ଦୁଇ ଐତିହାସିକ ଘଟଣାର ସ୍ମାରକୀ ବହନ କରୁଥିବା ସ୍ଥାନ ଅବହେଳିତ ; ଏହାର ବିକାଶ ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାଦରକାର ; ସ୍ମୃତି କମିଟିର ସଭାପତି ଦେବବ୍ରତ ରାଉତ

ଯାଜପୁର-୨୦/୮(ଓଡିଆ ପୁଅ/ଏ.ରାଉତ) କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଚୀନ କଳା, ସଂସ୍କୃତି ଓ ଐତିହ୍ୟର କ୍ରମ ବିକାଶ ଦିଗରେ ବହୁ ଅର୍ଥ ବାର୍ଷିକ ବ୍ୟୟ ଅଟକଳ କରୁଛନ୍ତି। ଫଳରେ ପୁରାତନ ସ୍ମାରକୀ ଓ ସଂସ୍କୃତିର ବିକାଶ ଅନେକାଂଶରେ ସମ୍ଭବ ହୋଇପାରୁଛି। ସେଥିନେଇ କେନ୍ଦ୍ର ଓ ରାଜ୍ୟର ସଂସ୍କୃତି ବିଭାଗ ତପ୍ତରତା ପ୍ରକାଶ କରୁଥିବା ଜଣାଯାଏ। ଏହି ନିକଟରେ ଯାଜପୁର ଜିଲ୍ଲା ପ୍ରସିଦ୍ଧ କୁସୁମା ପୋଖରୀର ପୁନଃଉଦ୍ଧାର କାର୍ଯ୍ୟ କରାଯାଇ ତାର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଇଛି। ତାହା ସଫଳତାର ସହ କାର୍ଯ୍ୟ କରାଯାଇଥିବା ଜଣାଯାଏ। ସେହିପରି ଜିଲ୍ଲାର ଅନେକ ପୁରାତନ ଐତିହ୍ୟ ସ୍ଥଳିଗୁଡିକର ଉନ୍ନତି ଦିଗରେ ବହୁ ଅର୍ଥ ବିନିମୟ କରାଯାଇଛି। ହେଲେ ସ୍ୱାଧୀନତାର ପୂର୍ବରୁ ଦୁଇ ଐତିହାସିକ ଘଟଣାର ସ୍ମାରକୀ ବହନ କରୁଥିବା ସ୍ଥାନ ଆଜି ସମ୍ପୂର୍ଣ୍ଣ ଅବହେଳିତ। ଏହି ସ୍ଥାନଟି ପୂର୍ବରୁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅବିଭକ୍ତ ଜେନାପୁର ଅଞ୍ଚଳରେ ରହିଥିଲା। ସରକାରଙ୍କ ଡିଲିମିଟେସନ୍ ଫଳରେ ବୃନ୍ଦାଦେଇପୁର ପଞ୍ଚାୟତ ଅଧିନକୁ ଏହି ସ୍ଥାନଟି ଚାଲିଯାଇଛି। ଏହି ସ୍ଥାନଟି ଏବେ ସୋମବାର ହାଟ ପଡ଼ିଆ ନାମରେ ପରିଚିତ। ଏହି ସ୍ମାରକୀକୁ ଦୃଷ୍ଟି ଦେଇ ସ୍ଥାନୀୟ ଲୋକମାନେ ଏକ ମଣ୍ଡପ ନିର୍ମାଣ କରିଛନ୍ତି। ଏହି ପଡ଼ିଆରେ ରାଜାଙ୍କ ଶାସନ ବିରୁଦ୍ଧରେ ପ୍ରଜାମେଳି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ସେହିପରି ବୀର ବାଳକ ବାଜି ରାଉତଙ୍କ ଶବକୁ ଏଠାକୁ ଅଣାଯାଇ ରେଳ ଯୋଗେ ଜେନାପୁରରୁ କଟକସ୍ଥିତ ସତୀଚଉରାକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପରେ ପ୍ରଜାମେଳି ଆନ୍ଦୋଳନର ହୀରକ ଜୟନ୍ତୀ ପାଳନ ଅବସରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ କୃଷକ ଆନ୍ଦୋଳନ ଏଠାରେ ଅନୁଷ୍ଠିତ ହୋଇଥିଲା। ଏହିଭଳି ପ୍ରଚୀନ ଇତିହାସ ଆଜି ଲୋକଲୋଚନରୁ ଲିଭିଯିବାକୁ ବସିଛି। ଯଦି ସରକାରୀ ଭାବେ ଉଦ୍ୟମ କରାଯାଇ ଏହାର ପ୍ରଚୀନ ଗୋ÷ରବକୁ ଗୈାରାବାନିତ୍ୱ କରାଯାଆନ୍ତା ତେବେ ଧର୍ମଶାଳା ଇତିହାସ ଆହୁରି ସମୃଦ୍ଧ ହୋଇପାରନ୍ତା। ତାହା କରାଯାଉନଥିବାରୁ ସ୍ଥାନୀୟ ବିଧାୟକଙ୍କ ଏହା ଅପରାଗ ପଣଆ ବୋଲି ଐତିହ୍ୟ ପ୍ରେମୀମାନେ ମତ ପୋଷଣ କରିଛନ୍ତି। ପ୍ରକାଶ ଥାଉକି ୧୯୩୮ ମସିହାରେ ପଡୋଶୀ ଜିଲ୍ଲା ଢ଼େଙ୍କାନାଳରୁ ଲକ୍ଷ୍ୟ ଲକ୍ଷ୍ୟ ପ୍ରଜା ରାଜାଙ୍କ ଶାସନରେ ଅତିଷ୍ଟ ହୋଇ ପଳାୟନ କରି ଏଣ୍ଡଳବା ପଞ୍ଚାୟତ କଲାଣ୍ଡ ଠାରେ ଆଶ୍ରୟ ନେଇଥିଲେ। ଢ଼େଙ୍କାନାଳର ଗାନ୍ଧୀ ବୋଲି କୁହାଯାଉଥିବା ସାରଙ୍ଗ ଦାସ ଏହାର ନେତୃତ୍ୱ ନେଉଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱେଶ୍ୱର ଭୁତିଆ ଓ ବୃନ୍ଦାବନ ତ୍ରୀପାଠୀ ଏଥିରେ ସାମିଲ ହୋଇଥିଲେ। ଧର୍ମଶାଳାରେ ପ୍ରଜାମାନେ ପହଞ୍ଚିଲା ପରେ ସ୍ୱାଧୀନତା ସଂଗ୍ରାମୀ ପରମାନନ୍ଦ ମହାନ୍ତି, ଦୁର୍ଗାଚରଣ ମୁଦୁଲି, ଭଗବାନ ରଥ, ମୁରଲୀ କର, ଗୋବିନ୍ଦ ମିଶ୍ର, ପ୍ରାଣକୃଷ୍ଣ ପଢ଼ିଆରି ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଯେଉଁଦିନ ବୃନ୍ଦାଦେଇପୁର ସୋମବାର ହାଟ ପଡ଼ିଆରେ ପ୍ରଜାମେଳି ଆନ୍ଦୋଳନ ଗଠିତ ହେଲା ସେଦିନ ଓଡ଼ିଶା ରାଜ୍ୟର ପ୍ରମୁଖ ନେତୃମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ। ତାହା ସମଗ୍ର ଭାରତ ବର୍ଷ ପାଇଁ ଇତିହାସ ପାଲଟି ଯାଇଥିଲା। ପରେ ୧୯୩୮ ମସିହା ଅକ୍ଟୋବର ୧୧ ତାରିଖ ଦିନ ବୀର ବାଳକ ବାଜି ରାଉତ ଇଂରାଜୀ ମାନଙ୍କ ଗୁଳିରେ ସହିଦ୍ ହୋଇଥିଲେ। ଏଥିରେ ଇଂରେଜୀମାନଙ୍କ ସହିତ ରାଜାଙ୍କ ସନ୍ଧି ଥିବାରୁ ଢ଼େଙ୍କାନାଳରେ ବୀର ବାଳକ ବାଜି ରାଉତଙ୍କ ଶେଷକୃତ୍ୱ ସମ୍ପନ୍ନ ହୋଇପାରିଲାନାହିଁ। ତାଙ୍କ ଶବକୁ ଭେଳା ସାହାଯ୍ୟରେ ବ୍ରାହ୍ମଣୀ ନଦୀ ଦେଇ ଚଉଷଠିପଡ଼ା ଘାଟକୁ ଅଣାଯାଇଥିଲା। ସେଠାରୁ ଶବ ଅଣାଯାଇ ବୃନ୍ଦାଦେଇପୁର ହାଟ ପଡ଼ିଆରେ ରଖାଯାଇଥିଲା। ପରେ ଜେନାପୁର ରେଳ ଷ୍ଟେସନରୁ କଟକ ସତୀ ଚଉରା ନିଆଯାଇ ତାଙ୍କର ଶବ ସଂସ୍କାର କରାଯାଇଥିଲା। ଏଭଳି ଏକ ଗୋ÷ରବାଜ୍ୱଳ ଇତିହାସ ଆଜି ହଜିଯିବାକୁ ବସିଛି। ବର୍ତ୍ତମାନର ଯୁବପିଢ଼ୀ ସେଥିନେଇ ଅବଗତ ହୋଇପାରୁନାହାଁନ୍ତି। ଯଦି ଏହାର ପୁନଃଉଦ୍ଧାର କରାନଯାଏ ତେବେ ଏଭଳି ଇତିହାସର ଉନ୍ମୋଚନ ହୋଇପାରିବ ନାହିଁ। କିମ୍ବା ପୂର୍ବ ପିଢ଼ୀମାନେ ଏଥିନେଇ ଅବଗତ ହୋଇପାରିବେ ନାହିଁ। ଯଦି ଏଥିପ୍ରତି ରାଜ୍ୟସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏଠାରେ ଏକ ପ୍ରଜାମେଳି ଆନ୍ଦୋଳନର ସ୍ମାରକୀ, ମଣ୍ଡପ ନିର୍ମାଣ କରିବା ସହିତ ବୀରବାଳକ ବାଜି ରାଉତଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଆନ୍ତା ତେବେ ଏହାର ଇତିହାସ ଉଦ୍ଜୀବୀତ ହୋଇପାରନ୍ତା। ଏହାର ଗୁରୁତ୍ୱ ଲକ୍ଷ୍ୟ କରି ସ୍ଥାନୀୟ ଅଞ୍ଚଳର ଯୁବକମାନେ ବୀର ବାଳକ ସ୍ମୃତି କମିଟି ଗଠନ କରି ସେଠାରେ ଆଜକୁ ୫ବର୍ଷ ହେବ ତାଙ୍କର ସହିଦ୍ ଦିବସ ପାଳନ କରୁଛନ୍ତି। ବୃନ୍ଦାଦେଇପୁରସ୍ଥିତ ମହାଲକ୍ଷ୍ମୀ କ୍ଲବ୍ ଓ ବୀରବାଳକ ବାଜି ରାଉତ ସ୍ମୃତି କମିଟି ପକ୍ଷରୁ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହାର ବିକାଶ ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ମୃତି କମିଟିର ସଭାପତି ଦେବବ୍ରତ ରାଉତ ଓ ସଂପାଦକ ଅସ୍ୱିନୀ ଶତପଥୀ ପ୍ରମୁଖ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *