ଦୁବାଇରେ ପାଳିତ ହେଲା ନୂଆଁଖାଇ ଭେଟଘାଟ

ସମ୍ବଲପୁର, ୧୬/୯ (ଓଡ଼ିଆ ପୁଅ) – ୟୁନାଇଟେଡ଼ ଆରବ ଏମିରେଟସ୍ ର ଦୁବାଇ ସ୍ଥିତ ଇଣ୍ଡିଆନ୍ କନ୍ସୁଲେଟ ସଭାଗୃହରେ ଗତକାଲି ନୂଆଁଖାଇ ଭେଟଘାଟ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚମ ବର୍ଷ ପାଇଁ ଦୁବାଇରେ ଭେଟଘାଟ ପାଳନ ହେତୁ ଏଥର ଅଧିକ ଭାରତୀୟ ଲୋକ ଏଥିରେ ସାମିଲ ହୋଇଥିଲେ। ୬୦୦ରୁ ଉର୍ଦ୍ଧ୍ୱ ଦର୍ଶକଙ୍କ ସମ୍ମୁଖରେ ଏଠାରେ ବସବାସ କରୁଥିବା ଓଡ଼ିଶାବାସୀଙ୍କ ମଧ୍ୟରୁ ୬୦ ଜଣ ଏବଂ ସମ୍ବଲପୁରରୁ ଯାଇଥିବା ୧୩ ଜଣିଆ କଳାକାର ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ୧୪ ତାରିଖର କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଆକର୍ଷଣୀୟ ଓ ମନୋମୁଗ୍ଧକର କରି ତୋଳିଥିଲେ। ସମ୍ବଲପୁରର ନଟରାଜ ଡ୍ୟାନ୍ସ ଗ୍ରୁପର ୧୩ ଜଣିଆ କଳାକାର ଦଳ ବିବିଧ ପାରମ୍ପରିକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ମଞ୍ଚକୁ ଦୁଲକାଇ ଦେଇଥିବା ବେଳେ ଶିଶୁରୁ ବୃଦ୍ଧ ବୟସ ପର୍ଯ୍ୟନ୍ତ ହୋଇଥିବା ସ୍ଥାନୀୟ କଳାକାର ମଧ୍ୟ ସେମାନଙ୍କ ମା’-ମାଟିର ସମ୍ବଲପୁରୀ ନୃତ୍ୟ ଅଦମ୍ୟ ଉତ୍ସାହରେ ପରିବେଷଣ କରି ନିଜ ସଂସ୍କୃତି ପ୍ରତି ସେମାନଙ୍କର ଭଲ ପାଇବା ତଥା ସମ୍ବଲପୁରୀ ସଂସ୍କୃତି ସେମାନଙ୍କ ଠାରେ ରଚି ମଜ୍ଜି ଯାଇଥିବାର ନିଦର୍ଶନ ପ୍ରତିପାଦିତ କରିଥିଲେ। କନ୍ସୁଲ କଲଚରାଲ ଶ୍ରୀ ପ୍ରେମଚାନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୂର୍ବାହ୍ନ ୧୦ଟାରେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତ୍ୟେକ ଲୋକଙ୍କୁ ନିଜ ମାଟି ଏବଂ ପରମ୍ପରା ସହିତ ଯୋଡ଼ି ରଖିବାରେ ସହାୟକ ହୋଇଥାଏ ବୋଲି ତାଙ୍କ ଉଦବୋଧନରେ ସେ କହିଲେ। ସେ ଆହୁରି କହିଲେ ଯେ ପ୍ରତିବର୍ଷ ଇଣ୍ଡିଆନ୍ କନ୍ସୁଲେଟ ଏହି ପର୍ବକୁ ଚାହିଁ ରହିଥାଏ। କାରଣ ଏଥିରେ ଆକର୍ଷଣ ରହିଛି। ଏ ଅବସରରେ ସୁନ୍ଦରଗଡ଼ର ପ୍ରସିଦ୍ଧ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଏବଂ ସମ୍ବଲପୁରୀ ଚଳଚ୍ଚିତ୍ର ‘ଚିନି’ର ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କୁ ସମ୍ମାନିତ କରାଯାଇଥିଲା। ସେ ୨୦୦ରୁ ଅଧିକ ନାଟକ ପରିବେଷଣ କରିବା ସହିତ ସର୍ବାଧିକ ନାଟ୍ୟ କଳାକାରଙ୍କୁ ନେଇ ସମ୍ବଲପୁରୀ ଭାଷାରେ ଏକ ନାଟକ ପ୍ରଦର୍ଶନ କରି ରେକର୍ଡ଼ ସୃଷ୍ଟି କରିଛନ୍ତି। ସେହିଭଳି ଚିନି ରାଜ୍ୟର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଓ ଅନ୍ୟାନ୍ୟ ପୁରସ୍କାର ପ୍ରାପ୍ତ କରିଛି। ସେହିଭଳି ବିଶ୍ୱର ଅନ୍ୟତମ ଅଗ୍ରଣୀ ଲୋକପ୍ରିୟ ଗୀତ ରଙ୍ଗବତୀର ସଂଗୀତ ନିର୍ଦ୍ଦେଶକ ପ୍ରଭୂଦତ୍ତ ପ୍ରଧାନଙ୍କୁ ମରଣୋତ୍ତର ପୁରସ୍କାର ପ୍ରଦାନ କରାଯାଇଛି। ବହୁଗୁଡ଼ିଏ ପ୍ରସିଦ୍ଧ ସମ୍ବଲପୁରୀ ଗୀତର ସୃଷ୍ଟିକର୍ତ୍ତା, ଅଗ୍ରଣୀ ବାଦ୍ୟଶିଳ୍ପୀ ପ୍ରଭୂଦତ୍ତ ପ୍ରଧାନଙ୍କ ପାଇଁ ଏହି ମରଣୋତ୍ତର ସମ୍ମାନ ତାଙ୍କର କଳାକାର ପୁତ୍ର ଅସୀମ ପ୍ରଧାନ ଗ୍ରହଣ କରିଥିଲେ। ବିଦେଶ ମାଟିରେ ସମ୍ବଲପୁରୀ ସଂସ୍କୃତି ପ୍ରତି ଅତ୍ୟଧିକ ଆଦର ତାଙ୍କୁ ଭାବବିହ୍ୱଳିତ କରିଥିଲା। ନୂଆଁଖାଇ ଭେଟଘାଟ ଅବସରରେ ସ୍ଥାନୀୟ ନିବାସୀଙ୍କ ମଧ୍ୟରେ ସେଲଫି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେଲଫିରେ ତଶୱର ଅଲି ବିଜେତା ଏବଂ ସେଫାଳି ପାଣିଗ୍ରାହୀ ଉପବିଜେତା ହୋଇ ପୁରସ୍କୃତ ହୋଇଛନ୍ତି। ଶେଷରେ ସମସ୍ତେ ପାରମ୍ପରିକ ଖାଦ୍ୟପେୟ ଗ୍ରହଣ କରିଥିଲେ। ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ପରିବେଶକୁ ସମ୍ବଲପୁରୀ ମୟ କରିଥିଲା।

Leave a Reply

Your email address will not be published. Required fields are marked *