ଓଡ଼ିଶା

ଦିନକ ପରେ ନୂଆଁଖାଇ : ପଶ୍ଚିମ ଓଡ଼ିଶାରେ ଜନଜୀବନ ଚଳଚଞ୍ଚଳ

ସମ୍ବଲପୁର, ୧୩/୯ (ଓଡ଼ିଆ ପୁଅ) – ଦିନକ ପରେ ମହାନ୍ ଗଣପର୍ବ ନୂଆଁଖାଇ। ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀର ପବିତ୍ର ତିଥିରେ ପାଳନ ହେବାକୁ ଥିବା ଏହି ପର୍ବ ସକାଶେ ସମଗ୍ର ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି। ଗାଁ ଠୁ ସହର ସବୁଠି ଏହି ପର୍ବ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ହେଉଛି। ବିଭିନ୍ନ ଦୈନିକ ହାଟ ସହିତ ସାପ୍ତାହିକ ହାଟମାନଙ୍କରେ ନୂଆଁଖାଇର ଆବଶ୍ୟକୀୟ ସାମଗ୍ରୀ ନୂଆ ଧାନ, ସାରୁପତ୍ର, ହଳଦୀପତ୍ର, ସାରୁ, କୁରେଇପତ୍ର ସହିତ ଚଳିତ ଋତୁର ନୂଆ ପନିପରିବାର ଜୋର ସଉଦା ଚାଲିଛି। ଆସନ୍ତାକାଲି ଗଣେଶ ପୂଜା ଆଉ ତା’ପରଦିନ ଶୁକ୍ରବାର ନୂଆଁଖାଇ ସକାଶେ ଦୋକାନ ବଜାରରେ ଲୋକେ ଭିଡ଼ ଜମାଇଛନ୍ତି। ପର୍ବାଣୀକୁ ଦୃଷ୍ଟିରେ ରଖି ବିଭିନ୍ନ ସାମଗ୍ରୀର ଦାମ ବୃଦ୍ଧି ପାଇଛି। କୃଷିଭିତ୍ତିକ ଏହି ପର୍ବ କୃଷି ବହୂଳ ଓଡ଼ିଶା ପାଇଁ ସ୍ୱତନ୍ତ୍ର ମହତ୍ତ୍ୱ ରଖି ଆସିଛି। ଚାଷୀମାନେ ଭଲ ଫସଲ ଅମଳ ପାଇଁ ଭଗବାନଙ୍କ ଠାରେ ଏହିଦିନ ପ୍ରାର୍ଥନା କରିଥାନ୍ତି। ଫସଲର ଧାନର ପ୍ରଥମ ଅନ୍ନକୁ ନବାନ୍ନ ଆକାରରେ ଲୋକେ ଅଧିଷ୍ଠାତ୍ରୀ ଓ କୁଳ ଦେବଦେବୀଙ୍କ ଠାରେ ଅର୍ପଣ କଲା ଉତ୍ତାରୁ ତାକୁ ପ୍ରସାଦ ଆକାରରେ ଗ୍ରହଣ କରନ୍ତି। ଏଥିପାଇଁ ଖାସକରି ଚାଷ କରାଯାଇଥିବା ସହଳ କିସମର ଧାନ ବଜାରରେ ଉପଲବ୍ଧ ହୋଇଛି। ଘର ଓ ମନ୍ଦିରମାନଙ୍କରେ ଲିପାପୋଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗ୍ରାମଦେବୀ ପୀଠମାନଙ୍କୁ ମଧ୍ୟ ନୂଆରୂପ ଦିଆଯାଇଛି। ଏହି ଦିନ ନୂଆ ବସ୍ତ୍ର ପିନ୍ଧିବା ପରମ୍ପରା ଥିବାରୁ ପରିଧାନ ଏବଂ ପରମାତ୍ମାଙ୍କୁ ନବାନ୍ନ ଅର୍ପଣ ପାଇଁ ଆବଶ୍ୟକ ନୂଆ ବାଉଁଶ ପାତିଆ ଏବଂ ମାଟିର ବାସନକୁସନ ମଧ୍ୟ ଲୋକେ ସଂଗ୍ରହ କରିଛନ୍ତି। ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ନୂଆପଡ଼ା, ବୌଦ୍ଧ, ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାର ଉଭୟ ଗାଁ ଓ ସହରାଞ୍ଚଳର ହାଟବଜାର ତିହାରର ରୂପ ପାଇଛି। ନୂଆଁଖାଇରେ ନିଜ ପରିବାର ସହ ଯୋଗଦେଇ ପର୍ବପାଳନର ବିଧି ଥିବାରୁ ଦୂରଦୁରାନ୍ତରୁ ଲୋକେ ନିଜ ଘରକୁ ପହଞ୍ଚିବାରେ ଲାଗିଛନ୍ତି। ସେଥିପାଇଁ ଟ୍ରେନ୍ ଓ ବସମାନଙ୍କରେ ଯାତ୍ରୀଙ୍କ ଭିଡ଼ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ନୂଆଁଖାଇ ସନ୍ଧ୍ୟାରେ ଭେଟଘାଟ ସମାରୋହ ସକାଶେ ବିଭିନ୍ନ ଅନୁଷ୍ଠାନ ପ୍ରସ୍ତୁତ ହୋଇଛନ୍ତି। ଆବାହମାନ କାଳରୁ ପାଳନ କରାଯାଉଥିବା ଏହି ପର୍ବ ପାଇଁ ବହୁପୂର୍ବରୁ ପଶ୍ଚିମ ଓଡ଼ିଶାର ଲୋକେ ନୂଆଁଖାଇ ପାଳନ କରୁଥିଲେ ବୋଲି ଜନଶ୍ରୁତି ରହିଛି। ପରେ ବିଭିନ୍ନ ଜିଳ୍ଲାରେ ଭିନ୍ନ ଭିନ୍ନ ଦିନରେ ଏହା ପାଳନ କରାଯାଉଥିଲା। ୧୯୯୨ ମସିହାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଳାର ଜ୍ୟୋତିଷ, ପଣ୍ଡିତ, ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଏକ ବୈଠକରେ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାକୁ ରାଜ୍ୟ ସରକାର ସମ୍ମତି ଦେଇ ସରକାରୀ ଛୁଟି ଘୋଷଣା କରିଥିଲେ। ସେହି ବର୍ଷ ଠାରୁ ଉକ୍ତ ତିଥିରେ ନୂଆଁଖାଇ ପାଳନ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top