ସମ୍ବଲପୁର, ୬/୯ (ଓଡ଼ିଆ ପୁଅ) – ଆଉ ଦିନ କେତେଟା ପରେ ନୂଆଖାଇ। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସବୁଆଡ଼େ ନୂଆଖାଇ ପାଳନ କରାଯିବ। ପଶ୍ଚିମ ଓଡ଼ିଶାରେ ପ୍ରକୃତି ପୂଜାର ପରମ୍ପରା ମଧ୍ୟରେ ନୂଆଖାଇର ମହତ୍ତ୍ୱ ଗୁରୁତ୍ୱ ବହନ କରି ଆସିଛି। ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଅନ୍ନ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟକୁ ସହର, ଗ୍ରାମ ଓ ଘରମାନଙ୍କର ଇଷ୍ଟ ଦେବାଦେବୀଙ୍କ ଠାରେ ଅର୍ପଣ କରାଯାଏ। ତ’ପରେ ଏହାକୁ ଗ୍ରହଣ କରି ଜନସାଧାରଣ ଆଶୀର୍ବାଦ କାମନା କରିଥାନ୍ତି। ତେବେ ଏଥର ନୂଆ ଧାନ ପାଇଁ ତନାଘନା ଆରମ୍ଭ ହୋଇଛି। ଶ୍ରାବଣ ମାସର ଶେଷ ବେଳକୁ ଖରଫ ଧାନ ଚାଷ କାର୍ଯ୍ୟ ପ୍ରାୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଥାଏ। ଏ ବର୍ଷ ଭାଦ୍ରବ ମାସର ପ୍ରଥମାର୍ଦ୍ଧ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ ପହ୍ଲା ରୁଆ ଭଳି ଫସଲର ପ୍ରାଥମିକ କାର୍ଯ୍ୟ ବିଭିନ୍ନ ଅଞ୍ଚଳରେ ଜାରି ରହିଥିଲା। ଏବେ ମଧ୍ୟ କେତେକ ଚାଷୀ ସେଥିରେ ବ୍ୟସ୍ତ ଅଛନ୍ତି। ଅକ୍ଷୟ ତୃତୀୟା ଓ ଶୀତଳଷଷ୍ଠୀ ସମୟରେ କରାଯାଇଥିବା ଧାନ ଚାଷର ପ୍ରଥମ ଶସ୍ୟ ନବାନ୍ନ ବେଳକୁ ଅମଳକ୍ଷମ ହୋଇଥାଏ। ଏହାକୁ ଖରଡ଼ି ଚାଷ କହନ୍ତି। ସୁରୁଆଁ କିସମର ଧାନ ବିହନ ଏଥିପାଇଁ ଚାଷୀମାନେ ଉପଯୋଗ କରିଥାନ୍ତି। ଭଳ ଜମିରେ ଚାଷୀମାନେ ନବାନ୍ନ ସକାଶେ ଏହି ଧାନ ଚାଷ କଲା ଉତ୍ତାରୁ ଖରିଫ ଫସଲର କାର୍ଯ୍ୟ ଆରମ୍ଭ କରିଥାନ୍ତି। ଦୈନିକ ଓ ସାପ୍ତାହିକ ହାଟରେ ବର୍ତ୍ତମାନ ନୂଆଖାଇର ସରସତା ଅନୁଭୂତ ହେଲାଣି। ତେବେ ସୁରୁଆଁ ନୂଆ ଧାନର ପସରା ସେଭଳି ଦୃଷ୍ଟିଗୋଚର ହେଉନାହିଁ। ଯେଉଁଠି ମଧ୍ୟ ଏହି ଧାନ ବିକ୍ରୟ ହେଉଛି ତା’ର ଦାମ ପୂର୍ବାପେକ୍ଷା ବଢ଼ିଛି। ନୂଆଖାଇ ଦିନ ବଡ଼ି ଭୋର୍ରୁ ଗାଁ ମାନଙ୍କରେ ପୀଢ଼ି ପୀଢ଼ି ଧରି ନିର୍ଦ୍ଦିଷ୍ଟ ପରିବାର ନୂଆ ଧାନ ଗ୍ରାମବାସୀମାନଙ୍କୁ ପ୍ରଦାନ କରିଥାନ୍ତି। ଏ ବର୍ଷ ଏମାନଙ୍କୁ ନୂଆ ଧାନ ଖୋଜିବାକୁ ପଡ଼ୁଛି। ସେହିଭଳି ନୂଆଖାଇ ବିଧି ପାଇଁ ଆବଶ୍ୟକ ପନିପରିବାର ମଧ୍ୟ ଚାହିଦା ବୃଦ୍ଧି ପାଇଛି। ଏହି ଗଣପର୍ବ ପାଇଁ ଉନ୍ମାଦନା ବଢ଼ି ଚାଲିଥିଲେ ମଧ୍ୟ ଖାସ କରି ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳରେ ଚାଷୀମାନେ ଚାଷ ପାଇଁ ଚିନ୍ତାରେ ଥିଲେ। ହେଲେ ମୌସୁମୀ ବିଳମ୍ବିତ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଭଲ ବର୍ଷା ହେବାରୁ ଚାଷୀମାନଙ୍କ ମଧ୍ୟରେ ଭଲ ଫସଲ ନେଇ ଆଶା ସଂଚାର ହୋଇଛି। ଡେରିରେ ହେଲେ ମଧ୍ୟ ଏଥର ଚାଷୀମାନେ କମ୍ ଅବଧିରେ ହେଉଥିବା ଧାନ ଚାଷ କରିଛନ୍ତି।
