ଦୁର୍ଦ୍ଦାନ୍ତ ଏସ୍.ଡି.ପି.ଓ. ଙ୍କ ମାଡରେ ଡ୍ରାଇଭର ଗୁରୁତର, କଟକ ସ୍ଥାନାନ୍ତରିତ

ଯୋଡା- ତା ୨୦/୦୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ ) ଆଜି ସକାଳ ପ୍ରାୟ ୧୧ ଘଟିକା ସମୟରେ ୫୨୦ନଂ ଜାତୀୟ ରାଜପଥ ଖଣିଜ ପରିବହନ ଯୋଗୁଁ ଅତ୍ୟଧିତ ଜାମ ରହିଥିଲା। ଏହି ସମୟରେ ଟ୍ରକ ନଂ. ଓଡି-୦୯ସି-୧୪୫୨ ରଣାଶାଳ ଘାଟି ନିକଟସ୍ଥ ଶିବଶଙ୍କର ପେଟ୍ରୋଲ ପମ୍ପକୁ ତେଲ ନେବା ପାଇଁ ଧାଡିରୁ ବାହାରି ଯାଉଥିବା ବେଳେ ବଡବିଲସ୍ଥିତ ଏସ୍.ଡି.ପି.ଓ. ଶ୍ରୀ ରାହୁଲ ଜୈନ ଅଚନାକ ଭାବେ ଆସି ଉକ୍ତ ଟ୍ରକର ସାମ୍ମା କାଚ ଏବଂ ହେଡଲାଇଟ ପିଟି ଭାଙ୍ଗିଦେଇଥିଲେ ଏବଂ ଡ୍ରାଇଭରକୁ ଓହ୍ଲାଇବା ପଇଁ କହିଥିଲେ। ଏଥିରେ ଡ୍ରାଇଭର ଜଣଙ୍କ ଓହ୍ଲାଇବା ପରେ ତାକୁ ଅତ୍ୟନ୍ତ ନିର୍ମମ ଭାବେ ନିସ୍ତୁକ ମାଡ ଦେଇଥିଲେ। ଏଥିରେ ଡ୍ରାଇଭର ଖଗେଶ୍ୱର ମହାନ୍ତ ପ୍ରାଣବିକଳରେ ଜଙ୍ଗଲ ଆଡକୁ ଦୌଡି ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଏସ୍.ଡି.ପି. ଓ ଏବଂ ତାଙ୍କ ସହିତ ଥିବା ଅନ୍ୟ ସହଯୋଗୀମାନେ ମହାନ୍ତଙ୍କୁ ଗୋଡେଇ ଗୋଡେଇ ପିଟି ଅଚେତ କରି ଛାଡି ଚାଲିଯାଇଥିଲେ। ଘଟଣା ସ୍ଥଳରେ ଉପସ୍ଥିତ ଅନ୍ୟ ଡ୍ରାଇଭରମାନେ ଖଗେଶ୍ୱର ମରିଯାଇଥିବା ଭାବି ତାକୁ ଉଠାଇ ତୁରନ୍ତ ଯୋଡାସ୍ଥିତ ମେହେତା ନର୍ସିଂ ହୋମକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜଣାପଡିଥିଲା ଖଗେଶ୍ୱରଙ୍କର ଡାହାଣ ହାତଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ତାଙ୍କର ଦେହରେ ବିଭିନ୍ନ ସ୍ଥାନରେ ଗଭିର କ୍ଷତ ସୃଷ୍ଟି ହୋଇଥିଲା। ଦେହର ଅଧିକାଂଶ ସ୍ଥାନରେ ରକ୍ତ ଜମାଟ ବାନ୍ଧି ଯାଇଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ସେହି ଅଚେତ ଅବସ୍ଥାରେ କଟକସ୍ଥିତ ବଡମେଡିକାଲକୁ ସ୍ଥାନାନ୍ତରିତ କରିବାକୁ କହିଥିଲେ। ତାଙ୍କର ଅବସ୍ଥା ଏପରି ହୋଇଛି ଯେ, ସେ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ ତାଙ୍କର ସେ ଟ୍ରକ ଚାଳାଇ ଭବିଷ୍ୟତରେ ଜୀବିକା ନିର୍ବାହ କରିବା ସାମର୍ଥ ହରାଇବାର ଆଶଙ୍କା ଦେଖାଦେଇଛି। ତେବେ ତାଙ୍କୁ ଅତ୍ୟନ୍ତ ମୁର୍ମୁଷ ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ତାଙ୍କ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଡାକ୍ତରଖାନାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଆସନ୍ତାକାଲି ଖଗେଶ୍ୱରଙ୍କର ଝିଅ ବାହାଘର ଥିବା ବେଳେ ପରିବାର ସଦସ୍ୟମାନେ ମ୍ରିୟମାଣ ହୋଇପଡିଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ବଡବିଲ ପୁଲିସ ସବ୍ଡିଭିଜନ୍ରେ ଯେଉଁ ନୂତନ ପୁଲିସ ଅଧିକାରୀମାନେ ଯୋଗ ଦିଅନ୍ତି ସେମାନେ ପ୍ରଥମେ ସାଧାରଣରେ ଭୟ ସୃଷ୍ଟି କରିବା ନିମନ୍ତେ ଏଭଳି କାଣ୍ଡ ଭିଆଇଥାନ୍ତି ଏବଂ ଶ୍ରୀ ଜୈନଙ୍କର ଏତାଦୃଶ୍ୟ କାର୍ଯ୍ୟ ତାହାର ଏକ ପ୍ରତିଫଳନ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଯୋଡା ଜନସାଧାରଣ ନାପସନ୍ଦ କରିଛନ୍ତି। ପୁଲିସ ଜନତାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ନିମନ୍ତେ ନୂତନ କେନ୍ଦୁଝର ଏସ୍.ପି. ଗଣମାଧ୍ୟମକୁ କହୁଥିବା ବେଳେ ବଡବିଲ ଏସ୍.ଡି.ପି.ଓ. ଙ୍କର ଏତାଦୃଶ୍ୟ କାର୍ଯ୍ୟ ଏହାର ଏକ ବିରୋଧାଭାସ ମାତ୍ର।

Leave a Reply

Your email address will not be published. Required fields are marked *