କଳାହାଣ୍ଡି

ଦୁଂଦେଲମାଲ ଉନ୍ନୀତ ହାଇସ୍କୁଲରେ ଅନିୟମିତତା । ଧର୍ମଗଡ ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ।

କଳାହାଣ୍ଡି-(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ  ଦୁଂଦେଲମାଲ ଗ୍ରାମ ଠାରେ ଥିବା ପ୍ରାଥମିକ ବିଦ୍ୟାଳୟରୁ ଉନ୍ନୀତ କରାଯାଇଥିବା ହାଇସ୍କୁଲ ରେ ଶିକ୍ଷକ ଅନିୟମିତତା, ମଧ୍ୟାହ୍ନ ଭୋଜନରେ ହେରାଫେରି ଅଭିଯୋଗ ହେବାପରେ ଗତ ୨୧ତାରିଖ ବୁଧବାର ଦିନ ଧର୍ମଗଡ ଉପଜିଲ୍ଲାପାଳ ୟେଦୁଲ୍ଲା ବିଜୟ ଅଚାନକ ପରିଦର୍ଶନ କରିଛନ୍ତି । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠ ପଢାଯାଉଥିବା ବେଳେ କେବଳ ପ୍ରାଥମିକ ଶିକ୍ଷକ ମାନେହିଁ ଏଠାରେ ନିଯୁକ୍ତ ହୋଇଛନ୍ତି । ଏଠାରେ ନିୟମିତ ପ୍ରଧାନଶିକ୍ଷକ ନଥିବା ବେଳେ ଜନୈକ ପ୍ରାଥମିକ ଶିକ୍ଷକଙ୍କୁ ଡେପୁଟେସନରେ ଅବସ୍ଥାପିତ କରାଯାଇଛି । ଏହି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିୟମିତ ଭାବେ ସ୍କୁଲ ଯାଉନଥିବା ବେଳେ ଛୁଟି ଦରଖାସ୍ତ ଖଣ୍ଡେ ପକାଇ ଦେଇ ପରେ ଆସି ଶିକ୍ଷକ ଉପସ୍ଥାନ ଖାତାରେ ଦସ୍ତଖତ କରିଦେଉଥିବା ଅଭିଯୋଗ ହେଉଛି । କମ ସଂଖ୍ୟକ ଛାତ୍ର ଉପସ୍ଥିତ ହେଉଥିବା ବେଳେ ଅଧିକ ସଂଖ୍ୟକ ଛାତ୍ର ଉପସ୍ଥିତ ଥାଇ ମଧ୍ୟାହ୍ନ ଭୋଜନ ଖାଇଥିବା ତଥ୍ୟ ଦାଖଲ କରୁଥିବା ଅଭିଯୋଗ ହୋଇଆସୁଥିଲା । ଉପଜିଲ୍ଲାପାଳଙ୍କ ଏହି ଅଚାନକ ଚଢଉ ସମୟରେ ଭାରପ୍ରାପ୍ତ ପ୍ରଦାନ ଶିକ୍ଷକ ଧନଂଜୟ ପାଢୀ ଅନୁପସ୍ଥିତ ଥିବା ବେଳେ ତାଙ୍କର କୌଣସି ଛୁଟି ଦରଖାସ୍ତ ନଥିଲା । ଏପରିକି ପୂର୍ବରୁ ଦୁଇଦିନ ପାଇଁ ଛୁଟି ଦରକାସ୍ତ ଦେଇ ସେହି ଦିନ ମାନଙ୍କରେ ମଧ୍ୟ ଶିକ୍ଷକ ଉପସ୍ଥାନ ଖାତାରେ ତାଙ୍କର ସ୍ୱାକ୍ଷର କରାଯାଇଥିବା ଦେଖାଯାଇଥିଲା । ସେହିପରି ଉକ୍ତଦିନ ମାତ୍ର ୮୦ ଜଣ ଛାତ୍ରୀଛାତ୍ର ସ୍କୁଲରେ ଉପସ୍ଥିତ ଥିବା ଉପଜିଲ୍ଲାପାଳ ପରିଦର୍ଶନ ସମୟରେ ଦେଖିଥିଲେ । ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷକ ଦାୟୀତ୍ୱରେ ଥିବା ଶ୍ରୀ ପାଢୀ ମଧ୍ୟାହ୍ନ ଭୋଜନ ନିମନ୍ତେ ଏସଏମଏସ ସୂଚନାରେ ୧୭୬ ଜଣ ସ୍କୁଲରେ ମଧ୍ୟାହ୍ନ ଭୋଜନ ତଥା ଅଣ୍ଡା ପାଇଥିବା ସୂଚନା ଦେଇଥିବା ଜଣାପଡିଛି । ପୂର୍ବରୁ ଏଭଲି ଅନେକବାର ହେରାଫେରି ହେଉଥିବା ଅଭିଯୋଗ ହେଉଥିବା ବେଳେ ୨୧ତାରିଖର ଘଟଣାରୁ ଉକ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ହେରାଫେରି ହେଉଥିବା ସ୍ପଷ୍ଟ ହୋଇଯାଇଥିବା ଆଲୋଚନା ହେଉଛି । ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସରକାରୀ ନିୟମାନୁସାରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଥିବା ଜଣାପଡିଛି । ଉପଜିଲ୍ଲାପାଳ ଅଭିଭାବକ ଓ ଶିକ୍ଷକ ମାନଙ୍କ ସହ ସ୍କୁଲ ସଂପର୍କରେ ଆଲୋଚନା କରିବା ସହିତ ଛାତ୍ରୀଛାତ୍ର ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ସ୍କୁଲରେ ଶୌଚାଳୟ ଥିବା ବେଳେ ତାହା ଠିକ ଭାବେ ସଫାସୁତୁରା କରାଯାଉନଥିବା ଉପଜିଲ୍ଲାପାଳ ଦେଖି କ୍ଷୋଭ ପ୍ରକାଶ କରିଥିଲେ । ଅଭ୍ୟନ୍ତରୀଣ ଅଂଚଳରେ ଶିକ୍ଷା ବ୍ୟବସ୍ଥା ଏଭଲି ଭାବେ ବିପର୍ଯ୍ୟସ୍ତ ହୋଇପଡିଥିବା ସହିତ ମଧ୍ୟାହ୍ନ ଭୋଜନ ବାଟମାରଣା ହେଉଥିବା ନେଇ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଉପଜିଲ୍ଲାପାଳ ଙ୍କ ଭଲି ପ୍ରଶାସନିକ ଅଧିକାରୀମାନେ ଏଭଲି ଭାବେ ଅଚାନକ ପରିଦର୍ଶନ କଲେ ଶିକ୍ଷା ବ୍ୟବସ୍ଥାରେ କ୍ରମଶଃ ଉନ୍ନତି ଆସିପାରିବ ବୋଲି ମତପ୍ରକାଶ ପାଇଛି । ଉପଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ସହକାରୀ ଜିଲ୍ଲାପାଳ ବିଜୟ ବରିହା ଏବଂ ଦୁଂଦେଲମାଲ ସରପଂଚ ଡଃ ତ୍ରୀଭୂବନ ପଣ୍ଡା ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top