ଦିବ୍ୟ ସନ୍ଦେଶ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୧ା୧ (ଓଡ଼ିଆ ପୁଅ) : ରଜନୀଶଙ୍କ ଆଧ୍ୟାତ୍ମିକ ସାହିତ୍ୟ ଦର୍ଶନ ମାନବ ସମାଜର କୃତୀ ସାଧନ ପାଇଁ ଉଦ୍ଦିଷ୍ଟ। ଦିବ୍ୟ ସନ୍ଦେଶ ପୁସ୍ତକକୁ ଉନ୍ମୋଚନ କରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହା କହିଛନ୍ତି। ଗୁରୁବାର ପୂର୍ବାହ୍ଣରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନରେ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀ ମିଶ୍ର କହିଥିଲେ ଯେ, ପଞ୍ଚଦଶ ଶତାବ୍ଦୀରୁ ଓଡ଼ିଶାରେ ଧର୍ମ, ସାହିତ୍ୟ, ଆଧ୍ୟାତ୍ମିକ ସାହିତ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଜୀବନର ତତ୍ତ୍ୱକୁ ଅଧ୍ୟୟନ କରିପାରିଲେ ଏବଂ ଆତ୍ମାକୁ ନିବିଡ଼ ଭାବେ ଭଲ ପାଇଲେ ଏହା ସମ୍ଭବ ଓ ସାକାର ହୋଇପାରିବ। ବୋଧଗମ୍ୟତା ଭିତରେ ଅମର ଆତ୍ମାକୁ ଏହା ସ୍ପର୍ଶ କରିବ। ଦିବ୍ୟ ସନ୍ଦେଶ ପୁସ୍ତକର ଲେଖକ ରମେଶ ଚନ୍ଦ୍ର ଶରଣ ଅତ୍ୟନ୍ତ ସାବଲୀଳ ଭାଷାରେ ଏହାକୁ ରଚନା କରିଥିବାରୁ ସେ ଅଭିନନ୍ଦନୀୟ ବୋଲି ଶ୍ରୀ ମିଶ୍ର କହିଥିଲେ। ପଣ୍ଡିତ ପ୍ରବୋଧ କୁମାର ମିଶ୍ର ଏଥିରେ ଅଧ୍ୟକ୍ଷତା କରି କହିଲେଯେ, ଆଧ୍ୟାତ୍ମିକ ଭାରତରେ ଗୁରୁ ରଜନୀଶଙ୍କ ଦାର୍ଶନିକ ତତ୍ତ୍ୱ ସାଧନା ବେଶ୍ ରକ୍ଷଣୀୟ। ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଲେଖକ ଶ୍ରୀ ଶରଣ କହିଥିଲେ ଯେ, ଏହି ପୁସ୍ତକରେ ରଜନୀଶଙ୍କ ଭାବଧାରା ରୂପାୟିତ ହୋଇଛି। ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତିପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ପଣ୍ଡିତ ନରସିଂହ ଜେନା, ହଟ୍ଟକିଶୋର ପାଇକରା, ଭାସ୍କର ପଟ୍ଟନାୟକ, ଚାରୁବାଳା ସେନାପତି, ରମାକାନ୍ତ ଜେନା ଓ ସୁରେନ୍ଦ୍ର ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଶ୍ରୀମତୀ ଶରଣ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *