ଦିନ କେଇଟା ପରେ ଆସୁଛି ଦଶହରା ପୂଜା ବଜାରରେ ଅଧିକ ବେପାର ପାଇଁ ବେପାରୀ ତତ୍ପର

ରାଉରକେଲା/୧୪/୦୯/୨୦୧୭(ଓଡିଆପୁଅ/ଶିବରାମ ପାତ୍ର): ଆଉ ଦିନ କେଇଟା ପରେ ଆସୁଛି ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା । ଜଗତଜନନୀ ମା’ ଦୁର୍ଗା ପାପର ବିନାଶ ପାଇଁ ଧରାପୃଷ୍ଠକୁ ଅବତରଣ କରିବେ । ମା’ଙ୍କ ଦର୍ଶନ ପାଇଁ ଚାତକ ଭଳି ଆକୁଳ ପ୍ରାୟ ରହିଛନ୍ତି ଭକ୍ତ । ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ପୂଜା ବଜାରରେ ଅଧିକ ବେପାର ଆଶାରେ ବେପାରୀ ମାନେ ଏବେଠାରୁ ତତ୍ପର ହୋଇ ପଡିଛନ୍ତି । ଯାହାର ପ୍ରତିଫଳନ ଦକ୍ଷିଣ ରାଉରକେଲା ବଜାରରେ ଦେଖିବାକୁ ମିଳିଛି । ବର୍ଷକ ମଧ୍ୟରେ ସବୁଠାରୁ ଅଧିକ ବ୍ୟବସାୟ ଏହି ସମୟରେ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀ ମାନେ ଚଳଚଂଚଳ ହୋଇ ଉଠିଲେଣି । ଗ୍ରାହକ ମାନଙ୍କୁ ଶପିଂର ନିଆରା ଅନୁଭୂତି ଦେବା ପାଇଁ ଶୋ’ରୁମ ଗୁଡିକ ପ୍ରାୟ ପ୍ରସ୍ତୁତ ହୋଇଗଲାଣି । ପ୍ରତୀଦ୍ୱନ୍ଦୀଙ୍କ ତୁଳନାରେ ଅଧିକ ଆକର୍ଷଣୀୟ ଅଫର ମାଧ୍ୟମରେ ଗ୍ରାହକଙ୍କୁ ନିଜ ଆଡକୁ ଟାଣିବା ପାଇଁ ରଣ କୌଶଳ ପ୍ରସ୍ତୁତ କରି ସାରିଛନ୍ତି ଏମାନେ । ବିଭିନ୍ନ ପ୍ରକାରର ଅଫର୍ ବର୍ଷା କରି ଚଳିତ ପୂଜା ରୁତୁକୁ ସ୍ୱତନ୍ତ୍ର କରିବା ପାଇଁ ଏମାନଙ୍କ ମଧ୍ୟରେ ଉସôାହ ପରିପ୍ରକାଶ ପାଇଥିବା ବେଳେ, ଗ୍ରାହକ ମାନେ ଏହି ସବୁ ଅଫର ପ୍ରତି ଆକର୍ଷିତ ହେଉଛନ୍ତି । ଦକ୍ଷିଣ ରାଉରକେଲା ସାରନଗରୀରେ ରହିଛି ଏକାଧିକ କପଡ଼ା ଦୋକାନ ସହ ଅଳଙ୍କାର ଶୋ’ରୁମ ଓ ଅନ୍ୟାନ ଉପହାର ଦୋକାନ । ଏଠାକାର ଗଂଜୁ ମାର୍କେଟ ଠାରେ ଥିବା ୬ରୁ ଅଧିକ କପଡ଼ା ଦୋକାନ ଗୁଡିକରେ ଗ୍ରାହକ ମାନଙ୍କ ରୁଚିକୁ ଦୃଷ୍ଟିରେ ରଖି ନୂତନ ଡିଜାଇନର ସାର୍ଟ, ପେଂଟ, ଜିନ୍ସ, ଶାଢୀ ପୁରୁଷ ଓ ମହିଳା ମାନଙ୍କ ବିକ୍ରୀ ପାଇଁ ରଖାଯାଇଥିବା ବେଳେ, ଶିଶୁ ମାନଙ୍କ ପାଇଁ ମଧ୍ୟ ଆକର୍ଷଣୀୟ ଡ୍ରେସ ରଖାଯାଇଛି । ଏହି ସବୁ ଉପରେ ଆକର୍ଷଣୀୟ ରିହାତି ଦିଆଯାଉଛି ବୋଲି ଏଠାକାର ଜଣେ କପଡ଼ା ବ୍ୟବସାୟୀ ପ୍ରକାଶ କରିଛନ୍ତି । ସଂଧ୍ୟା ସମୟରେ ସାରନଗରୀ ସମେତ ଆଖପାଖ ଅଂଚଳର ଗ୍ରାହକ ମାନେ ଏକଜୁଟ ହୋଇ ବିଭିନ୍ନ ଦୋକାନରେ ଭିଡ ଜମାଉଥିବା ଲକ୍ଷ୍ୟ କରାଯାଉଛି । ଏଠାରେ ଥିବା ସୁନାଗହଣା ଦୋକାନ ଗୁଡିକରେ ମଧ୍ୟ ଗ୍ରାହକଙ୍କ ଆସର ଜମୁଛି । ଯଦିଓ ସୁନାର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି, ତଥାପି ଏହି ପୂଜାରୁତୁରେ ତାର ଚାହିଦା କମିନାହିଁ । ଗ୍ରାହକ ମାନେ ବଜାରକୁ ଆସିଥିବା ବିଭିନ୍ନ ନୂତନ ଡିଜାଇନର ସୁନାଗହଣା କ୍ରୟ କରିବାକୁ ବେଶ ରୁଚି ରଖୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ମୋବାଇଲ ଦୋକାନରେ ଶସ୍ତା ଠାରୁ ଆରମ୍ଭ କରି ମହଙ୍ଗା ପର୍ଯ୍ୟନ୍ତ ବିଭିନ୍ନ ଅଫର ଜନିତ ମୋବାଇଲ ବିକ୍ରୀ କରାଯାଉଛି । ଯାହାକୁ କି ଯୁବପିଢୀ କ୍ରୟ କରିବା ଲାଗି ଆଗ୍ରହ ଦେଖାଉଛନ୍ତି । ଏହା ବ୍ୟତୀତ ବିଭିନ୍ନ ଇଲୋକୋଟ୍ରେନିକ୍ସ ସମାଗ୍ରୀ ଯଥା ଟିଭି, ଫ୍ରୀଜ, ୱାସିଙ୍ଗ ମେସିନର ଚାହିଦା ପୂଜା ରୁତୁରେ ବୃଦ୍ଧି ପାଇଛି । ଘରକୁ ନୂତନ ଫର୍ଣ୍ଣିଚର ନେବାଲାଗି ମଧ୍ୟ ଗ୍ରାହକ ମାନେ ରୁଚି ଦେଖାଉଛନ୍ତି ବୋଲି ଅଂଚଳରେ ଏହି ବ୍ୟବସାୟ କରୁଥିବା କିଛି ବ୍ୟବସାୟୀ ମତ ଦେଇଛନ୍ତି । ଚଳିତ ବର୍ଷ ପାଗ ଅନୁକୂଳ ରହିଲେ ବେପାର ଭଲ ହେବାର ହେବାର ଆଶା ରଖିଛନ୍ତି ପ୍ରତ୍ୟେକ ବ୍ୟବସାୟୀ । ଚଳିତବର୍ଷର ଭାଇଚାରାର ନିଦର୍ଶନର ବାର୍ତା ବହନ କରୁଥିବା ଦୁର୍ଗାପୂଜାକୁ କେବଳ ଜନସାଧାରଣଙ୍କ ଅପେକ୍ଷା ରହିଛି ।

Leave a Reply

Your email address will not be published. Required fields are marked *