ଦାଦନ ଖଟୁଚନ୍ତି ବିପ୍ଳବୀଙ୍କ ଦୟାଦ, ଆଜି ସାରା ରାଜ୍ୟ ପାଳୁଛି ବିପ୍ଳବୀ ଧରଣୀଧରଙ୍କ ଜୟନ୍ତୀ। କେବଳ ଜୟନ୍ତୀରେ ମନେ ପଡନ୍ତି ବିପ୍ଳବୀ : ଜନ୍ମମାଟୀ ଏବେବି ଅବହେଳିତ…

କେନ୍ଦୁଝର ୫ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଆଜି ସାରା ରାଜ୍ୟରେ ପାଳନ ହେଉଛି ବିପ୍ଳବୀ ଧରଣୀଧର ନାୟକଙ୍କ ୧୫୪ତମ ଜୟନ୍ତୀ। ବିଶେଷକରି କେନ୍ଦୁଝର ଏବଂ ଭୁବନେଶ୍ୱରରେ ସରକାର ଏଥିପାଇଁ କରିଥାନ୍ତି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। କିନ୍ତୁ ଏହି ବିପ୍ଳବୀଙ୍କ କଥା ପ୍ରଶାସନ ଓ ସରକାରଙ୍କ ମନେ ପଡିଥାଏ କେବଳ ଏହି ଜୟନ୍ତୀ ଦିବସରେ। ପତିମୂର୍ତ୍ତିରେ ଫୁଲମାଳ ଚଢାଇ ଏବଂ ସଭା ସମିତି କରି ସାରି ଦିଅନ୍ତି ନିଜର ଦାୟୀତ୍ୱ। କିନ୍ତୁ ବିପ୍ଲବୀଙ୍କ ଜନ୍ମମାଟି କେନ୍ଦୁଝର ସଦର ବ୍ଲକର କୁସୁମିତା ଗ୍ରାମ ଏବେବି ଅବହେଳିତ ହୋଇ ରହିଛି। ଆଉ ବିପ୍ଳବୀଙ୍କ ପରିବାର କଥା ନକହିଲେ ତ ଭଲ। ଏବେବି ଦାରଦ୍ରର ସୀମାରେଖା ତଳେ ପେଶି ହୋଇ ଦାଦାନ ଖଟୁଛନ୍ତି। ଦୟାଦ ମାନେ। ନା ରହିବାକୁ ଅଛି ଖଣ୍ଡେ ଘର ନାଁ ମିଳୁଛି ଏମାନଙ୍କୁ ବାର୍ଦ୍ଧକ୍ୟ ଭତା। ସରକାରୀ ଯୋଜନାରୁ ବଞ୍ଚିତ ପୁରା ପରିବାର। ଜନ୍ମତିଥିରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭକରି ସମସ୍ତ ବଡବଡିଆ ଅଧିକାରୀ ପାଦ ଦିଅନ୍ତି ସେହି ଗରୀବ ଘରେ। ସବୁଥର ମିଳେ ପ୍ରତିଶୃତି ପରେ ପ୍ରତାରଣା।

କେନ୍ଦୁଝର ସଦର ବ୍ଲକର କୁସୁମିତା ଗାଁ। ଏହି ଗାଁଟି ଘରେ ଘରେ ପରିଚିତ। କାହିଁକିନା ଏହି ଗ୍ରାମରେ ଜନ୍ମ ନେଇଥିଲେ ମହାନ ବିପ୍ଳବୀ ଧରଣୀଧର ନାୟକ। ଆଉ ସେହି ସମୟରେ ଏହି ଶିକ୍ଷିତ ଭୁୟାଁ ଜାତିର ଯୁବକ ସ୍ୱେଛାଚାରୀ ରାଜଶାସନ ବିରୋଧରେ କରିଥିଲେ ବିପ୍ଳବ। ଆଜି ସମଗ୍ର ରାଜ୍ୟରେ ତାଙ୍କର ୧୫୪ତମ ଜନ୍ମତିଥୀ ପାଳନ କରାଯାଉଛି। ବିପ୍ଳବୀଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳୀ। କିନ୍ତୁ କେବଳ ସଭାସମିତି ଏବଂ ଫୁଲ ମାଳରେ ସରି ଯାଉଛି ଦାୟତୀତ୍ୱ। କେହିକେବେ ଏହି ଐତିହାସିକ ଗ୍ରାମର ଉନ୍ନତି କିମ୍ବା ତାଙ୍କ ଦୟାଦ ମାନଙ୍କ ଦୁଃଖ ବୁଝନ୍ତି ନାହିଁ। ଗ୍ରାମ ଅବସ୍ଥା ନକହିଲେ ସରେ। ଯଦିବା ବହୁ ଦାବି ପରେ ଗାଁ କୁ ରାସ୍ତା ଖଣ୍ଡେ ତିଆରି କରାଯାଇଛି କିନ୍ତୁ ଗ୍ରାମରେ ଏବେବି ଲାଗି ରହିଛି ବହୁ ସମସ୍ୟା। ବିଶେଷକରି ପାନୀୟ ଜଳ ସମସ୍ୟାରେ ଗ୍ରାମଟି ଜର୍ଜରିତ। ଆଉ ବିପ୍ଲବୀଙ୍କ ସ୍ମୃତି ବହନ କରୁଥିବା ଏକ ଗଭୀର କୂପର ଅବସ୍ଥା କହିଲେ ନସରେ। ତାହାବି ଜିରାଜିର୍ଣ୍ଣ ଅବସ୍ଥାରେ ପଡିରହିଛି। ଆଉ ବିପ୍ଲବୀଙ୍କ ଦୟାଦ ମାନଙ୍କ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। ସବୁ ବର୍ଷ ପ୍ରାଶସନିକ ବଡବଡିଆ ଅଧିକାରୀଙ୍କ ପାଦ ପଡେ କିନ୍ତୁ କେହି କେବେ ଏମାନଙ୍କ ଦୁଖଃ ବୁଝନ୍ତି ନାହିଁ। ପରିବାରର ବହୁ ସଦସ୍ୟ ବୃଦ୍ଧ ଅବସ୍ଥାରେ ରହିଥିବାବେଳେ ସାମନ୍ୟ ବାର୍ଦ୍ଧକ୍ୟ ଭତା ଟିଏବି ଏମାନଙ୍କ ଭାଗ୍ୟରେ ଜୁଟୁନାହିଁ। ଘର ଛପର ଖସି ଭାଙ୍ଗିପଡିଥିବାବେଳେ ସେଥିରେ ପଲିଥିନ ପଡିଛି ତଥାପି ଇନ୍ଦିରା ଆବାସ ଘର ଖଣ୍ଡେବି ମିଳି ପାରି ନାହିଁ। ବଣ ଜଙ୍ଗଲରୁ ଫଳ, ମୂଳ, କାଠ ସଂଗ୍ରହ କରି ଏମାନେ ପରିବାର ପ୍ରତିପୋଷଣ କରନ୍ତି ବୋଲି ତାଙ୍କର ନାତି ନରି ନାଏକ, ବିରଞ୍ଚି ନାଏକ, ଲକ୍ଷ୍ମୀ ନାଏକ ଆଦି କୁହନ୍ତି। କହିବାକୁ ଗଲେ ସମ୍ପୂର୍ଣ୍ଣ ଦାରିଦ୍ର୍ୟତାରେ ବୁଡି ରହିଛି ପରିବାର।

ସବୁଠାରୁ ବିଡମ୍ବନା କଥା ହେଲା ପ୍ରଶାସନ ଜିଲ୍ଲା ମୁଖ୍ୟାଳୟରେ ବିପ୍ଳବୀଙ୍କ ଜୟନ୍ତୀ ଧୁମଧାମରେ ପାଳନ କରୁଛି। କିନ୍ତୁ ତାଙ୍କ ଜନ୍ମମାଟିରେ ହେଉଥିବା ଉତ୍ସବ ପାଇଁ କୌଣସି ଆର୍ଥିକ ସହାୟତା ଦେଉନାହିଁ। କିନ୍ତୁ ବିପ୍ଳବୀଙ୍କ ପାଇଁ ଗର୍ବିତ ଗ୍ରାମବାସୀ ଏଥିରେ ପଛଘୁଂଚା ନଦେଇ ନିଜେ ଗାଁ ରେ ଘର ପିଛା ୧୦୦ ଟଙ୍କା ଲେଖାଏଁ ଚାନ୍ଦା କରି ପାଳନ କରୁଛନ୍ତି ଜୟନ୍ତୀ ଉତ୍ସବ। ଏ ସଂମ୍ପର୍କରେ ଆଜି ଜିଲ୍ଲା ରେ ପାଳିତ ହେଉଥିବା ଧରଣୀ ଧର ଜୟନ୍ତୀକୁ ମୁଖ୍ୟ ଅତିଥି ହୋଇ ଆସିଥିବା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଙ୍କର ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିବାରକୁ ସରକାରୀ ସୁବିଧା ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଓ ସରକାରଙ୍କ ଶୁଭ ଦୃଷ୍ଟି ଏହି ଐତିହାସିକ ଗ୍ରାମ ଏବଂ ପରିବାର ଉପରେ ପଡୁଛି।

Leave a Reply

Your email address will not be published. Required fields are marked *