ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପିଲାମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ଲକ୍ଷ୍ୟରେ ସରକାର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ହେଲେ ଭଦ୍ରକ ଜିଲା ଧାମନଗର ବ୍ଲକରେ ଦୁଇ ମାସ ଧରି କିଛି ସ୍କୁଲରେ ମଧ୍ୟାହ୍ନଭୋଜନ ଚାଉଳ ମିଳି ନଥିବାରୁ ବର୍ତ୍ତମାନ ସେସବୁ ସ୍କୁଲରେ ମଧ୍ୟାହ୍ନଭୋଜନ ରୋଷେଇ ବନ୍ଦ ହେବାକୁ ବସିଛି। କେତେକ ପ୍ରଧାନ ଶିକ୍ଷକ ଆସନ୍ତା ସୋମବାରରୁ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ କରିବାକୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଚଳିତ ମାସ ଧାମନଗର ବ୍ଲକରେ ମଧ୍ୟାହ୍ନଭୋଜନ ଚାଉଳ ହେରଫେର ଘଟଣା ପରେ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଇଛି। ପ୍ରକାଶ ଯେ ବିରୁହାଁ ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ୧୪ଟି ସ୍କୁଲରୁ ୭ଟିକୁ ମଧ୍ୟାହ୍ନଭୋଜନ ବାବଦକୁ ଚାଉଳ ମିଳିଥିବାବେଳେ ଅବଶିଷ୍ଠ ୭ଟି ସ୍କୁଲକୁ ଦୁଇ ମାସ ହେଲା ଚାଉଳ ମିଳିନାହିଁ। ଫଳରେ ସଂପୃ୍କତ ସ୍କୁଲଗୁଡିକ ଧାର କରଜ କରି ଦୁଇ ମାସ ଧରି ରୋଷେଇ କରୁଥିଲେ। ବର୍ତ୍ତମାନ ଆଉ ରୋଷେଇ କରିବା କଷ୍ଟକର ହୋଇ ପଡିଛି ବୋଲି ପ୍ରଧାନ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ଆସନ୍ତା ସୋମବାର ଦିନ ସୁଦ୍ଧା ଯଦି ଚାଉଳ ନମିଳେ ତେବେ ରୋଷେଇ ବନ୍ଦ ରହିବ ବୋଲି ଆଜି ସଂପୃକ୍ତ ୭ଟି ସ୍କୁଲର ପ୍ରଧାନ ଶିକ୍ଷକ ଏକ ଲିଖିତ ଅଭିଯୋଗ ଧାମନଗର ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଛନ୍ତି। ସେହିପରି ଖଙ୍ଗରା ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ୧୫ଟି ସ୍କୁଊରୁ ୪ଟିକୁ ଚାଉଳ ମିଳିଥିବା ବେଳେ ଅବଶିଷ୍ଟ ୧୧ଟି ସ୍କୁଲକୁ ଦୁଇ ମାସ ହେଲା ଚାଉଳ ମିଳିନାହିଁ। ପ୍ରଧାନ ଶିକ୍ଷକମାନେ ଧାରକରଜ କରି ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବାରୁ ଆଗକୁ ତାହା ସମ୍ଭବ ନୁହେଁ ବୋଲି ପ୍ରକାଶ କରିଛନ୍ତି। ସେହିପରି ଇନ୍ଦ୍ରଗୋବିନ୍ଦ ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନ ୧୪ଟି ସ୍କୁଲରୁ ୫ଟିକୁ ଚାଉଳ ମିଳିଥିବାବେଳେ ଅବଶିଷ୍ଟ ୯ଟିକୁ ଦୁଇମାସ ହେଲା ମିଳିନାହିଁ। ଏ ସଂପର୍କରେ ବ୍ଲକ ଶିକ୍ଷାଧିକାରୀ ପବିତ୍ରମୋହନ ବାରିକ କହନ୍ତି, କିଛିଦିନ ପୂର୍ବେ ଧାମନଗର ବ୍ଲକରେ ମଧ୍ୟାହ୍ନ ଭୋଜନ ଚାଉଳକୁ ନେଇ ସମସ୍ୟା ଉପୁଜିବାରୁ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏହା ଯୋଗୁଁ ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଉଥିବା ସଂପୃକ୍ତ ଡିଲରଙ୍କ ନାମରେ ମାମଲା ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କ ସହିତ ଏ ସଂପର୍କରେ ଆଲୋଚନା କରିଆସନ୍ତା ସୋମବାର ସୁଦ୍ଧା ଚାଉଳ ଯୋଗାଣ ବ୍ୟବସ୍ଥା କରାଯିବାର ସମ୍ଭାବନା ରହିଛି ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତି।
