ଦିଗହରା ହୋଇ ପଡିଛି ଆଧାର କାର୍ଡ, ଉପୁଜୁଛି ସମସ୍ୟା

ରାଉରକେଲା ୧୨-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଆଧାର କାର୍ଡ ପ୍ରତ୍ୟେକ ପରିବାର ପାଇଁ ବର୍ତମାନ ଏକ ଜରୁରୀ ଆବଶ୍ୟକତା ହୋଇ ପଡ଼ିଛି। ବ୍ୟାଙ୍କରେ ନୂତନ ଖାତା ଖୋଲା ଠାରୁ ଆରମ୍ଭ କରି, ମୋବାଇଲ ସିମ୍ ନେବା, ଗ୍ୟାସ କନେକ୍ସନ ଆଦିରେ ଆଧାର କାର୍ଡର ଆବଶ୍ୟକତା ପଡୁଛି। ସେହିପରି ପ୍ରତ୍ୟେକ ସରକାରୀ ଯୋଜନାକୁ ଆଧାର କାର୍ଡ ଦ୍ୱାରା ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି। ପାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ ନବୀକରଣରେ ଆଧାର କାର୍ଡ ନମ୍ବରକୁ ଲିଙ୍କ କରାଯାଉଛି। ଅପରପକ୍ଷରେ ବହୁ ଲୋକ ଆଧାର ଲିଙ୍କ ବାବଦରେ ସଠିକ ଭାବେ ଜାଣି ପାରୁ ନଥିବା ଯୋଗୁ ସମୟ ସମୟରେ ସେମାନଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହେବା ସହ ଆଧାରକାର୍ଡ କେନ୍ଦ୍ର ଗୁଡ଼ିକରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିବାରେ ଲାଗିଛି। ବ୍ୟକ୍ତିଙ୍କର ତିଆରି ହୋଇଥିବା ଆଧାର କାର୍ଡରେ ଅନେକ ତ୍ରୁଟି ବିଚ୍ୟୁତି ରହିଥିବା ଲକ୍ଷ୍ୟ କରାଯାଇଛି। ନାମ ଭୁଲ ରହିବା, ଠିକଣାରେ ତ୍ରୁଟି, ବୟସରେ ତାରତମ୍ୟ ଯୋଗୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆଧାର କାର୍ଡ କୌଣସି କାର୍ଯ୍ୟରେ ଲାଗି ପାରୁନାହିଁ। ଏହି କାର୍ଡକୁ ବଦଳ କରି ନୂତନ ଆଧାର କାର୍ଡ ତିଆରି କରିବା ପାଇଁ ସହରର ବିଭିନ୍ନ ଅଂଚଳ ଓ ଗ୍ରାମାଂଚଳର ପଂଚାୟତରେ ଥିବା ଆଧାର କେନ୍ଦ୍ର ଗୁଡ଼ିକରେ ପ୍ରତିଦିନ ହିତାଧିକାରୀଙ୍କ ଗହଳି ଦୃଷ୍ଟିଗୋଚର ହେଉଛି। ଆଧାରକାର୍ଡ ସଂଶୋଧନ ପାଇଁ ଏକ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଧାର କାର୍ଡ ଯେପରି ସ୍ୱଚ୍ଛ ଓ ନିର୍ମଳ ଭାବେ ପ୍ରସ୍ତୁତ କରାଯାଇ ପାରିବ ଏଥିଲାଗି ଆଧାର କେନ୍ଦ୍ରରେ ଥିବା କର୍ମଚାରୀ ମାନେ ଯତ୍ନଶୀଳ ରହିଛନ୍ତି। ରାତି ପାହିଲେ ଏହି ସବୁ ଆଧାର କେନ୍ଦ୍ର ଗୁଡ଼ିକରେ ହିତାଧିକାରୀ ମାନଙ୍କୁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ପ୍ରତିଦିନ ଦେଖିବାକୁ ମିଳୁଛି। ଆଧାର କାର୍ଡ ସଂଶୋଧନ ହେବା ସମୟରେ କର୍ମଚାରୀ ଓ ହିତାଧିକାରୀଙ୍କ ମଧ୍ୟରେ ତାଳମେଳ ଅଭାବରୁ ସମୟ ସମୟରେ କଥା କଟାକଟି ହୋଇ ଗଣ୍ଡଗୋଳର ସୂତ୍ରପାତ ହେଉଛି। ଗତ କିଛି ଦିନ ତଳେ ସହରର ଏକ ଆଧାର କେନ୍ଦ୍ରରେ ଏପରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଆଧାର କେନ୍ଦ୍ରକୁ ଆଳ କରି କିଛି ଅସାଧୁ କର୍ମଚାରୀ ହିତାଧିକାରୀଙ୍କୁ ଆଧାର କାର୍ଡ ସମ୍ବନ୍ଧରେ ବହୁ ଭ୍ରାନ୍ତ ଧାରଣା ଦେଇ ବାଟବଣା କରିବା ସହିତ ସେମାନଙ୍କୁ ହରିଲୁଟ କରିବା ଅଭିଯୋଗ ହେଉଛି। ଗୋଟିଏ ପଟେ ଅସାଧୁ କର୍ମଚାରୀ ଅର୍ଥ ଲାଳସାରେ ଏପରି କରୁଥିବା ବେଳେ, ନିରୀହ ହିତାଧିକାରୀଙ୍କ ପରିଶ୍ରମଜନିତ ଅର୍ଥ ଶ୍ରାଦ୍ଧ ହେଉଛି। ଏ ସମ୍ପର୍କରେ ବହୁ ହିତାଧିକାରୀ ଉପରିସ୍ଥ ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ। ସେହିପରି ସହରତଳି ଅଂଚଳ ତଥା ଗ୍ରାମାଚଂଳ ମାନଙ୍କରେ ଖୋଲିଥିବା କିଛି ନିର୍ଦ୍ଦିଷ୍ଟ ଆଧାର କେନ୍ଦ୍ରରେ ବିଭିନ୍ନ ଉପାୟରେ ହିତାଧିକାରୀଙ୍କୁ ପ୍ରଭାବିତ କରି ଟଙ୍କା ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ଅଯଥାରେ ହିତାଧିକାରୀ ମାନେ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି। ଆଧାର କାର୍ଡ ନିହାତି ଭାବେ ଏକ ଜରୁରୀ ଆବଶ୍ୟକତା। ମାତ୍ର କିଛି ଆଧାରକେନ୍ଦ୍ରରେ କାର୍ଯ୍ୟରତ ଅସାଧୁ କର୍ମଚାରୀଙ୍କ ଆଚ୍ଚରଣ ଓ ଉଚ୍ଚାରଣ ଯୋଗୁ ହିତାଧିକାରୀ ମାନେ ବହୁଳ ଭାବେ ପ୍ରଭାବିତ ହେଉଥିବାରୁ ଏନେଇ ପ୍ରଶାସନିକ ହସ୍ତକ୍ଷେପ ଲୋଡ଼ା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *