ଦିଲ୍ଲୀପଙ୍କ ସର୍ତ୍ତରେ ରାଜି ହେଉନି ବିଜେଡି

ଭୁବନେଶ୍ୱର ୨୧-୮ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଏକଦା ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମୟାନୁକ୍ରମେ ସେ ବିଜେଡିରୁ ବହିସ୍କୃତ ହୋଇଥିଲେ। ତା’ ପରେ ସେ ସ୍ୱାଧିନ ଭାବରେ ରାଜ୍ୟସଭା ସାଂସଦ ବନିଥିଲେ ଓ ଓଡିଶାରେ ବିଜେଡି ସରକାର ବିରୁଦ୍ଧରେ ତାଙ୍କ ରାଜନୈତିକ ଯୁଦ୍ଧ ଆରମ୍ଭ କରିଥିଲେ। ବିଜେଡିରୁ ବିଦା ହୋଇଥିବା ଅନେକ ବରିଷ୍ଠ ନେତାଙ୍କୁ ସେ ଏକତ୍ର କରାଇ କଂଗ୍ରେସ ଦଳରେ ମିଶାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନଳିନୀ ମହାନ୍ତି, ଶରତ କର, କମଳା ଦାସ, ରାମକୃଷ୍ଣ ପଟ୍ଟନାୟକ, କୁମୁଦୁନୀ ପଟ୍ଟନାୟକ ପରି ଅନେକ ବହିସ୍କୃତ ବିଜେଡି ନେତା କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସରୁ ଅଲୋଡା ହୋଇ ପଡିଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସେ ପିସିସି ସଭାପତି କରାଇବାରେ ସଫଳ ହୋଇଥିଲେ। ଏହା ୨୦୦୪ ମସିହା ସାଧାରଣ ନିର୍ବାଚନ ସମୟର କଥା। ମାତ୍ର ଦିଲ୍ଲୀପ ରାୟଙ୍କ ଏହି ଯୋଜନା ସଫଳ ହୋଇ ପାରି ନଥିଲା। ଏହା ପରେ ରାଜନୀତିରୁ ବିରତି ନେଇ ନିଜ ବ୍ୟବସାୟରେ ମନୋନିବେଶ କରିଥିଲେ ଦିଲ୍ଲୀପ। କିଛି ଦିନ ବ୍ୟବଧାନ ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୧୪ ନିର୍ବାଚନରେ ସେ ବିଜେପି ଟିକେଟରେ ରାଉଲକେଲା ବିଧାନସଭା ନିର୍ବାଚନ ଲଢିଥିଲେ ଏବଂ ବିଧାୟକ ହୋଇଥିଲେ। ବିଧାୟକ ହେବା ପରେ ବିଜେପିରେ ତାଙ୍କ ପତିଆରା ବଢିବାରେ ଲାଗିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପିରେ ତାଙ୍କ ଗୁରୁତ୍ୱ ବୃଦ୍ଧି ପାଇଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସେ ଅତି ନିକଟତର ହେଲେ। କେନ୍ଦ୍ରରେ ଦେବଗୌଡା ସରକାର ଠାରୁ ଆରମ୍ଭ କରି ଅଟଳବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ। ତେଣୁ ନରେନ୍ଦ୍ରମୋଦିଙ୍କ ସହିତ ତାଙ୍କର ପୁରୁଣା ସଂପର୍କ। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘଟଣାଟି ହଜମ ହେଲାନି। ଦିଲ୍ଲୀପଙ୍କ ପତିଆରା ବଢିଲେ କାଳେ ସେ ମୁଖ୍ୟମନ୍ତ୍ରୀ ଦାବିଦାର ହେବେ ସେଥି ପାଇଁ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ତାଙ୍କ ପିଛା ଲାଗି ପଡିଲେ। ରାଉଲ୍କେଲା ଆଇଜିଏଚ ହସପିଟାଲ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଅଧିନକୁ ନେବା ଓ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଦିଲ୍ଲୀପ ରାୟ କେନ୍ଦ୍ର ସରକାର ନିକଟରେ ବାରମ୍ବାର ଅନୁରୋଧ କରୁଥିଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅନେକ ଥର ଭେଟି ଏ ବାବଦରେ ଅବଗତ କରାଇଥିଲେ। ପ୍ରତିଶୃତି ମଧ୍ୟ ମିଳିଥିଲା। ମାତ୍ର ପରେ ରାଜନୈତିକ ଚକ୍ରବ୍ୟୁହରେ ପେଶି ହୋଇ ଯାଇଥିଲେ ସେ।

ଏବେ ପରିସ୍ଥିତି ଏପରି ହୋଇଛି ଯେ, ସେ ଏବେ ବିଜେପିରେ କଣଠୋସା ହୋଇ ରହି ଯାଇଛନ୍ତି। ତାଙ୍କୁ ଆଉ ଦଳ ଭିତରେ ସେପରି ଗୁରୁତ୍ୱ ଦିଆ ଯାଉନାହିଁ। ବିଜେପିର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଆଉ ଡକା ଯାଉ ନାହିଁ। ତାଙ୍କ ସହିତ ବିଜୟ ମହାପାତ୍ରଙ୍କୁ ମଧ୍ୟ ରାଜ୍ୟ ବିଜେପି କ୍ରମାଗତ ଭାବରେ ଅଣଦେଖା କରି ଚାଲିଛି। ତେଣୁ ଏପରି ଏକ ସୁଯୋଗକୁ ହାତ ଛଡା କରିବାକୁ ଚାହୁଁ ନାହିଁ ବିଜେଡି। ଦିଲ୍ଲୀପ ରାୟଙ୍କୁ ପୁଣି ଥରେ ବିଜେଡିକୁ ଫେରାଇ ଆଣିବା ପାଇଁ ତୃତୀୟ ମହଲା ତାର କସରତ ଆରମ୍ଭ କରି ଦେଇଛି। ଦିଲ୍ଲୀପଙ୍କୁ ଫେରାଇ ଆଣିଲେ ସେ ଦଳ ପାଇଁ ଗୋଟିଏ ବଡ ଆସେଟ୍ ହେବେ ବୋଲି ସଚିବାଳୟ ତୃତୀୟ ମହଲା ଅନୁଭବ କରୁଛି। ଦିଲ୍ଲୀପଙ୍କ ସହିତ ଏ ବାବଦରେ କଥାବାର୍ତ୍ତା ସରିଛି। ସେ ମଧ୍ୟ ସବୁଜ ସଂକେତ ଦେଇଛନ୍ତି। ମାତ୍ର ସେ ବିଜେଡି ଫେରିବା ପାଇଁ ଯେଉଁ ସର୍ତ୍ତ ରଖିଛନ୍ତି ସେଥିରେ ବିଜେଡି ରାଜି ହେଉ ନାହିଁ। ଦିଲ୍ଲୀପଙ୍କ ସର୍ତ୍ତ ହେଉଛି ମୁଁ ବିଜେଡିକୁ ଏକୁଟିଆ ଫେରିବି ନାହିଁ, ମୋ ସହିତ ବିଜୟ ମହାପାତ୍ର ମଧ୍ୟ ଫେରିବେ। ମାତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥିରେ ରାଜି ନୁହଁନ୍ତି। ଏପରିକି ଦିଲ୍ଲୀପ ରାୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଯଚା ଯାଇ ସାରିଲାଣି। ତା ଛଡା ସେ ଯେ କୌଣସି ଲୋକସଭା ନିର୍ବାଚନମଣ୍ଡଳୀ ଚାହିଁବେ ବିଜେଡି ତାଙ୍କୁ ସେହି ଆସନ ଦେବା ପାଇଁ ମଧ୍ୟ ପ୍ରସ୍ତୁତ। ମାତ୍ର ଦିଲ୍ଲୀପ ରାୟ ସେହି ଗୋଟିଏ ଜିଦ୍ରେ ଅଟଳ। ଆଗକୁ ରାଜନୈତିକ ପାଣିପାଗ କଣ ହେବ କହିବା ମୁସ୍କିଲ। ମାତ୍ର ଦିଲ୍ଲୀପଙ୍କ ଜିଦ୍ ତାଙ୍କ ରାଜନୈତିକ ଭବିଷ୍ୟତରେ ବାଧା ଉପୁଜିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି। ଏ କଥା ସତ୍ୟ ଯଦି ଦିଲ୍ଲୀପ ରାୟ ବିନା ସର୍ତ୍ତରେ ବିଜେଡିରେ ଯୋଗ ଦେଉଛନ୍ତି ତା ହେଲେ ଆଗାମୀ ଦିନରେ ବିଜୟ ମହାପାତ୍ରଙ୍କ ରାଜନୈତିକ କ୍ୟାରିୟର ଏକ ପ୍ରକାର ସମାପ୍ତ ହୋଇଯିବ ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *