୍କୁ ଛାଡି ଦେଲେ ବିଭିନ୍ନ ୪ ଚକିଆ ଓ ଭାରିଯାନର ଚାଳକ ମଧ୍ୟ ମଦ୍ୟପାନ କରି ଗାଡି ଚାଳନା କରୁଥିବାରୁ ଏହା ଦୁର୍ଘଟଣାର କାରଣ ହେଉଛି। ଏମାନଙ୍କ ପ୍ରତି ପୁଲିସ କିନ୍ତୁ ନଜର ଦେଉନଥିବା ଅଭିଯୋଗ ହୋଇଛି। ପୁଲିସ ଯଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜଗି ରହିବା ସହିତ ଦୃତ ଗାଡି ଚାଳନା କରୁଥିବା ଓ ମଦ୍ୟପାନ କରି ଗାଡି ଚାଳନା କରୁଥିବା ଚାଳକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା ତେବେ ଜିଲାରେ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top