ଦୁର୍ନୀତି ଭ୍ରଷ୍ଟାଚାର ଓ ଅପାରଗତା ବିରୁଦ୍ଧରେ ବିଜେପିର ରଣନୀତି ପ୍ରସ୍ତୁତି, ଭଦ୍ରକ ସଂସଦୀୟ କ୍ଷେତ୍ରର ଦିବସବ୍ୟାପୀ ମାରାଥନ ବୈଠକ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଜି ବିଜେପି ପକ୍ଷରୁ ଭଦ୍ରକ ସଂସଦୀୟ କ୍ଷେତ୍ରର ଦିବସବ୍ୟାପୀ ମାରାଥନ ବୈଠକ ଜିଲ୍ଳା ବିଜେପି ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଜିଲ୍ଳା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସଂପାଦକ ତଥା ଲୋକସଭା କ୍ଷେତ୍ରର ପ୍ରଭାରୀ କାଳନ୍ଦୀ ସାମଲ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ ଯୋଗ ଦେଇ ରାଜ୍ୟର ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପାରଗ ବିଜେଡି ସରକାରର ଜନସ୍ୱାର୍ଥ ବିରୋଧୀ ନୀତି ବିରୁଦ୍ଧରେ ଆସନ୍ତା ସେପ୍ଟେମ୍ବର ମାସ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଦଳ ପକ୍ଷରୁ ମହାସଂଘର୍ଷ ଆରମ୍ଭ ହେବ ବୋଲି କହିଥିଲେ । ଏହି ସଂଘର୍ଷରେ ଦଳୀୟ ଆନେ୍ଦାଳନକୁ ଦୁର୍ବାର ଓ ବ୍ୟାପକ କରାଯିବା ସଂଗେ ସଂଗେ ରାଜ୍ୟ ସରକାର ବିରୁଦ୍ଧରେ ସର୍ବ ସାଧାରଣରେ ଅଭିଯୋଗ ଫର୍ଦ୍ଦ ଓ ଅଭାବ ଫର୍ଦ୍ଦ ପ୍ରକାଶ କରାଯିବ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ରାସନକାର୍ଡ ଦୁର୍ନୀତି, ସ୍ୱଚ୍ଛ ଭାରତ ଯୋଜନାରେ ପିସି କାରବାର, ଅଘୋଷିତ ବିଦୁ୍ୟତ୍ କାଟ ଆଦି ବିଭିନ୍ନ ପ୍ରସଙ୍ଗରେ ଜନ ସଚେତନତା ସୃଷ୍ଟି କରାଯିବାକୁ ବୈଠକରେ  ନିଷ୍ପତି ନିଆ ଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦିପ ନାୟକ, ଦୀନବନ୍ଧୁ ପତି, ଶଶୀ କୁମାର ସାହୁ, ରାକେଶ ମଲ୍ଲିକ, ଶରତ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଉପସଭାପତି ଅମ୍ବିକା ପ୍ରସନ୍ନ ଦାସଙ୍କୁ ବାସୁଦେବପୁର, ଜିଲା୍ଳ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଜେନାଙ୍କୁ ଭଣ୍ଡାରିପୋଖରୀ, ଓବିସି ମୋର୍ଚ୍ଚା ଜିଲ୍ଳା ସଭାପତି ବୁଦ୍ଧଦେବ ଜେନାଙ୍କୁ ଧାମନଗର, ବୀରେନ୍ଦ୍ର ଜେନାଙ୍କୁ ଭଦ୍ରକ, ଈଶ୍ୱର ବେହେରାଙ୍କୁ ସିମୁଳିଆ, ଆଶିଷ ଦାସଙ୍କୁ ଚାନ୍ଦବାଲି, କୈଳାସ ବାରିକଙ୍କୁ ସୋରୋ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଭାବେ ଘୋଷଣା କରାଯାଇଥିଲା । ବୈଠକରେ ସଂସଦୀୟ କ୍ଷେତ୍ରର ସମସ୍ତ ବିସ୍ତାରକ, ପ୍ରଭାରୀ, ଜିଲ୍ଲା ସାଧାରଣ ସମ୍ପାଦକ ସମତେ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *