ଓଡ଼ିଶା

ଦିଲୀପ ତିର୍କି ଲଢିପାରନ୍ତି ଲୋକସଭା! ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଭାବିତ ହୋଇପାରେ ବିଜେଡ଼ି!

ରାଉରକେଲା ୧୧-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଇସ୍ପାତ ସହର ରାଉରକେଲା ସର୍ବଦା ରାଜନୈତିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ରାଉରକେଲା ବିଧାନସଭା ମଣ୍ଡଳୀ ଓ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ସର୍ବଦା ଚର୍ଚାର ପରିଧି ମଧ୍ୟରେ ରହି ଆସିଥିବା ଅତୀତରେ ନଜିର ରହିଛି। ମାତ୍ର ଚଳିତ ବର୍ଷ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରୁ କେହି ହେଲେ ବିଜେଡ଼ି ପ୍ରାର୍ଥୀ ରାଜ୍ୟସଭାକୁ ଚୟନ ନହେବା ପ୍ରସଙ୍ଗ ରାଜନୀତି ବିଶାରଦଙ୍କ ମହଲରେ ଭୁକୁଂଚନ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସୁନ୍ଦରଗଡ଼ ଜିଲ୍ଲାରେ ବିଜୁ ଜନତା ଦଳର ବହୁ ବରିଷ୍ଠ ଓ ଟାଣୁଆ ନେତାଙ୍କ ଅବସ୍ଥାନ ରହିଛି। କିନ୍ତୁ କେହି ହେଲେ ନେତାଙ୍କୁ ବିଜେଡ଼ି ମୁଖିଆ ନବୀନ ରାଜ୍ୟସଭାକୁ ପଠାଇବାକୁ କାହିଁକି ଅମଙ୍ଗ ହେଲେ ତାହା ଖୋଦ ସୁନ୍ଦରଗଡ଼ ଓ ରାଉରକେଲା ବିଜେଡ଼ି ଶିବିରରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ବର୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡ଼ିର ବରିଷ୍ଠ ନେତା ମାନଙ୍କ ମଧ୍ୟରେ ମାନସମନ୍ଥନ ଆରମ୍ଭ ହୋଇଛି। ପ୍ରକାଶ ଥାଉକି, ସୁନ୍ଦରଗଡ଼ରୁ ରାଜ୍ୟସଭା ସାଂସଦ ଭାବେ ଥିବା ଦିଲୀପ ତିର୍କୀଙ୍କ ଆଗାମୀ ଏପ୍ରିଲରେ କାର୍ଯ୍ୟକାଳ ସରୁଛି। ଏହା ସରିବା ପରେ ଦିଲୀପ ବିଜେଡ଼ିର ଲୋକସଭା ଆସନ ପାଇଁ ସୁନ୍ଦରଗଡ଼ରୁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ସେ ପୂର୍ବରୁ ନିର୍ବାଚନ ସମୟରେ ବିଜେଡ଼ିର ଜଣେ ଷ୍ଟାର ପ୍ରଚାରକ ଭାବେ ଜଣାଶୁଣା ଥିଲେ। ଏପରି ମଧ୍ୟ ହୋଇପାରେ ଯେ, ନିର୍ବାଚନ ବୈତରଣୀ ପାର କରିବା ଲାଗି ବିଜେଡ଼ି ତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ଅମୋଘ ଅସ୍ତ୍ର ଭାବେ ପ୍ରୟୋଗ କରିପାରେ। ଅନ୍ୟପଟେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବିଶିଷ୍ଟ ହକି ଖେଳାଳୀ ଭାବେ ଦିଲୀପଙ୍କ ପତିଆରା ବହୁ ପୂର୍ବରୁ ରହିଛି। ଏହି କାରଣରୁ ସେ ଲୋକସଭା ଟିକଟ ପାଇଁ ହକଦାର ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଅପରପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରୁ ବହୁ ନେତା ରାଜ୍ୟସଭା ଯିବାରୁ ବଂଚିତ ହୋଇଛନ୍ତି। ବିଜେଡ଼ିର ଜଣାଶୁଣା ନେତା ସାରଦା ପ୍ରସାଦ ନାୟକ ବର୍ତମାନ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଚେୟାରମ୍ୟାନ ଅଛନ୍ତି। ଗତ ବିଧାନସଭା ନିର୍ବାଚନରେ ସେ ରାଉରକେଲା ଆସନରୁ ପରାସ୍ତ ହୋଇଥିଲେ ମଧ୍ୟ ତାଙ୍କ ଲୋକପ୍ରୀୟତା ଏବେ ବି କିଛି ପରିମାଣରେ ଅତୁଟ ରହିଛି। ସେହି ଦୃଷ୍ଟିରୁ ସେ ଏଥର ରାଜ୍ୟସଭାକୁ ଯିବେ ବୋଲି ୮୦ ପ୍ରତିଶତ ଆଶା ବିଜେଡ଼ି ଶିବିରରେ ଉଜ୍ଜିବିତ ହୋଇଥିଲା। ମାତ୍ର ଶେଷକୁ ସବୁ ଫସର ଫାଟିଲା। ବିଜେଡ଼ି ସୁପ୍ରିମୋ ନବୀନଙ୍କ ନିର୍ଦ୍ଦେଶରେ ଦଳରେ ନୂତନ ଭାବେ ଯୋଗ ଦେଇଥିବା ପୂର୍ବର କଂଗ୍ରେସ ନେତା ତଥା ଏକ ପ୍ରତିଷ୍ଠିତ ଖବର କାଗଜର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ, ସମାଜସେବୀ ଅଚ୍ୟୁତ ସାମନ୍ତ ଓ ବିଜେଡ଼ିର ପର୍ଯ୍ୟବେକ୍ଷକ ଦ୍ୱାୟିତ୍ୱ ସମ୍ଭାଳୁଥିବା ପ୍ରଶାନ୍ତ ନନ୍ଦଙ୍କୁ ରାଜ୍ୟସଭା ଟିକଟ ମିଳିଲା। ଏହି ଖବର ପ୍ରଚାରିତ ହେବା ପରେ ସୁନ୍ଦରଗଡ଼ ଓ ରାଉରକେଲା ଉଭୟ ଠାରେ ବିଜେଡ଼ି କର୍ମୀ ଓ ସାରଦା ସମର୍ଥକ ମାନଙ୍କୁ ଅତି ମାତ୍ରାରେ ନିରାଶ ହେବାକୁ ପଡିଲା। ଏପରିକି ପଶ୍ଚିମ ଓଡ଼ିଶାରେ ମଧ୍ୟ ବିଜେଡ଼ିର କୌଣସି ପ୍ରାର୍ଥୀଙ୍କୁ ରାଜ୍ୟସଭା ଟିକଟ ମିଳିପାରିଲା ନାହିଁ। ବିଜେଡ଼ି ସୁପ୍ରିମୋଙ୍କ ଏଭଳି ନିଷ୍ପତି ଆଗାମୀ ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡ଼ି କିପରି ଫଳାଫଳ କରି ସଫଳ ହେବ ତାହା ଆଗାମୀ ସମୟ ହିଁ କହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top