ଦାଦନରୁ ଝିଅ ନଫେରିବା ନେଇ ପିତାଙ୍କ ଅଭିଯୋଗ

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଗୋଟିଏ ପଟେ ପାଠପଢି ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିଲେ। ପୁଣି ଅନ୍ୟପଟେ ପେଟକୁ ଭୋକର ଡ଼ର। ହେଲେ ଶେଷରେ କିନ୍ତୁ ଜିତିଗଲା ଭୋକ। ପାଣି ଫୋଟକା ପରି ମିଳେଇଗଲା ସବୁ ଅସୁମାରୀ ସ୍ୱପ୍ନ। ପେଟ ପାଇଁ ସ୍କୁଲ ପାଠରେ ପଡିଲା ଡୋରି। ତା’ପରେ ବଡ ବାପା ଝିଅ ସହ ଦିନେ ଦାଦନ ଖଟିବାକୁ ବାହାରିଗଲା ଝିଅ। ବାହାର ରାଜ୍ୟକୁ କାମ ଅନ୍ୱେଷଣରେ ଯାଉଥିବା ବେଳେ, ବାଟରେ ଏକ କ୍ରସରରେ ମିଳିଥିଲା କାମ। ତା’ପରେ ସେଠାରେ ଅଟକି ଯାଇଥିଲେ ଦୁହେଁ। ଦିନ କେଇଟାରେ କାମ କଲାପରେ ସେଇଠୁ ନିଖୋଜ ହୋଇ ଯାଇଥିବା ଝିଅ ଜାନୁଆରୀ ମୁଣ୍ଡା(୧୪)। ପରିବାର ଲୋକେ ପରେ ବହୁ ଖୋଜାଖୋଜି କରିଥିଲେ। ହେଲେ ପାଇଲେନି। କ୍ରସରକୁ ଯାଇ ତାର ପତା ମାଗିଥିଲେ ବି କେହି ସେମାନଙ୍କ କଥା ଶୁଣି ନଥିଲେ। ଓଲଟା କ୍ରସର ମାଲିକ ଧମକ ଚମକ ଦେଇ ଘଉଡ଼ାଇ ଦେଇଥିଲେ। ସେହି ଦିନ ଠାରୁ କାନ୍ଦି କାନ୍ଦି ଦିନ କାଟୁଛନ୍ତି ବଣେଇ ବ୍ଲକ ଅନ୍ତର୍ଗତ ଟିକାୟତପାଲ୍ଲୀ ଥାନା ଭାଲୁପାଣି ପଂଚାୟତର ଜାମଯୋର ଗ୍ରାମର ପିତା ଜଗତ ମୁଣ୍ଡା (୪୫) ଓ ମାଆ ମାନି ମୁଣ୍ଡା(୪୦)। ନାବାଳିକା ଛାତ୍ରୀ ଜାନୁଆରୀ ମୁଣ୍ଡା ପାଖ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିଲା। ପରିବାରର ପଢିବାକୁ ସହାୟତା ଦେଉନଥିଲେ ବି କଲେଜ ମାଡ଼ିବାର ସ୍ୱପ୍ନ ଦେଖିଥିଲା ଜାନୁଆରୀ। ମୂଲ ଲାଗିଲେ ଭାତ ମିଳୁଥିବା ପରିବାରରେ ବହୁ ସମୟରେ ଖାଇବାକୁ ମିଳୁ ନଥିଲେ ମଧ୍ୟ ସବୁ ସମସ୍ୟାକୁ ଆଡ଼େଇ ଦେଇ ପାଠପଢି ବଡ ମଣିଷଟିଏ ହେବାର ସ୍ୱପ୍ନ ଦେଖିଥିଲା। ହେଲେ ପରେ ସେ ନିଖୋଜ ହୋଇ ଯାଇଥିଲା। ଝିଅ ଏକ କ୍ରସରରେ କାମ କରୁଥିବା ଜାଣି ବାପା ଓ ମାଆ କ୍ରସର ମାଲିକ ପାଖକୁ ଯାଇ ଝିଅକୁ ଫେରାଇବାର ନେହୁରା କଲେ ସୁଦ୍ଧା କ୍ରସର ମାଲିକ ତାଙ୍କୁ ଓଲଟା ଧମକ ଚମକ ଦେଇ ମାଡ ମାରିଥିବା ଅଭିଯୋଗ ହୋଇଛି। ଶେଷରେ ବାପ ଓ ଝିଅ ଫେରିଆସି ଚଳିତ ମାସ ୪ ତାରିଖ ଦିନ ଟିକାୟତପାଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *