ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କରିବାରୁ ବିଧବାଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତ୍ୟେକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ,

ହାଟଡ଼ିହି, ୨୭/୮/ (ବିକାଶ ବିଶ୍ଵାଳ) କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ସୁନ୍ଦରାପାଳ ଛକରେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଓ ଏନେଇ ବିଧବା ଜଣଙ୍କ ସୋସୋ ଥାନାରେ ଅଭିଯୋଗ କରିବାପରେ ଅଭିଯୁକ୍ତ ଜଣକ ମହିଳା ଜଣକୁ ହତ୍ୟା କରିଥିବା ନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଓ ମହିଳାଙ୍କ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ପାଇଁ ସହାୟତା ଯୋଗାଇ ଦେବାକୁ ଦାବିକରି ଉତ୍ତ୍ୟେକ୍ତ ଲୋକମାନେ ଦୀଘ ସମୟ ଧରି ଟାୟାର ଜାଳି ରାସ୍ତା ଅବରୋଧ କରିବାପରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାପରେ ରାସ୍ତା ଅବରୋଧ ହଟିଛି । ପୋଲିସ ଶବକୁ ପୋଷ୍ଟମଟମ ପାଇଁ ପଠାଇବା ସହ ଅଭିଯୁକ୍ତ ହେମନ୍ତ ଜେନା, ତାର ବାପା ପ୍ରାଣନାଥ ଜେନା ଓ ଅକ୍ଷୟ ସାହୁ ପ୍ରମୁଖ ତିନିଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଅଭିଯୋଗ ଅନୁଯାଇ ସ୍ୱର୍ଗତ ଯୁଧିଷ୍ଠିର ପାତ୍ରଙ୍କ ସ୍ତ୍ରୀ ସୂର୍ଯ୍ୟମଣୀ ପାତ୍ରଙ୍କ ଘରଦ୍ୱାର ନଥିବାରୁ ସେ ସୁନ୍ଦରାପାଳ ଛକର ଭଙ୍ଗା ବିଶ୍ରାମାଗାରରେ ଆଶ୍ରୟ ନେଉଥିଲେ । ତାଙ୍କ ସ୍ୱାମୀ ଗତ ୬ମାସ ତଳେ ଆରପାରିକୁ ଚାଲିଯିବାପରେ ସେ ଏକୁଟିଆ ଏହି ଘରେ ରୋଷେଇବାସ କରି ଖିଆପିଆ କରୁଥିବା ବେଳେ ପାଖ ସମ୍ପର୍କୀୟ ଘରେ ରାତିରେ ଶୋଇଥାଏ । କିନ୍ତୁ ଗତ କିଛିଦିନ ତଳେ କଣ୍ଟିଗଡିଆ ଗ୍ରାମର ହେମନ୍ତ ଯେନା ନାମକ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବାରୁ ବିଧବା ମହିଳା ଜଣକ ଏନେଇ ସୋସୋ ଥାନାରେ ମୌଖିକ ଅଭିଯୋଗ କରିଥିଲେ । ସୋସୋ ଥାନାର ଜଣେ ଏ.ଏସ.ଆଇ ଘଟଣାର ତଦନ୍ତ ପାଇଁ ସୁନ୍ଦରାପାଳ ଆସି ହେମନ୍ତକୁ ଖୋଜାଖୋଜି କରି ନପାଇ ଫେରିଯାଇଥିଲେ । ହେମନ୍ତଙ୍କ ପରିବାର ଲୋକେ ଏ ବାବଦରେ ଜାଣିବାପରେ ହେମନ୍ତର ବାପା ପ୍ରାଣନାଥ ଯେନା ଗତକାଲି ସନ୍ଧ୍ୟାରେ ସୁର୍ଯ୍ୟମଣୀଙ୍କ ଯାଆ ଚମ୍ପାବତୀଙ୍କ ଘରକୁ ଯାଇ ଏହାର ସମାଧାନ କିପରି ହେବ ଓ ସୂର୍ଯ୍ୟମଣୀ କିପରି ଥାନାରୁ ଅଭିଯୋଗ ଉଠାଇବ ସେନେଇ କହିଥିଲେ । ପୋଲିସ ଆସିଲେ ଯାହା ହେବ କଥା ହେବାକହି ଚମ୍ପାବତୀ ପ୍ରାଣନାଥକୁ ଫେରାଇ ଦେଇଥିଲେ । କିନ୍ତୁ ରାତି ୧୦ଟା ବେଳକୁ ସୂର୍ଯ୍ୟମଣୀ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ର ନିକଟରେ ଥିବା ନିମ୍ବଗଛରେ ଦଉଡିରେ ଝୁଲୁଥିବା ଲୋକମାନେ ଦେଖିିବାକୁ ପାଇଥିଲେ । ସୂର୍ଯ୍ୟମଣୀର ଗୋଡ ଆଣ୍ଠୁ ପର୍ଯ୍ୟନ୍ତ ତଳେ ଲାଗିଥିବା ଓ ମୁଣ୍ଡଟି ପଛପାଖକୁ ଝୁଲୁଥିବା ଦେଖି ଏହା ଏକ ହତ୍ୟାକଣ୍ଡ ବୋଲି ସ୍ଥାନୀୟ ଲୋକମାନେ ଭାବି ସୋସୋ ପୋଲିସକୁ ସୁଚନା ଦେଇଥିଲେ । ଆଜି ସକାଳେ ସୋସୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଖବର ପ୍ରଚାରିତ ହେବାପରେ ଶହଶହ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇ ଏହାର ପ୍ରତିବାଦ କରିବା ସହିତ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଓ ମୃତ ସୂର୍ଯ୍ୟମଣୀଙ୍କ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ ପାଇଁ ସହାୟତା ଯୋଗାଇ ଦେବାକୁ ଦାବିକରି ରାସ୍ତାରୋକ କରିଥିଲେ । ଫଳରେ ଦୀର୍ଘ ତିନି ଘଣ୍ଟା କାଳ ଛେନାପଦି ହଦଗଡ ରାସ୍ତାରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉକରି ଅଭିଯୁକ୍ତ ହେମନ୍ତ ଯେନା, ତାର ସହଯୋଗୀ ଅକ୍ଷୟ ସାହୁ ଏବଂହେମନ୍ତର ବାପା ପ୍ରାଣନାଥକୁ ଥାନାକୁ ନେଇ ଅଟକ ରଖିବାପରେ ପୋଲିସ ଉତ୍ତ୍ୟେକ୍ତ ଲୋକମାନଙ୍କୁ ବୁଝାସୁଝା କରିବାପରେ ଲୋକମାନେ ରାସ୍ତାରୋକରୁ ହଟିବାପରେ ଶବକୁ ଜବଦ କରି ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *