ଦୁବାଇ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ : ସମ୍ବର୍ଦ୍ଧିତ ହେବେ ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରଦୀପ ଭୋଳ

ସମ୍ବଲପୁର, ୧୦/୯ (ଓଡ଼ିଆ ପୁଅ) – ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ଆସନ୍ତା ୧୪ ତାରିଖ ଦିନ ନୂଆଖାଇ ପାଳନ ପାଇଁ ସର୍ବତ୍ର ପ୍ରସ୍ତୁ୍ତି ଚାଲିଛି। ଏଥର ୟୁନାଇଟେଡ଼ ଆରବ ଏମିରେଟସ୍ – ୟୁଏଇ ପଶ୍ଚିମ ଓଡ଼ିଶା ପରିବାର ସଂଗଠନ ପକ୍ଷରୁ ଦୁବାଇର କନ୍ସୁଲେଟ ଅଡ଼ିଟୋରିୟମ ଠାରେ ନୂଆଖାଇ ଭେଟଘାଟ ଆୟୋଜନ ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ୟୁଏଇ ଓଡ଼ିଆ ସମାଜ ଆନୁକୂଲ୍ୟରେ ଏଥର ଭେଟଘାଟର ପଞ୍ଚମ ସଂସ୍କରଣ ନୂଆଖାଇର ଧାର୍ଯ୍ୟ ତିଥିରେ ପାଳନ କରାଯାଉଛି। ଭେଟଘାଟ ଉତ୍ସବକୁ ଦୂବାଇରେ ଅବସ୍ଥାପିତ ଭାରତୀୟ କନ୍ସଲ ଜେନେରାଲ ଉଦ୍ଘାଟନ କରିବେ। ଏହାବାଦ ଦୁବାଇରେ ରହୁଥିବା ଓଡ଼ିଶାର ପ୍ରବାସୀ ବାସିନ୍ଦାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଦ୍ୱିତୀୟ ଅଧିବେଶନରେ ସମ୍ବଲପୁରର ନଟରାଜ ସାଂସ୍କୃତିକ ଦଳର ୧୩ ଜଣ କଳାକାରଙ୍କ ଦ୍ୱାରା ସମ୍ପାଦକ ମହେଶ ପଟେଲଙ୍କ ସଂଯୋଜନାରେ ସମ୍ବଲପୁରୀ ନୃତ୍ୟ ଗୀତ ସହିତ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ମଞ୍ଚସ୍ଥ କରାଯିବ। ଏହି ଅବସରରେ ଖ୍ୟାତିପ୍ରାପ୍ତ ନାଟ୍ୟକାର ନିର୍ଦ୍ଦେଶକ ଏବଂ ସମ୍ବଲପୁରୀ/ଓଡ଼ିଆ ଚଳଚ୍ଚିତ୍ର ‘ଚିନି’ର ନିର୍ଦ୍ଦେଶକ ପ୍ରଦୀପ କୁମାର ଭୋଳଙ୍କୁ ସମ୍ମାନିତ କରାଯିବ। ସେହିଭଳି ସମ୍ବଲପୁରୀ କଳା ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ପ୍ରଭୂଦତ୍ତ ପ୍ରଧାନଙ୍କୁ ତାଙ୍କ ଆବର୍ତ୍ତମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ଉଦ୍ୟୋକ୍ତାମାନେ ସୂଚନା ଦେଇଛନ୍ତି। ପ୍ରଭୂଦତ୍ତଙ୍କ ପକ୍ଷରୁ ତାଙ୍କ ପୁତ୍ର ଅସୀମ ଏହି ସମ୍ବର୍ଦ୍ଧନା ଗ୍ରହଣ କରିବେ। ଗ୍ୟାସ ଅଥରିଟୀ ଅଫ୍ ଇଣ୍ଡିଆ ଲିମିଟେଡ଼ ପ୍ରଯୋଜକ ଏବଂ ସାରଜାହାର ନ୍ୟାସନାଲ ପେଣ୍ଟସ୍ କମ୍ପାନୀ ଓ ଏସ.ଜେ.ଡେଭେଲପର୍ସ ପ୍ରା.ଲି. (ଭାରତ) ସହ ପ୍ରଯୋଜକ ରହିଛନ୍ତି। ଭେଟଘାଟ ଉତ୍ସବରେ ୟୁଏଇ ଓ ଆଖପାଖ ଅଞ୍ଚଳରୁ ୬୦୦ରୁ ଉର୍ଦ୍ଧ୍ୱ ଓଡ଼ିଶା ବାସିନ୍ଦା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସମ୍ମତି ଦେଇ ସାରିଛନ୍ତି। ଏହା ବ୍ୟତୀତ କୋଲକାତା, ନୂଆଦିଲ୍ଲୀ, ଚେନ୍ନାଇ, ପୁନେ ପ୍ରଭୃତି ସ୍ଥାନରେ ମଧ୍ୟ ନୂଆଖାଇ ଭେଟଘାଟ ସମାରୋହ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *