ଦିଗହରା ପାଲଟିଛି ସରକାରୀ ଯୋଜନା ଆବେଦନ କଲେ ମଧ୍ୟ ମହିଳାଙ୍କୁ ମିଳୁନି ବିଧବା ଭତ୍ତା !

ଅନୁଗୋଳ, ୨୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ଦିଗହରା ପାଲଟିଛି ହିତାଧିକାରୀଙ୍କୁ ମିଳୁଥିବା ବିଭିନ୍ନ ସରକାରୀ ଯୋଜନାରେ ପ୍ରଦତ ଅର୍ଥ। ପ୍ରକୃତରେ ଗରିବ ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ ଘଟୁଥିବାର ଅଭିଯୋଗ ହୋଇଛି। ଏହି କ୍ରମରେ ଏହି ବ୍ଲକର ଧଡ଼ରପାଳ ଗ୍ରାମ ପଂଚାୟତ ଅନ୍ତର୍ଗତ ଧଡ଼ରପାଳ ଗ୍ରାମର ୨ଜଣ ମହିଳା ହିତାଧିକାରୀଙ୍କୁ ବିଧବା ଭତା ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରା ଯାଉଥିବାର ଅଭିଯୋଗ ହୋଇଛି। ଧଡ଼ରପାଳ ଗ୍ରାମର ମହିଳା ଅତୁଲ୍ୟ ବିବିଙ୍କର ସ୍ୱାମୀ କାନ୍ଦୁରୁ ଖାଁ ବିଗତ ୨ବର୍ଷ ହେବ ଆରପାରିକୁ ଚାଲି ଯାଇଥିବା ବେଳେ ସେହି ଗ୍ରାମର ଅନ୍ୟଜଣେ ମହିଳା ରଇବାରି ବିବିଙ୍କର ସ୍ୱାମୀ ୧ବର୍ଷ ହେବ ମୃତ୍ୟୁ ବରଣ କରିଛନ୍ତି। ସ୍ୱାମୀଙ୍କର ଅକାଳରେ ବିୟୋଗ ଘଟିବାରୁ ଉଭୟ ମହିଳା ବହୁ ଆଶାରେ ବିଧବା ଭତା ନିମନ୍ତେ ଆବେଦନ କରିଥିଲେ। ତେବେ ମାସ ପରେ ମାସ ଗଡ଼ି ଚାଲୁଥିବା ବେଳେ ସେମାନଙ୍କର ଆବେଦନ ପତ୍ର ବିଚାର ହୋଇ ପାରିନଥିବାରୁ ଭତା ମଞ୍ଜୁର ହୋଇ ପାରିନି। ଫଳରେ ନିହାତି ଗରିବ ଶ୍ରେଣୀର ଏହି ଦୁଇ ମହିଳା ଏବେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ବର୍ତମାନ ସରକାରଙ୍କ ପକ୍ଷରୁ ବିଧବା ଭତା ଆକାରରେ ମିଳୁଥିବା ୩ଶହ ଟଙ୍କା ପାଇବା ଏହି ଦୁଇ ମହିଳାଙ୍କ ପାଇଁ ସାତସପନ ପାଲଟିଛି। ଏଣୁ ଅତିଶୀଘ୍ର ଉକ୍ତ ସ୍ୱାମୀହରା ଦୁଇ ଗରିବ ମହିଳାଙ୍କୁ ବିଧବା ଭତା ପ୍ରଦାନ ନିମନ୍ତେ ଦୃଢ଼ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *