ଓଡ଼ିଶା

ଦୁସମନି ନେହିଁ ଦୋସ୍ତି ଚାହିୟେ….

– ଦେବପ୍ରସାଦ ମିଶ୍ର
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କୁ କିଏ ନଜାଣେ ? ଅନେକ ବହୁମୁଖୀ ପ୍ରତିଭାଧାରୀ ହୋଇଥିଲେ ମଧ୍ୟ, ସେ ଥିଲେ ଜଣେ ଦୂରଦ୍ରଷ୍ଟା ରାଜନେତା, ପ୍ରଚଣ୍ଡ ରାଷ୍ଟ୍ରବାଦୀ, ଜନସାଧାରଣଙ୍କ ଉନ୍ନତି ପାଇଁ ଥିଲା ଉତ୍ସର୍ଗିକୃତ ମନୋଭାବ ବିଶେଷ କରି ସମାଜର ସର୍ବନିମ୍ନ ସ୍ତରରେ ଥିବା ଶୋଷିତ, ଲାଞ୍ଛିତ, ଦଳିତ, ଖଟିଖିଆ, ଦିନମଜୁରିଆ ଶ୍ରମିକ ଗୋଷ୍ଠୀର ମନର କ୍ଷୁଧାକୁ ସହଜରେ ବୁଝିପାରୁଥିବା ସାଧାରଣ ମଣିଷଟିଏ। ପ୍ରଚଣ୍ଡ ଦେଶଭକ୍ତି ଓ ସାଧାରଣଙ୍କ କଷ୍ଟ ଓ ବେଦନାକୁ ହୃଦୟଙ୍ଗମ କରିପାରି ତାର ନିରାକରଣ କରିବା ପାଇଁ ସମର୍ପିତ ମନୋଭାବ ଯୋଗୁଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ ଓ ମନକୁ ଜିଣିଥିଲେ। ସେ ଥିଲେ ସେଇ ଜନମାନସର ମୁକୁଟ ବିହୀନ ସମ୍ରାଟ, ପ୍ରଚଣ୍ଡ ଈଶ୍ୱର ବିଶ୍ୱାସୀ, ଅହିଂସା ଓ ଶାନ୍ତିର ଦୂତ ଥିଲେ। ଆଜି ସେ ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ଜୀବନବ୍ୟାପୀ ଦେଶଭକ୍ତି, ଜନସାଧାରଣଙ୍କ ଉନ୍ନତି, ସମସ୍ତେ ସମାନ, ନୀତି ଯୋଗୁଁ ଲୋକେ ତାଙ୍କୁ ମନରୁ ପାଶୋରୀ ପାରୁ ନାହାନ୍ତି, ଯଦିଓ ମଣିଷର ଜନ୍ମପରେ ମୃତ୍ୟୁ ଧ୍ରୁବସତ୍ୟ, କିନ୍ତୁ ମରଣ ପରେ ବି ଯେଉଁମାନଙ୍କୁ ଲୋକେ ତାଙ୍କ ମନରୁ ଭୁଲିପାରି ନାହାନ୍ତି ସେମାନଙ୍କ ମଧ୍ୟରେ ଅଟଳଜୀ ଅନ୍ୟତମ ହୋଇ ସବୁଦିନ ପାଇଁ ଜନମାନସରେ ରହିବେ। ଦେଶଭକ୍ତିର ଭାବନା ଓ ଜନସେବାର ପ୍ରେରଣା ଏ ଦୁଇଟି ନୀତି ପାଇଁ ସେ ସବୁରି ମନେ ରହିବେ।

କ୍ଷମତାରେ ଥିବା ବେଳେ ଓ ନଥିବା ବେଳେ ସେ ଓଡିଶାର ବହୁ ଜିଲ୍ଲା ସହର ସଦରକୁ ବିଭିନ୍ନ କାର୍ଯ୍ୟକ୍ରମରେ ଆସି ଲୋକଙ୍କ ସହ ମିଶିଛନ୍ତି ଚଳଣୀ ଖୁବ ସିଧାସାଧା, ଖଦଡ ଧୋତି ପଞ୍ଜାବୀ ସାଥିକୁ ନିରାମିଶ ଖାଦ୍ୟ, ଦୀର୍ଘ ସମୟ ପାଦରେ ଚାଲି ଚାଲି ଲୋକଙ୍କ ସମସ୍ୟା ବୁଝିବା, ଦୀର୍ଘ ସମୟ ଧରି ଭାଷଣ ଦେବା ଏହା ତାଙ୍କର ଅଭ୍ୟାସ ଥିଲା, ଓଡିଶା ଗସ୍ତରେ ବାରମ୍ବାର ଆସି ଏଠାକାର ଆଦିବାସୀ ଜନଜାତିର ସମସ୍ୟାକୁ ଉପଲବ୍ ଧୀ କରି ସର୍ବପ୍ରଥମେ ନିଜ ମନ୍ତ୍ରୀମଣ୍ଡଳରେ ଆଦିବାସୀ ଉନ୍ନୟନ ମନ୍ତ୍ରଣାଳୟ ଖୋଲି ନିଜ କାବିନେଟ ସହଯୋଗୀ ଜୁଏଲ ଓରାମଙ୍କୁ ତାର ଦାୟିତ୍ୱ ଦେଇଥିଲେ। ଅଟଳଜୀଙ୍କ ଓଡିଶାଗସ୍ତ ସମୟରେ ଏ ଲେଖକ ସାମ୍ବାଦିକ ହିସାବରେ ବହୁବାର ସାକ୍ଷାତ ଆଲୋଚନା ଗସ୍ତବୀବରଣୀ ଆଦି ସବୁ ସଂଗ୍ରହ କରି ସମାଜ ସମ୍ବାଦପତ୍ରରେ ପ୍ରକାଶ କରୁଥିଲା ଗୋଟିଏ ସମୟ ଆସିଲା ଏ ସାମ୍ବାଦିକ ୧୯୯୮ ମସିହାରେ ସମାଜ ସମ୍ବାଦପତ୍ରର ବାର୍ତ୍ତା ସଂପାଦକ ଥିଲା ବେଳେ ଅଟଳଜୀଙ୍କ ନ୍ୟୁୟର୍କ, ଫ୍ରାନ୍ସ ଓ ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ଯୋଗଦେବା ନିମନ୍ତେ ମନୋନୀତ ମିଡିଆ ଟିମରେ ରାଜ୍ୟରୁ ମନୋନୀତ ହୋଇ ୧୯୯୮ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ତାଙ୍କ ସହିତ ଗସ୍ତ କରିଥିଲା। ସେ ସମୟରେ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଜାତିସଂଘ ଓ ନ୍ୟୁୟର୍କ ଗସ୍ତ ଏକ ବିଶେଷ ପରିସ୍ଥିତି ସୃଷ୍ଟି କରିଥିଲା ତାର କାରଣ ଥିଲା ସେହି ବର୍ଷ ଅର୍ଥାତ ୧୯୯୮ ମେ ମାସ ୧୧ ତାରିଖରେ ଭାରତ ରାଜସ୍ଥାନର ପୋଖରାନଠାରେ ତାର ପରମାଣୁ ଶକ୍ତିରେ ସମର୍ଥ ବୋଲି ଦର୍ଶାଇ ପରମାଣୁ ବିସ୍ପୋରଣ ଘଟାଇଥିଲା। ବିସ୍ପୋରଣ ପରେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ପାଖରେ ଭାରତ ଏକଘରିଆ ହୋଇ ପଡିଥିବାର ଧାରଣା ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ସେହି ସମୟରେ ଏହି ବିଦେଶ ଗସ୍ତ ବୈଦେଶିକ ସଂପର୍କ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମୋଡ ନେଇଥିଲା, ସେତେବେଳେ ମଧ୍ୟ ଆମେରିକା ସରକାର ଭାରତକୁ ଅର୍ଥନୈତିକ ବାସନ୍ଦ ବ୍ୟବସ୍ଥାକୁ ବଳବତ୍ତର ରଖିଥିଲା ବାଜପେୟୀଙ୍କ ଆମେରିକା, ଫ୍ରାନ୍ସ ଓ ଜାତିସଂଘ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ସାଧାରଣ ସଭା ଓ ସମିତିରେ ଭାରତ ସରକାରଙ୍କ ମତକୁ ବଡ ଦାମ୍ଭିକତାର ସହ ବୟାନ କରିଥିଲେ ଏବଂ ଭାରତ ପ୍ରତି ଆମେରିକା ଲାଗୁ କରିଥିବା ବାସନ୍ଦ ବ୍ୟବସ୍ଥାର ପ୍ରତ୍ୟାହାର ପାଇଁ ଯୁକ୍ତି ବାଢିଥିଲେ। ଏସିଆଟିକ ସୋସାଇଟିରେ ବାଜପେୟୀଜୀ ତାଙ୍କ କୁଟ ନୈତିକ ଚାଲ କରି ଗୋଟିଏ ଭାଷଣ ରଖିଥିଲେ ତାହା ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟ ଦଳର ନେତା ମାନଙ୍କୁ ମୁଗ୍ଧ କଲା ସେମାନେ ଭାରତ ପ୍ରତି ଲାଗୁ ହୋଇଥିବା ବାସନ୍ଦ ବ୍ୟବସ୍ଥାର ପ୍ରତ୍ୟାହାର ପାଇଁ ଉଭୟ ଗୋଷ୍ଠୀର ନେତା ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଲେ ବାଜପେୟୀଜୀ ବାସ୍ତବ କୂଟନୈତିକ ଦୃଷ୍ଟି କୋଣରୁ ବିଚାର କରି କହିଥିଲେ, ଆମେରିକା ଭାରତର ପ୍ରକୃତ ବନ୍ଧୁ ଏହି ବନ୍ଧୁ ରାଷ୍ଟ୍ର ସହ ମନୋମାଳିନ୍ୟ ଯୋଗୁଁ କିପରି ବହୁ ଅସୁବିଧା ସୃଷ୍ଟି ହୋଇଛି ତାହାର ଉଦାହରଣ ରଖିଥିଲେ। ଭାରତ ଆମେରିକାର ବଡଭାଇ ପଣିଆକୁ ସମାଲୋଚନା କରିବାକୁ ଏଠାକୁ ଆସିନାହିଁ ପଦିଏ କଥାରେ ସେ ଘଟଣାର ମୋଡ ବଦଳାଇ କହିଥିଲେ ଯେ କୌଣସି ଗୁଣରେ ଆମେରିକାଠାରୁ ଭାରତ ନ୍ୟୁନ ନୁହେଁ, ସମସ୍କନ୍ଦ ବ୍ୟବହାର ଆମେରିକାଠାରୁ ଭାରତ ଚାହେଁ, ପ୍ରାୟ ଅଢେଇ ହଜାର ବର୍ଷ ପୂର୍ବେ ମହାବୀର ଆଲେକଜାଣ୍ଡାରଙ୍କଠାରୁ ପରାସ୍ତ ହେବା ପରେ ପୁରୁ ଠିକ ଏହିପରି ମନ୍ତବ୍ୟ ଦେଇଥିଲେ, ଆଲେକ ଜାଣ୍ଡାର ପଚାରିଲେ ପୁରୁ ମୋଠାରୁ ତୁମେ କିପରି ବ୍ୟବହାର ଚାହଁ, ପୁରୁ ସଗର୍ବେ କହିଥିଲେ ଜଣେ ରାଜା ଆଉଜଣେ ରାଜାଠାରୁ ଯେପରି ବ୍ୟବହାର ଚାହେଁ, ଭାରତ ଓ ଆମେରିକା ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ପୃଥିବୀରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବାକୁ ହେଲେ ଭାରତ ଓ ଆମେରିକାର ବନ୍ଧୁତା ଏକାନ୍ତ ଭାବେ ଆବଶ୍ୟକ। ତଥାପି ଆମେରିକା ଆର୍ଥôକ ବାସନ୍ଦ ବ୍ୟବସ୍ଥା ଓ ସିଟିବିଟିରେ ନିଃସର୍ଭ ସ୍ୱାକ୍ଷର ପାଇଁ କ୍ଳିଣ୍ଟନ ପ୍ରଶାସନ ପକ୍ଷରୁ ଭାରତ ଉପରେ ଚାପ ପକାଉଥିଲା ତଥାପି ବାଜପେୟୀ ଧୈର୍ଯ୍ୟହରା ନହୋଇ ପୁଣି କହିଥିଲେ ଭାରତ ଓ ଆମେରିକାର ସଂପର୍କରେ ପୁନର୍ଗଠନ ହେବା ଉଚିତ, ଉଭୟ ଭାରତ ଓ ଆମେରିକା ସମାନ ରାଜନୈତିକ ସଂସ୍କୃତିରେ ବିଶ୍ୱାସ କରନ୍ତି ଓ ଆଇନର ଶାସନକୁ ଗ୍ରହଣ କରିଛନ୍ତି। ଉଭୟ ରାଷ୍ଟ୍ର ମୁକ୍ତ ବଜାର ଓ ଘରୋଇ ଉଦ୍ୟୋଗ ପରମ୍ପରାକୁ ସମ୍ମାନ କରନ୍ତି। ଏହା ସତ୍ତ୍ୱେବି ଆମେରିକାର ଅଗ୍ରାଧିକାର କ୍ଷେତ୍ରରେ ଭାରତର ସ୍ଥାନ ନଥିବା ଘୋର କ୍ଷୋଭର ବିଷୟ, ବଡ କଠୋର ଭାବେ ବାଜପେୟୀ କହିଥିଲେ ସ୍ୱାଧିନତା ପ୍ରାପ୍ତି ପରେ ବୈଷୟିକ କୌଶଳ କ୍ଷେତ୍ରରେ ସାହାଯ୍ୟ ପାଇଁ ଆମେରିକା କୁ ବାରମ୍ବାର ଭାରତ ଅନୁରୋଧ କରିଛି, କିନ୍ତୁ ଆମେରିକା ଏଥିପ୍ରତି ଅନୁକୂଳ ମନୋଭାବ ପ୍ରକାଶ କରିନାହିଁ ଏ ସବୁ କହି ବାଜପେୟୀଜୀ ଆମେରିକାର ନେତୃବୃନ୍ଦଙ୍କୁ ଜଣାଇ ଦେଇଥିଲେ କି ଭାରତ-ଆମେରିକାର ସଂପର୍କ କ୍ଷେତ୍ରରେ ସ୍ପଷ୍ଟ ଅଭିମୁଖ୍ୟ ଜାଣିବାକୁ ଚାହେଁ, କାରଣ ସାହାଯ୍ୟ ଦ୍ୱାରା ଆତ୍ମ ନିର୍ଭରଶୀଳ ହେବା ସମ୍ଭବ ନୁହେଁ, କେବଳ କଠୋର ଉଦ୍ୟମ ନିଷ୍ଠା ଦ୍ୱାରା ଏହା ସମ୍ଭବ। ପିଏଲ ୪୮୦ ଥିବା ପର୍ଯ୍ୟନ୍ତ ଭାରତ ଖାଦ୍ୟଶସ୍ୟ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହୋଇପାରି ନଥିଲା। ଏହା ବନ୍ଦ ହେଲା ପରେ ଭାରତରେ ସବୁଜ ବିପ୍ଳବ ଆରମ୍ଭ ହେଲା ଓ ଭାରତ ଖାଦ୍ୟଶସ୍ୟରେ ଆତ୍ମ ନିର୍ଭରଶୀଳ ହେଲା ଆଜି ନିଜ ଉଦ୍ୟମ ଯୋଗୁଁ ପରମାଣୁ ବିଜ୍ଞାନ ଠାରୁ ଆରମ୍ଭ କରି ଟେଲି ଯୋଗାଯୋଗ ଓ ଅନ୍ୟାନ୍ୟ ଟେକନୋଲଜି କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳ ତେଣୁ ଆମେରିକାର ନୀତି ନିର୍ଦ୍ଧାରକମାନଙ୍କୁ ବାଜପେୟୀ ଜଣାଇଦେଲେ ଭାରତ କାହାରି ସାହାଯ୍ୟ, ଦୟା, ବାଦାନ୍ୟତା ଉପରେ ନିର୍ଭର କରେ ନାହିଁ ବରଂ ସଂପର୍କର ପୁନଃସମୀକ୍ଷା ହେଲେ ଆମେରିକା ହିଁ ଫାଇଦାରେ ରହିବ। କୃଷି, ଶିଳ୍ପ ଉଭୟ କ୍ଷେତ୍ରରେ ଦକ୍ଷିଣ ଏସିଆକୁ ଅନଗ୍ରସର ରଖିବାକୁ ଆମେରିକା ଯେଉଁ ପ୍ରୟାସ ଆରମ୍ଭ କରିଛି ତାକୁ ବାଜପେୟୀ ସରକାର ଏହାକୁ ପ୍ରତିହତ କରିବ, ଆମେରିକା ନେତାମାନଙ୍କୁ ବାଜପେୟୀ ସ୍ପଷ୍ଟ ଭାବରେ ଜଣାଇଦେଇ ଥିଲେ କି ଜାତୀୟ ସ୍ୱାର୍ଥ, ଜାତୀୟନିରାପତ୍ତା ଏବଂ ସାର୍ବଜନୀନ ମୂଲ୍ୟବୋଧକୁ ଜଳାଞ୍ଜଳୀ ଦେଇ କୌଣସି ସାଲିସ କରିବା ଭାରତ ପକ୍ଷେ କଷ୍ଟକର। ପରମାଣୁ ନୀତିକୁ ସ୍ପଷ୍ଟ କରି କହିଥିଲେ ଭାରତ ତାର ଶକ୍ତିକୁ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ରମାନଙ୍କ ସମୁକ୍ଷରେ( ପଞ୍ଚମହାଶକ୍ତି)ଙ୍କ ସମ୍ମୁଖରେ ଉପସ୍ଥାପିତ କରି ତାର ସ୍ଥାନ ରଖିଛି। କିନ୍ତୁ ଭାରତ ପରମାଣୁ ନିରସ୍ତ୍ରୀକରଣ ମନବ ସମାଜ ଚାହେଁ। ଭାରତ ଆଜି ପଞ୍ଚମହାଶକ୍ତିର ସମକକ୍ଷ ହୋଇପାରିଛି ଏଣୁ ପରମାଣୁ ଅସ୍ତ୍ର, ପ୍ୟାଟେଣ୍ଟ ଓ ବିଶ୍ୱବାଣିଜ୍ୟ ସଂଗଠନ ଆଦିର ଭୟ ଦେଖାଇ ପାଶ୍ଚାତ୍ୟ ଗୋଷ୍ଠୀ ଭାରତକୁ ଆଉ ଚପାଇଦେଇ ପାରିବ ନାହିଁ, ଏତିକି ମାତ୍ର ଭାଷଣରେ କି ପ୍ରଭାବ ପଡିଲା କେଜାଣି ଭାରତକୁ ଆଉ ସିଟିବିଟିରେ ସ୍ୱାକ୍ଷର କରିବା ଘେନି ଚାପ ରହିଲା ନାହିଁ ବରଂ ବିଭିନ୍ନ ପ୍ରକଳ୍ପ ପାଇଁ ଫ୍ରାନ୍ସ ଭାରତକୁ ସବୁ ପ୍ରକାର ସାହାଯ୍ୟ ସହଯୋଗର ହାତ ବଢାଇବ ବୋଲି ଘୋଷଣା କଲା ଭାରତକୁ ଆନ୍ତର୍ଜାତିକ କୂଟ ନୀତିରେ ଏକ ସମ୍ମାନ ଜନକ ସ୍ଥାନ ଦେବା ପାଇଁ ଏହା ବାଜପେୟୀଙ୍କ ଉଦ୍ୟମ ଥିଲା। ଯୁଦ୍ଧ ନୁହେଁ ଭାରତ ସବୁବେଳେ ଶାନ୍ତି ଓ ମୈତ୍ରୀ ଚାହେଁ – ଦୁସମନି ନେହିଁ, ଦୋସ୍ତି ଚାହିୟେ ଏହାହିଁ ଥିଲା ଅଟଳଜୀଙ୍କର ବାର୍ତ୍ତା ତାହାହିଁ ତାଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇଥିଲା।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top