ଓଡ଼ିଶା

ଦୁର୍ଘଟଣାରେ ୫ ବିଦ୍ୟାର୍ଥୀ ମୃତ୍ୟୁ ଘଟଣାକୁ ମାସେ ପୂରିଲା, ଫେରିନି ସ୍କୁଲରେ ସ୍ୱାଭାବିକ ଅବସ୍ଥା

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଜୁଲାଇ ମାସ ୧୯ ତାରିଖରେ ରାଣୀତାଲ ନିକଟସ୍ଥ ଅସୁରା ଛକ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ଏକମାସ ବିତିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ଛାତ୍ରଛାତ୍ରୀଙ୍କ ଶରୀର ପଂଚଭୂତରେ ଲୀନ ହୋଇସାରିଛି। ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଷ୍ଟମ ଶ୍ରେଣୀର ଛାତ୍ରୀ ଶ୍ୱେତା ସାହୁ ଆଜି ମଧ୍ୟ କଟକ ବଡ ଡାକ୍ତରଖାନା ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୫ ଜଣଙ୍କ ମଧ୍ୟରୁ ୪ ଜଣ ଭଦ୍ରକରୁ ଓ ଜଣେ କଟକ ବଡ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ବି ଏଯାଏଁ ବିଦ୍ୟାଳୟକୁ ଆସିନାହାଁନ୍ତି। ମୃତ୍ୟୁବରଣ କରିଥିବା ରାଣୀତାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏବେ ବି ଫେରିନି ସ୍ୱାଭାବିକ ଅବସ୍ଥା। ଏତେବଡ ଦୁର୍ଘଟଣା ପରେ ବି ଚେତିନି ପ୍ରଶାସନ। ଅବଶ୍ୟ ଦୁର୍ଘଟଣା ପରେ ରାଣୀତାଲ ବିଦ୍ୟାଳୟ ସଂଲଗ୍ନ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ୨ଟି ସ୍ପିଡ୍ ବ୍ୟାରିୟର ସ୍ଥାପନ ହୋଇଛି। ବିଦ୍ୟାଳୟ ଆରମ୍ଭ ଓ ଛୁଟି ସମୟରେ ଜଣେ ହୋମଗାର୍ଡ ଉକ୍ତ ସ୍ଥାନରେ ଜଗି ରହୁଛନ୍ତି। କିନ୍ତୁ ଜାତୀୟ ଓ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ବିଦ୍ୟାଳୟ ସଂଲଗ୍ନ ରାସ୍ତାର ଛକ ସ୍ଥାନମାନଙ୍କରେ କୌଣସି ସତର୍କ ସୂଚନା ଫଳକ ଦେଖିବାକୁ ମିଳିନି। ଜିଲା ପ୍ରଶାସନ ରାଜପଥ ପାଶ୍ୱର୍ସ୍ଥ ବିଦ୍ୟାଳୟମାନଙ୍କ ପ୍ରଧାନ ଶିକ୍ଷକମାନଙ୍କ ବୈଠକ ଓ ସ୍କୁଲ୍ ବସ୍, ଭ୍ୟାନଗୁଡିକ ଯାଞ୍ଚ କାର୍ଯ୍ୟ ସାରି ଚୁପ୍ ବସିଛି। ଏହା ବ୍ୟତୀତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶିର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏବେ ସୁଧା ମିଳିଛି ମାତ୍ର ୨ ଲକ୍ଷ ଟଙ୍କା। ଅପରପକ୍ଷେ ସଂପୃକ୍ତ ସ୍କୁଲରେ ମାସକ ପରେ ଅବସ୍ଥା ସ୍ୱାଭାବିକ ହୋଇନଥିବା କହିଛନ୍ତି ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ମାଇତି। ଦୁର୍ଘଟଣା ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇ ୧୫୫ ରେ ପହଞ୍ଚିଛି। ପୂର୍ବରୁ ବିଦ୍ୟାଳୟରେ ଉପସ୍ଥାନ ହାରାହାରି ୯୦ ପ୍ରତିଶତ ରହୁଥିଲା। କିନ୍ତୁ ଏବେ ଉପସ୍ଥାନ ହ୍ରାସ ପାଇଛି। ଆଜି ମୋଟ୍ ୯୬ ଜଣ ଉପସ୍ଥିତ ଥିବାବେଳେ ନବମ ଶ୍ରେଣୀରେ ୩୧ ଓ ଦଶମ ଶ୍ରେଣୀର ୨୮ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ବିଶେଷକରି ମୃତ୍ୟୁବରଣ କରିଥିବା ଛାତ୍ରଛାତ୍ରୀଙ୍କ ନିଜସ୍ୱ ଗ୍ରାମ ଅସୁରା ଅଂଚଳରୁ ଅଧିକାଂଶ ଛାତ୍ର ନିୟମିତ ଭାବରେ ବିଦ୍ୟାଳୟ ଆସୁନାହାଁନ୍ତି। ଅସୁରା ନିକଟବର୍ତ୍ତୀ ଖୁଣ୍ଟିଆସାହି ଗ୍ରାମର କେତେକ ପିଲା ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ଅଭିଭାବକ ସ୍କୁଲ ନ ପଠାଇ ବନ୍ଧୁଙ୍କ ଘରେ ସଂପୃକ୍ତ ପିଲାଙ୍କୁ ଛାଡିଥିବା ଜଣାପଡିଛି। ଯାହାକି ଉପସ୍ଥାନ କମିବାର ଅନ୍ୟ ଏକ କାରଣ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ମାଇତି କହିଛନ୍ତି। ଦୁର୍ଘଟଣା ପରେ ଏଯାଏଁ ଚେତିନି ଜିଲା ପ୍ରଶାସନ। ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ସ୍କୁଲ ଯାତ୍ରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଜିଲାର ବିଭିନ୍ନ ଘରୋଇ ବିଦ୍ୟାଳୟର ୮୨ଟି ଭ୍ୟାନ୍, ବସ୍ ପିଲାମାନଙ୍କୁ ନେବା ଆଣିବା କାର୍ଯ୍ୟ କରୁଛି। ଅନେକ ଗାଡି ପ୍ରଶାସନ ନିୟମକୁ ଫୁ କରି ଛାତ୍ରଛାତ୍ରୀଙ୍କୁ ବେଆଇନ୍ ଭାବେ ନେବା ଆଣିବା କରୁଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ବି ସାମାନ୍ୟ ଚେତୁନାହାଁନ୍ତି। ଘରୋଇ ସ୍କୁଲରେ ଏଭଳି ବେଆଇନ୍ ପରିବହନ ଅଧିକ ମାତ୍ରାରେ। ନିୟମ ଫାଙ୍କି ଥିବା ସ୍କୁଲ ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ନହେବା ନେଇ ଅସନ୍ତୋଷ ବଢିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top