ମାଲକାନଗିରି, ୨ା୮ (ଓଡିଆ ପୁଅ ) ପ୍ରେମ ବିବାହରୁ ସନ୍ତାନ ଜନ୍ମ ହେବାପରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗି ଜନ୍ମକଲା ସନ୍ତାନକୁ ଛାଡି ଦୂରେଇ ଗଲେ, ଶେଷରେ ବାପା ମା’ ଥାଇ ମଧ୍ୟ ଅନାଥ ହୋଇ ବୃଦ୍ଧା ବୁଢିମାଙ୍କ ପାଖରେ ଆଶ୍ରୟ ନେଇଛନ୍ତି ଏହି ଭାଇ ଓ ଭଉଣୀ। ଏହି ଦୁଇଅନାଥ ଭାଇ ଭଉଣୀଙ୍କ ଦୁଃଖ ଜାଣିବା ପରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏହାର ତୁରନ୍ତ ତଦନ୍ତ କରି ଦୁଇ ଶିଶୁଙ୍କୁ ଥଇଥାନର ବ୍ୟବସ୍ଥା କରିଛନ୍ତି। ମାଲକାନଗିରି ସଦର ମହକୁମା ନୁଆଗୁଡା ଗ୍ରାମର ବାବୁଲା କଚିମ ଗତ ୧୦ ବର୍ଷ ତଳେ ବିମଳା କଚିମ ନାମକ ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ ହୋଇଥିଲେ। ବିବାହର ବର୍ଷକ ପରେ ସେମାନଙ୍କର ଗୋଟିଏ ପୁଅ ତାପରେ ଗୋଟିଏ ଝିଅ ଜନ୍ମ ହେଲା। ଗତ ତନିବର୍ଷ ତଳେ ସ୍ୱାମୀ ଓ ନିଜର ପୁଅ, ଝିଅଙ୍କୁ ଛାଡିଦେଇ ବିମଳା ଅନ୍ୟତ୍ର ବିବାହ ହୋଇ କେଉଁ ଆଡେ ପଳାଇଲେ। ତା’ର ଗୋଟିଏ ବର୍ଷ ପରେ ବାବୁଲା କଚିମ ମଧ୍ୟ ଆଉଜଣେ ମହିଳାଙ୍କୁ ବିବାହ ହୋଇ ନିଜ ବୃଦ୍ଧା ମା’ ଓ ପୁଅ ଝିଅଙ୍କୁ ଛାଡି ସେ ମଧ୍ୟ ଘର ଦ୍ୱାରା ଛାଡି ପଳାଇଗଲେ। ବାପା ଓ ମା କେଉଁ ଆଡେ ପଳାଇଯିବା ପରେ ବାଧ୍ୟହୋଇ ବୁଢିମା ହିରାମଣୀ କଚିମ ବୃଦ୍ଧା ବୟସରେ ନାତି ଓ ନାତୁଣୀଙ୍କ ପେଟପୂରା ଦାନା ଯୋଗାଡ କରିବା ପାଇଁ ପର ଘରେ ମୂଲ ମଜୂରୀ ଲାଗି ବହୁ କଷ୍ଟରେ ଚଳୁଥିଲେ। ଏହି ଖବର ଜିଲ୍ଲା ପ୍ରଶାସନ ନିକଟରେ ପହଁଚିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରେମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ଓ ଲିଗାଲ ଅଫିସର ସତ୍ୟଜିତ ପଣ୍ଡା ନୂଆଗୁଡା ଗ୍ରାମରେ ପହଁଚି ଶିଶୁ ସୁଲକ କଚିମ(୯) ଓ ଶ୍ରୁତୀ କଚିମ(୫) ଦୁଇ ଅନାଥ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କୁ ମାଲକାନଗିରି ଜିଲ୍ଲା ଶିଶୁମଙ୍ଗଳ କମିଟିକୁ ଆଣି କାଉଁସିଲିଂ କରି ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମା ବୁଟିଗୁଡା ହଷ୍ଟେଲରେ ରଖାଯାଇ ପାଠପଢ଼ାଇବାର ବ୍ୟବସ୍ଥା କରାଯାଇଛି। ସେହି ଅସହାୟ ପିଲା ସୁଲକ କଚିମ(୯) ଓ ଶୃତୀ କଚିମ( ୫ ) ଙ୍କୁ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ଯାଇଛି। ଅନ୍ୟ ପିଲାମାନଙ୍କ ପରି ସେମାନେ ବିଦ୍ୟାଳୟ ଛାତ୍ରାବାସରେ ରହି ପାଠପଢିବା ଆରମ୍ଭ କରିଛନ୍ତି। ବାପା ମା ଥାଇ ଅନାଥ ଭାବେ ବୃଦ୍ଧା ବୁଢି ମା’ଙ୍କ ନିକଟରେ ଦୁଃଖ କଷ୍ଟରେ ଜୀବନ ବିତାଉଥିବା ଏହି ଭାଇ ଓ ଭଉଣୀଙ୍କୁ ମାଲକାନଗିରି ଜିଲ୍ଲାପାଳ ଶିକ୍ଷାର ମାର୍ଗ ଦେଖାଇ ମାଗଣାରେ ରହିବା ଓ ପାଠପଢାଇ ଥଇଥାନର ବ୍ୟବସ୍ଥା କରିଥିବାରୁ ନୂଆଗୁଡା ଗ୍ରାମବାସୀମାନେ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲଙ୍କୁ ସାଧୁବାଦ ଜଣାଇଛନ୍ତି।
