ଭୁବନେଶ୍ୱର, ୨୧/୯/୨୦୧୮(ଓଡ଼ିଆ ପୁଅ): ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ବିଜେପି ସପକ୍ଷରେ ଯେଭଳି ଓକିଲାତି କରୁଛନ୍ତି, ତାହା ଅନେକ ସମୟରେ ହାସ୍ୟାସ୍ପଦ ସ୍ତରକୁ ଆସିଯାଉଛି। ସେ ଜାଣିସିଆଣିଆ ଭଳି ବ୍ୟବହାର କରୁଛନ୍ତି। ସେ ମନେ ରଖିବା ଉଚିତ୍ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ସାଢ଼େ ଚାରିକୋଟି ଓଡ଼ିଆଙ୍କର ଆସ୍ଥା, ବିଶ୍ୱାସ ଓ ସମ୍ମାନ ରହିଛି। ଗଣତନ୍ତ୍ରରେ ଏହା ହିଁ ସବୁଠୁ ବଡ଼ ସଂପତ୍ତି। ଶ୍ରୀ ଆଚାର୍ଯ୍ୟ ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଗୋଟେ ବୁଡ଼ିଯାଉଥିବା ଡଙ୍ଗାର ନୂଆ ନୂଆ ଯାତ୍ରୀ ହୋଇ ଯାହା କହୁଛନ୍ତି, ସେ ଥରେ ନିଜକୁ ଆତ୍ମ ସମୀକ୍ଷା କଲେ ବହୁତ କଥା ଜାଣିପାରିବେ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି।
ଶ୍ରୀ ନାୟକ କହିଛନ୍ତି ଯେ ସିଏଜି ରିପୋର୍ଟ ଏକ ପ୍ରଶାସନିକ ପ୍ରକ୍ରିୟା। ସିଏଜି ଯାହା ମନ୍ତବ୍ୟ ଦିଅନ୍ତି, ତାକୁ ପ୍ରଶାସନିକ ସ୍ତରରେ ତା’ର ଜବାବ ରଖାଯାଏ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଏହାକୁ ନେଇ ତୁମ୍ବିତୋଫାନ କରିବା ତାଙ୍କ ରାଜନୈତିକ ଅପରିପକ୍ୱତାର ପରିଚୟ। ବିଜେପି ଶାସିତ ରାଜ୍ୟ ମାନଙ୍କରେ ମଧ୍ୟ ଏହିଭଳି ସିଏଜି ରିପୋର୍ଟ ଆସୁଥିବ, ତାକୁ ସେଠାକାର ସରକାର ଉତ୍ତର ରଖୁଥିବେ। ତିଳକୁ ତାଳ କରିବାରେ ବିଜେପି ସିଦ୍ଧହସ୍ତ। ଦୁର୍ନୀତି ବିରୋଧରେ ସଂଗ୍ରାମ କରି ଏବଂ ସ୍ୱଚ୍ଛତାକୁ ଆଧାର କରି ବିଜେଡି ସରକାର ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିଛି ଏବଂ ଦିନକୁ ଦିନ ଏହି ଗ୍ରହଣୀୟତା ଆହୁରି ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ହତୋତ୍ସାହିତ ହୋଇ ବିଜେପି ଯେଭଳି ଅପପ୍ରଚାର କରୁଛି, ତା’ର ଉଚିତ୍ଜବାବ ବିଜେପି ବିଭିନ୍ନ ନିର୍ବାଚନରେ ପାଇଛି ଏବଂ ଆଗାମୀ ସମୟରେ ମଧ୍ୟ ପାଇବ। କେନ୍ଦ୍ରରେ ବିଜେପି ସରକାର ଦୁର୍ନୀତିରେ ଉବୁଟୁବୁ ହେଉଥିବା ବେଳେ ଏଠାକାର ବିଜେପି ନେତାମାନଙ୍କୁ କେବଳ ଏତିକି କହିହେବ ଯେ ‘ଗୋଦରୀଲୋ ନିଜ ଗୋଡ଼କୁ ଅନା।’ ବିଜେପିର ଏଭଳି ବିଭ୍ରାନ୍ତିରେ ଲୋକମାନେ ଭଳିଯିବେ ନାହିଁ। ଲୋକମାନଙ୍କ ବିଶ୍ୱାସ ରହିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୁର୍ନୀତି ବିରୋଧୀ ଅଭିଯାନ ଉପରେ। ଏହି ଅଭିଯାନ ଆହୁରି ଶାଣିତ ହେବାରେ ଲାଗିଛି। ବିଜେପିର ଯେଉଁସବୁ ଅଭିଯୋଗ ତାହା ଅମୂଳକ, ଅବାସ୍ତବ ଏବଂ ନିଜର ସ୍ଥିତିକୁ କେବଳ ଗଣମାଧ୍ୟମ ମାଧ୍ୟମରେ ବଞ୍ଚାଇ ରଖିବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ନାୟକ କହିଛନ୍ତି।
