ଜିଲ୍ଲା ପରିକ୍ରମା

ଦଳୀୟ ନେତାଙ୍କ ପଟ୍ଟ ପରିବର୍ତ୍ତନର ଆଭାସ, ଭଦ୍ରକରେ ହେବ ନୂଆ ରାଜନୈତିକ ସୀମକରଣ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକର ରାଜନୀତିରେ ଘଡିକେ ଘୋଡା ଛୁଟିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି, କିଛି ନେତା ଓ କର୍ମୀଙ୍କ ମଧ୍ୟରେ ପଟ୍ଟ ପରିବର୍ତ୍ତନର ଆଭାସ ସେତିକି ବାରି ହୋଇପଡୁଛି । ଭଦ୍ରକରେ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ଆସନ୍ତା ନିର୍ବାଚନ ପାଇଁ ବେଶ୍ ସକି୍ରୟ ହୋଇଛନ୍ତି । ବିଜେଡି ସହ ତାଳ ଦେଇ କଂଗ୍ରେସ ଓ ବିଜେପି ମଧ୍ୟ ଏବେଠୁ ସଜବାଜ ଆରମ୍ଭ କରି ଦେଇଛନ୍ତି । ତେବେ ଆଗାମୀ ଦିନରେ ନେତାଙ୍କ ପଟ୍ଟ ପରିବର୍ତ୍ତନ ପରେ ଭଦ୍ରକ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ଚର୍ଚ୍ଚା ହେଉଛି । ଜିଲାରେ ଗତ ନିର୍ବାଚନର ଭୋଟ୍ ସଂଖ୍ୟା ଦୃଷ୍ଟିରୁ ବିଜେପି ବେଶ୍ ପଛରେ ରହିଥିଲେ ମଧ୍ୟ ଆଗାମୀ ନିର୍ବାଚନ ପାଇଁ ମୋଦି ହାୱାରୁ ବିଜେପି ନେତାମାନେ ଫାଇଦା ନେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଜିଲା ବିଜେପିରେ ଏବେ ବିଜେପିର ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀଙ୍କର ଦବ୍ଦବା ଦେଖିବାକୁ ମିଳୁଛି । ସଂଗଠନ ଉପରେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲଙ୍କର ବଡଭାଇ ପଣିଆ ରହିଥିଲେ ମଧ୍ୟ ବିଷ୍ଣୁଙ୍କୁ କିନ୍ତୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଷ୍ଣୁ କୁଆଡେ ଜିଲା ପାଇଁ ୨୦୧୯ ର ନିର୍ବାଚନ ରଣନୀତିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଜିଲାର ସବୁ ନିର୍ବାଚନ ମଣ୍ଡଳୀର ହାଲ୍ଚାଲ ଓ ଅନ୍ୟ ଦଳର ନେତାଙ୍କର ଗତିବିଧି ଉପରେ ନଜର ରଖୁଛନ୍ତି । ଦଳୀୟ ଗତିବିଧିର ଟିକିନିଖି ଖବର ବିଷ୍ଣୁଙ୍କ ମାଧ୍ୟମରେ ଯାଉଛି କେନ୍ଦ୍ର ନେତୃମଣ୍ଡଳୀଙ୍କ ପାଖକୁ । ତେଣୁ ଜିଲାରେ ବିଜେପିର ଟିକଟ ବଣ୍ଟନ ବେଳେ ତାଙ୍କ କଥାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଏଇ ଚର୍ଚ୍ଚାର ସତ୍ୟତା ଯାହା ଥାଉନା କାହିଁକି, ଏହା ଭିତରେ ବିଭିନ୍ନ ଦଳରୁ କିଛି ଆଶାୟୀ ପ୍ରାର୍ଥୀ ମଧ୍ୟ ବିଷ୍ଣୁଙ୍କ ସହ ଗୁପ୍ତ ମନ୍ତ୍ରଣା କରିଥିବା ଶୁଣାଯାଉଛି । ବିଜେଡିରୁ ଯେଉଁ ନେତାମାନେ ଏଥର ଟିକଟ ପାଇବେ ନାହିଁ, ସେମାନଙ୍କ ମଧ୍ୟରୁ କେତେ ଜଣ କଂଗ୍ରେସ ଶିବିର ସହ କଥାବାର୍ତ୍ତା ଆରମ୍ଭ କରିଥିବାବେଳେ ଆଉ କିଛି ନେତା ବିଜେପି ଶିବିର ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ବିଜେଡି ଶିବିର ନିଜସ୍ୱ ସର୍ଭେ ରିପୋର୍ଟ ଓ ଗୁଇନ୍ଦା ରିପୋର୍ଟକୁ ନେଇ ଟିକଟ ଦେବାକୁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଆଗାମୀ ନିର୍ବାଚନରେ ଜିଲାର ଗୋଟିଏ ବି ସିଟ୍ ଯେମିତି ହାତଛଡା ନହୁଏ, ସେ ଦିଗ ଉପରେ ଦୃଷ୍ଟି ନିକ୍ଷେପ କରିଛି । ସେଥିପାଇଁ ବିଜେଡି ଏଥର ଟିକଟ ବାଣ୍ଟିବାବେଳେ କିଛି ନୂଆ ମୁହଁକୁ ଆଗକୁ ଆଣିବାକୁ ସଜବାଜ ହେଉଛି । ବିଜେଡିର ଏଇ ଫର୍ମୁଲାକୁ ଦୃଷ୍ଟିରେ ରଖି କଂଗ୍ରେସ ଶିବିର ଜିଲାରେ ଗୋଟିଏ କି ଦୁଇଟି ସିଟ୍ ହାତେଇବାକୁ ଯୋଜନା ପ୍ରସ୍ତୁତ କରୁଛି । ଯେଉଁ ଆସନରେ ନିଜ ଦଳର ଯୋଗ୍ୟ ନେତା ନ ମିଳିବେ, ସେଠାରେ ଅନ୍ୟ ଦଳରୁ ଅର୍ଥାତ୍ ବିଜେଡିରୁ ଉପେକ୍ଷିତ ନେତାଙ୍କୁ କୋଳେଇ ନେବ ବୋଲି ଶୁଣାଯାଉଛି । କଂଗ୍ରେସର ଏପରି ଫର୍ମୁଲା ଭିତରେ କିନ୍ତୁ ବିଜେପି ଟିକେ ଆଗରେ ରହିଛି । ଆଗାମୀ ଦିନରେ ବିଜେପି କେମିତି ଭଦ୍ରକରେ ତାର ଖାତା ଖୋଲିବ ଓ ଭୋଟ ହାର ବଢାଇବ; ସେଇ ଲକ୍ଷ୍ୟ ନେଇ ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଛି । ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ନିଜ ଦଳକୁ ନେଇ ବିଜେପି ଭଦ୍ରକରେ ଶାକ୍ତିଶାଳୀ ହେବାକୁ ଯୋଜନା କରୁଛି । ଜିଲାର ବିଭିନ୍ନ ଆସନ ମଧ୍ୟରୁ ଧାମନଗର ଆସନରେ ଦଳର ସ୍ଥିତି ଅପେକ୍ଷାକୃତ ଆଶାଜନକ ଥିବାରୁ ଏଇ ଆସନକୁ ଦଖଲ କରିବା ପାଇଁ ଜଣେ ଟାଣୁଆ ବିଜେଡି ନେତାଙ୍କୁ ଆଗାମୀ ଦିନରେ ନିଜ ଶିବିରକୁ ନେବା ପାଇଁ ବିଷ୍ଣୁ ଉଦ୍ୟମ ଚଳାଇଛନ୍ତି । ସେହିପରି ବାସୁଦେବପୁରରେ କାଳେ ନୂଆ ନେତା ଖୋଜା ଚାଲିଛି । ଏଥିପାଇଁ କିଛି ଯୁବନେତା ଓ ପୁରୁଖା ନେତାଙ୍କ ନାଁ ଚର୍ଚ୍ଚାକୁ ଆସୁଛି । ଚାନ୍ଦବାଲିରେ କଂଗ୍ରେସ ଶିବିର ଓ ବିଜେଡି ଶିବିରରୁ ଦୁଇ ନେତାଙ୍କ ଉପରେ ବିଜେପି ନଜର ରଖିଛି । ଯେଉଁମାନେ ବିଜେପି ନେତା ମନମୋହନଙ୍କ ସହ ସିଧାସଳଖ ସଂପର୍କ ରଖିବା ଆରମ୍ଭ କରିଛନ୍ତି । ଭଣ୍ଡାରିପୋଖରୀରେ ବଦ୍ରୀ ଓ ପଂଚାନନଙ୍କ ମଧ୍ୟରେ ଟିକଟକୁ ନେଇ ଦ୍ୱନ୍ଦ୍ୱ ଥିବାବେଳେ ନିର୍ବାଚନ ମଣ୍ଡଳୀରୁ ଜଣେ କଂଗ୍ରେସ ନେତ୍ରୀଙ୍କ ଉପରେ ମଧ୍ୟ ବିଜେପି ନଜର ରଖିଛି । ସେମିତି ଭଦ୍ରକର ଜଣେ ଟାଣୁଆ କଂଗ୍ରେସ ନେତାଙ୍କୁ କରାୟତ୍ତ କରିବା ପାଇଁ ବିଜେପି ଉଦ୍ୟମ ଚଳାଇଛି । ଆବଶ୍ୟକ ହେଲେ ତାଙ୍କୁ ବିଜେପି ନିଜ ଆଡକୁ ନେବାକୁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ଅସମର୍ଥିତ ସୂତ୍ରରୁ ଖବର ମିଳୁଛି । ସେହିଭଳି ବିଜେପି ଭଦ୍ରକ ଲୋକସଭା ଆସନ ପାଇଁ ଏକ ବଡ ଧରଣର  ଗୋଟିଚାଳନା ଆରମ୍ଭ କରିବାକୁ ଯାଉଛି । ବିଜେଡିର ଜଣେ ଟାଣୁଆ ଅସନ୍ତୁଷ୍ଟ ନେତାଙ୍କୁ ଏଥର ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏଇ ଚର୍ଚ୍ଚା ଯଦି ସତ୍ୟ ହୋଇଥାଏ, ତେବେ ଖୁବ୍ ଶୀଘ୍ର ଏଇସବୁ ନେତାଙ୍କର ଗତିବିଧି ସ୍ପଷ୍ଟ ହୋଇଯିବ ବୋଲି ବିଚାର କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top