ଆମ ସଂସ୍କୃତି, କଳା ଓ ଐତିହ୍ୟ

ଦୁଂଦେଲମାଲ ଉନ୍ନୀତ ହାଇସ୍କୁଲରେ ଅନିୟମିତତା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ । ଦୁର୍ନୀତିଗ୍ରସ୍ତ ଶିକ୍ଷକ ଙ୍କୁ ସୁରକ୍ଷା ଦେବାକୁ ଶାସକ ଦଳ ନେତାଙ୍କ ଡିଇଓଙ୍କ ପାଖରେ ଚାପକୁ ନେଇ ଜନ ସାଧାରଣରେ ଅସନ୍ତୋଷ ।

କଳାହାଣ୍ଡି-(ଓଡିଆପୁଅ)21/04 କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଦୁଂଦେଲମାଲ ଗ୍ରାମ ଠାରେ ଥିବା ପ୍ରାଥମିକ ବିଦ୍ୟାଳୟରୁ ଉନ୍ନୀତ କରାଯାଇଥିବା ହାଇସ୍କୁଲ ରେ ଶିକ୍ଷକ ଅନିୟମିତତା, ମଧ୍ୟାହ୍ନ ଭୋଜନରେ ହେରାଫେରି ଅଭିଯୋଗ ହେବାପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ହେଲେ ନିଜକୁ ଆରଏସଏସର ବରିଷ୍ଠ କାର୍ଯ୍ୟକର୍ତା ବୋଲି ପରିଚୟ ଦେଉଥିବା ଏବଂ ଅତୀତରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନରେ ନାନାପ୍ରକାର ଅନିୟମିତତା କରିଥିବା ଏହି ଦୁର୍ନୀତିଗ୍ରସ୍ତ ଶିକ୍ଷକଙ୍କ ସପକ୍ଷରେ ଶାସକ ଦଳର ଜୁନାଗଡ ନେତା ତୁରନ୍ତ ସେହି ସ୍କୁଲରେ ହିଁ ଅବସ୍ଥାପିତ କରିବାକୁ କଳାହାଣ୍ଡି ଡିଇଓଙ୍କ ପାଖରେ ଚାପ ପକାଉଥିବା ଚର୍ଚ୍ଚା ହେବା ପରେ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ସୂଚନା ଯୋଗ୍ୟ ଯେ,ଜୁନାଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଦୁନେ୍ଦଲମାଲ ସ୍ଥିତ ଉନ୍ନୀତ ହାଇସ୍କୁଲରେ ପ୍ରାଧାନ ଶିକ୍ଷକ ପଦବୀ ଖାଲିପଡିଥିବାର ସୁଯୋଗ ନେଇ ପ୍ରାଥମିକ ଶିକ୍ଷକ ଧନଂଜୟ ପାଢୀ ବିଇଓ ଅଫିସରେ ଧରାଧରି କରି ଡେପୁଟେସନରେ ଯାଇ ପ୍ରଧାନ ଶିକ୍ଷକ ପଦବୀ ସମ୍ଭାଲିଥିଲେ । ସେ ଯୋଗ ଦେବା ଦିନଠାରୁ ସ୍କୁଲରେ ବିଭିନ୍ନ ବିଭାଗରେ ଅନିୟମିତତା ହେଉଥିବାର ଅଭିଯୋଗ ହୋଇଆସୁଥିଲା । ବିଶେଷ କରି ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଅନିୟମିତତା କରି ହରିଲୁଟ କରୁଥିବା ଅଭିଯୋଗ ହେଉଥିଲା । ସ୍କୁଲ କମିଟୀର ଅଗୋଚରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭିନ୍ନ ପ୍ରକାର ଖର୍ଚ୍ଚ ଦେଖାଇ ଆର୍ଥôକ ଅନିୟମିତତା କରୁଥିବା ସଭ୍ୟମାନେ ଅଭିଯୋଗ କରୁଥିଲେ । ଏହି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିୟମିତ ଭାବେ ସ୍କୁଲ ଯାଉନଥିବା ବେଳେ ଛୁଟି ଦରଖାସ୍ତ ଖଣ୍ଡେ ପକାଇ ଦେଇ ପରେ ଆସି ଶିକ୍ଷକ ଉପସ୍ଥାନ ଖାତାରେ ଦସ୍ତଖତ କରିଦେଉଥିବା ଅଭିଯୋଗ ହେଉଥିଲା । କମ ସଂଖ୍ୟକ ଛାତ୍ର ଉପସ୍ଥିତ ହେଉଥିବା ବେଳେ ଅଧିକ ସଂଖ୍ୟକ ଛାତ୍ର ଉପସ୍ଥିତ ଦର୍ଶାଇ ମଧ୍ୟାହ୍ନ ଭୋଜନ ଖାଇଥିବା ତଥ୍ୟ ଦାଖଲ କରୁଥିବା ଅଭିଯୋଗ ହୋଇଆସୁଥିଲା । ଗତ ଡିସେମ୍ବର ମାସ୯ତାରିଖରେ କମିଟୀ ସଭ୍ୟମାନେ ସ୍ଥାନୀୟ ପଂଚାୟତିରାଜ ନିର୍ବାଚିତ ସଭ୍ୟ ମାନଙ୍କୁ ସାଙ୍ଗରେ ନେଇ ସ୍କୁଲ ପରିଦର୍ଶନରେ ଯାଇଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତକୁ ୧୧୦ ଜଣ ଛାତ୍ରୀଛାତ୍ର ଉପସ୍ଥିତ ଥାଇ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ମାତ୍ର ୮୦ ଗୋଟି ଅଣ୍ଡା ଦେଇ ପିଲାଙ୍କୁ ଫାଳେ ଲେଖାଏଁ ଦେଉଥିବା କମିଟୀ ସଭ୍ୟ ମାନେ ଦେଖିପାରି ସେନେଇ ଏକ ରେଜୁଲେସନ କରି ଉଚ୍ଚ ପଦାଧିକାରୀ ମାନଙ୍କୁ ଜଣାଇଥିଲେ । ଏପରିକି ଗତ ଫେବୃଆରୀ ମାସରେ ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିରରେ ସ୍ଥାନୀୟ ଅଭିଭାବକ ଏବଂ ସ୍କୁଲ ପରିଚାଲନା କମିଟୀ ସଭ୍ୟ ମାନେ ଲିଖିତ ଭାବେ ଜିଲ୍ଲାପାଳଙ୍କ ପାଖରେ ସ୍କୁଲରେ ହେଉଥିବା ଅନିୟମିତତା ଏବଂ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମଧ୍ୟାହ୍ନ ଭୋଜନ ହରିଲୁଟ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ । ତଦନୁସାରେ ଗତ ଫେବୃଆରୀ ୨୧ତାରିଖ ବୁଧବାର ଦିନ ଧର୍ମଗଡ ଉପଜିଲ୍ଲାପାଳ ୟେଦୁଲ୍ଲା ବିଜୟ ଅଚାନକ ଭାବେ ଦୁନେ୍ଦଲମାଲ ଉନ୍ନୀତ ହାଇସ୍କୁଲକୁ ପରିଦର୍ଶନ କରିଥିଲେ । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠ ପଢାଯାଉଥିବା ବେଳେ କେବଳ ପ୍ରାଥମିକ ଶିକ୍ଷକ ମାନେହିଁ ଏଠାରେ ନିଯୁକ୍ତ ହୋଇଛନ୍ତି । ଏଠାରେ ନିୟମିତ ପ୍ରଧାନଶିକ୍ଷକ ନଥିବା ବେଳେ ଜନୈକ ପ୍ରାଥମିକ ଶିକ୍ଷକଙ୍କୁ ଡେପୁଟେସନରେ ଅବସ୍ଥାପିତ କରାଯାଇଛି । ଉପଜିଲ୍ଲାପାଳଙ୍କ ଏହି ଅଚାନକ ଚଢଉ ସମୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧନଂଜୟ ପାଢୀ ଅନୁପସ୍ଥିତ ଥିବା ବେଳେ ୨୧/୦୨/୨୦୧୮ ଦିନ ପାଇଁ ତାଙ୍କର କୌଣସି ଛୁଟି ଦରଖାସ୍ତ ନଥିଲା । ଏପରିକି ପୂର୍ବରୁ ଦୁଇଦିନ ପାଇଁ ଛୁଟି ଦରକାସ୍ତ ପକାଇ ଦେଇ ସେହି ଦିନ ମାନଙ୍କରେ ମଧ୍ୟ ଶିକ୍ଷକ ଉପସ୍ଥାନ ଖାତାରେ ତାଙ୍କର ସ୍ୱାକ୍ଷର କରାଯାଇଥିବା ଦେଖାଯାଇଥିଲା । ସେହିପରି ଉକ୍ତଦିନ ପ୍ରଥମ ଶ୍ରେଣୀରେ ୧୭ଜଣ ପିଲାଙ୍କ ମଧ୍ୟରୁ ୧୩ଜଣ,ଦ୍ୱିତୀୟ ଶ୍ରେଣୀରେ ୬ଜଣ ମଧ୍ୟରୁ ୩ଜଣ,ତୃତୀୟ ଶ୍ରେଣୀରେ ୮ ଜଣ ମଧ୍ୟରୁ ୪ଜଣ,ଚତୁର୍ଥ ଶ୍ରେଣୀରେ ୮ଜଣ ମଧ୍ୟରୁ ୫ଜଣ,ପଂଚମ ଶ୍ରେଣୀରେ ୧୧ ଜଣ ମଧ୍ୟରୁ ୪ଜଣ,ଷଷ୍ଠ ଶ୍ରେଣୀରେ ୬୩ଜଣ ମଧ୍ୟରୁ ୧୩ଜଣ,ସପ୍ତମ ଶ୍ରେଣୀରେ ୬୭ ଜଣ ମଧ୍ୟରୁ ୨୫ ଜଣ ଓ ଅଷ୍ଟମ ଶ୍ରେଣୀରେ ୪୦ଜଣ ମଧ୍ୟରୁ ୧୦ ଜଣ ମୋଟ ୭୭ ଜଣ ଛାତ୍ରୀଛାତ୍ର ସ୍କୁଲରେ ଉପସ୍ଥିତ ଥିବା ଉପଜିଲ୍ଲାପାଳ ପରିଦର୍ଶନ ସମୟରେ ଦେଖିଥିଲେ । ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷକ ଦାୟୀତ୍ୱରେ ଥିବା ଶ୍ରୀ ପାଢୀ ସ୍କୁଲକୁ ନଯାଇ ସ୍କୁଲ ଠାରୁ ୨୧କି.ମି. ଦୂର ଜୁନାଗଡ ଠାରେ ଥାଇ ମଧ୍ୟାହ୍ନ ଭୋଜନ ନିମନ୍ତେ ଏସଏମଏସ ସୂଚନାରେ ୧୭୬ ଜଣ ଛାତ୍ରୀଛାତ୍ର ସ୍କୁଲରେ ମଧ୍ୟାହ୍ନ ଭୋଜନ ତଥା ଅଣ୍ଡା ପାଇଥିବା  ସୂଚନା ଦେଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗର ରିପୋର୍ଟରୁ ଜଣାପଡିଥିଲା । ପୂର୍ବରୁ ଏଭଲି ଅନେକବାର ହେରାଫେରି ହେଉଥିବା ଅଭିଯୋଗ ହେଉଥିବା ବେଳେ ୨୧ତାରିଖ ଦିନ ଖୋଦ ଧର୍ମଗଡ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଉକ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ରେ ହେରାଫେରି ହେଉଥିବା ସଂପର୍କରେ ସ୍ପଷ୍ଟ ହୋଇଯାଇଥିବା   ପ୍ରକାଶ । ଆଦିବାସୀ ଅଧୂ୍ୟଷିତ ଏବଂ ଆଭ୍ୟନ୍ତରୀଣ ଅଂଚଳରେ ଶିକ୍ଷା ବ୍ୟବସ୍ଥା ଏଭଲି ଭାବେ ବିପର୍ଯ୍ୟସ୍ତ ହୋଇପଡିଥିବା ସହିତ ମଧ୍ୟାହ୍ନ ଭୋଜନ ବାଟମାରଣା ହେଉଥିବା ନେଇ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଉପଜିଲ୍ଲାପାଳ ଙ୍କ ଭଲି ପ୍ରଶାସନିକ ଅଧିକାରୀମାନେ ଏଭଲି ଭାବେ ଅଚାନକ ପରିଦର୍ଶନ କଲେ ଶିକ୍ଷା ବ୍ୟବସ୍ଥାରେ କ୍ରମଶଃ ଉନ୍ନତି ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଥିଲା । ହେଲେ ସଂପୃକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଧନଂଜୟ ପାଢୀ ପରଦିନ ସ୍କୁଲକୁ ଯାଇ ଘଟଣା ସଂପର୍କରେ ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇ ସ୍କୁଲ କମିଟୀ ସଭାପତି ଓ ସଭ୍ୟ ମାନଙ୍କୁ ତଥା ପଂଚାୟତ ପ୍ରତିନିଧି ମାନଙ୍କୁ ନାନା ପ୍ରକାର ଗାଳିଗୁଳଜ କରିବା ସହିତ ମାରିବି ପିଟିବି ଜୁନାଗଡ ଗଲେ ଲୋକ ଲଗାଇ ମାଡ ମରାଇବି ବୋଲି ମଧ୍ୟ କହୁଥିବା ଅଭିଯୋଗ ହୋଇଥିଲା । ଶ୍ରୀପାଢୀଙ୍କ ଏତାଦୃଶ ଉତ୍ୟକ୍ତ ଓ ପ୍ରତିଶୋଧ ପରାୟଣ ତଥା କ୍ରିମିନାଲ ମାନିସକତାର କଥାବାର୍ତା କରୁଥିବା ଚର୍ଚ୍ଚା ହେବା ପରେ ସ୍କୁଲ କମିଟୀର ସଭ୍ୟ ମାନେ ଘଟଣା ସଂପର୍କରେ ବୁଝିବାକୁ ସ୍କୁଲକୁ ଯାଇଥିବା ବେଳେ ଶିକ୍ଷକ ଶ୍ରୀ ପାଢୀ ସେହିଦିନଠାରୁ ଛୁଟିରେ ରହିବା ସହିତ ନିଜ ପ୍ରତି ବିପଦ ଥିବା ବିଇଓଙ୍କୁ ଲିଖିତ ଭାବେ ଜଣାଇଥିବାର ପ୍ରକାଶ । ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଙ୍କ ନିଦେ୍ର୍ଦଶରେ ଏହି ଶିକ୍ଷକ ଧନଂଜୟ ପାଢୀଙ୍କୁ ଡିଇଓ ନିଲମ୍ବନ କରିଥିବା ଜଣାପଡିଛି । ହେଲେ ରାଜନୈତିକ ଆଶ୍ରୟ ନେବା ପରେ ଶାସକ ଦଳର ନେତା କୁନି କୁନି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନକୁ ହରିଲୁଟ କରୁଥିବା ଏହି ଦୁର୍ନୀତିଗ୍ରସ୍ତ ଶିକ୍ଷକଙ୍କ ସପକ୍ଷରେ ଡିଇଓ ଅଫିସରେ ଚାପ ପକାଇ ତାଙ୍କୁ ସେହି ସ୍କୁଲରେ ହିଁ ପୁନଃ ଅବସ୍ଥାପିତ କରିବାକୁ ଦାବୀ କରୁଥିବା ଚର୍ଚ୍ଚା ହେବା ପରେ ସଂପୃକ୍ତ ନେତାଙ୍କ ସଚ୍ଚୋଟ ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଯଦିଓ ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ସୁରକ୍ଷା କବଚ ସାଜି ଶାସକ ଦଳ ନେତା ଉଚ୍ଚ ପଦାଧିକାରୀଙ୍କୁ ଚାପ ପକାଉଛନ୍ତି ତେବେ ସରକାର କିପରି ଭାବେ ଦୁର୍ନୀତିମୁକ୍ତ ଭାବେ ବାହାବା ନେଉଛନ୍ତି ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top