ଗଳ୍ପ

ଦର୍ପଣ

ଡକ୍ଟର କନକ ମଂଜରୀ ପଟ୍ଟନାୟକ

ରୋଜିକୁ ବସ୍ ରେ ବସାଇ ଆସିବା ପରଠୁ ଗତ ପନ୍ଦର ବର୍ଷର ଅତୀତ ମୋ ଭିତରେ ଘାଣ୍ଟି ଚକଟି ହେଉଛି। ଏଇ ବର୍ଷମାନଙ୍କ ଭିତରେ ସେ କେତେବେଳେ ପ୍ରତ୍ୟକ୍ଷ ଭାବେ ତ କେତେବେଳେ ପରୋକ୍ଷ ଭାବେ ମୋ ଚିନ୍ତା ଓ ଚେତନାରେ ତା’ର ଉପସ୍ଥିତି ଜାହିର କରି ମତେ ବ୍ୟତିବ୍ୟସ୍ତ କରିଛି। ମୁଁ ଏଠି ରହିବା ପରଠାରୁ ତା’ ସହ ଥିବା ଆତ୍ମୀୟତାର ଶିକୁଳି ଢ଼ିଲା ପଡିଯାଇଛି ବୋଲି ମୋର ଯେଉଁ ଧାରଣା ଥିଲା, ଆଜି ସେ ଧାରଣା ଅମୂଳକ ଲାଗୁଛି।

ଏଇ ପନ୍ଦର ବର୍ଷ ଭିତରେ ସେ ମୋ ପାଖକୁ ମାତ୍ର ଦି’ ଥର ଆସିଥିବା ବେଳେ, ମୁଁ ଅଧିକ ଥର ତା’ ପାଖକୁ ଯାଇଛି। ଅବଶ୍ୟ ତା’ ବାହାଘର ପୂର୍ବରୁ। କିନ୍ତୁ ବାହାଘର ପରେ ପ୍ରତି ଛୁଟିରେ ସେମାନେ ବାହାରକୁ ଚାଲିଯାଉଥିବା ହେତୁ ତିନି ଚାରି ଥର ହିଁ ତା’ ପରିବାର ସହ ମୁଁ କିଛିଦିନ ରହିଛି। ପରିବାର କହିଲେ, ସେ ଓ ତା’ ସ୍ୱାମୀ ସୌମ୍ୟରଂଜନ। ସୌମ୍ୟରଂଜନ ଦେଖିବାକୁ ତାଙ୍କ ନାମ ଭଳି। ତାଙ୍କର ବ୍ୟବହାର, ଚାଲିଚଳନ, ବି ଭଦ୍ର, ସୌମ୍ୟ-ସାମ୍ ନା ଲୋକକୁ ଅନୁରଂଜିତ କଲା ଭଳି। ଅଥଚ ଏ ଚଣ୍ଡୀ ବାରମାସୀ ଏଣ୍ଡୁଅ ଭଳି ଘଡି ଘଡିକି ରଂଙ୍ଗ ବଦଳାଇ ଲୋକଟାକୁ କ୍ଷତାକ୍ତ କରି ଚାଲିଛି। ଏପରିକି ସେ ଥର ମୋ ଉପସ୍ଥିତିରେ ବି।

ମୋର ସ୍ପଷ୍ଟ ମନେ ଅଛି, ତିନି ବର୍ଷ ତଳେ ସେମାନଙ୍କ ପାଖକୁ ଯାଇଥାଏ। ଦିହିଁଙ୍କୁ ସାଙ୍ଗରେ ଧରି ଏଠିକୁ ଫେରିବି ବୋଲି। କିନ୍ତୁ ବିନାମେଘରେ ବଜ୍ରପାତ ଭଳି କ’ଣ ସବୁ ଏମିତି ଘଟିଲା ଯେ, ଏବେ ବି ମୁଁ ସେସବୁ ସ୍ପଷ୍ଟ ଭାବେ ଆକଳନ କରିପାରୁନି। ରୋଜି ଭିତରେ ଥିବା ପୁଂଜିଭୂତ ଅସନ୍ତୋଷ ଓ ଅସହିଷ୍ଣୁ ଭାବ ଉଗ୍ରରୂପ ନେଇ ମୂର୍ତ୍ତିମତୀ ହୋଇ ଉଠିଲା। ମୁଁ ଅବାକ୍।

ସୌମ୍ୟରଂଜନ କିନ୍ତୁ ଅତ୍ୟନ୍ତ ଶାନ୍ତ ଭାବରେ ମତେ ଏତିକି ମାତ୍ର କହିଥିଲେ ଆପଣ ଟିକେ ତାକୁ ବୁଝାନ୍ତୁ ! କ’ଣ ତା’ର ଅସୁବିଧା ?

ବାସ୍, ଏତିକିରେ ସେ ବୋମା ଭଳି ଫୁଟିଗଲା। ସୌମ୍ୟରଂଜନଙ୍କୁ ଆଉ କିଛି ବି କୁହାଇ ଦେଲାନି। ମୋର କିଂ କର୍ତ୍ତବ୍ୟ ବିମୂଢ଼ ଅବସ୍ଥା। ରୋଜିର ତାଳ ମେଳ ନଥିବା କଥା ସବୁ ମତେ ଲାଗୁଥିଲା ତା’ ଭିତରେ ଅସନ୍ତୁଷ୍ଟି ଓ ଅସହିଷ୍ଣୁ ଭାବ ବସାବାନ୍ଧି ବସିଛି। ତା’ ମନଭାବକୁ ବ୍ୟକ୍ତ କରିବା ପାଇଁ ସେ ଏତେସବୁ ଅଶାଳୀନ ଶବ୍ଦ ସୌମ୍ୟରଂଜନଙ୍କ ପ୍ରତି ପ୍ରୟୋଗକରୁଥିଲା ଯେ, ମୋ ପକ୍ଷେ ସେସବୁ ଶୁଣିବା ଅସହ୍ୟ ମନେହେଲା। ଅନ୍ୟ ଜଣକ ଉପସ୍ଥିତିରେ ସ୍ୱାମୀ ପ୍ରତି ଏ ଭଳି ଶବ୍ଦ ଓ ସଂବୋଧନ ମତେ ଭଲ ଲାଗି ନଥିଲା। ସେଇ ସମୟରେ ହିଁ ମୁଁ ଫେରି ଆସିବା ପୂର୍ବରୁ, ତାକୁ ଏତିକି କହିଥିଲି ଦେଖ ରୋଜି, ଧରିନେ ଏଇଟା ତୋ ଘରକୁ ଆସିବା ମୋର ଶେଷଥର। ପରସ୍ପର ପ୍ରତି ସମ୍ମାନ ଓ ସହମତି ନଥିଲେ ଘରସଂସାର କରିହୁଏନି। ଆଜିଯାଏ ସବୁ କିଛି ନିଜ ଇଚ୍ଛାରେ ହିଁ କଲୁ। ତଥାପି ତୋ ଭିତରେ ଏତେ ଅସନ୍ତୋଷ ! ଯଦି ପାରିବୁ, ଏବେ ବି ସମୟ ଅଛି, ନିଜକୁ ସଂଶୋଧନ କର।

ଏତିକି କହି, ବ୍ୟାଗ ଧରି ମୁଁ ବାହାରିଲା ବେଳକୁ ମତେ ଶୁଣେଇ ଶୁଣେଇ ସେ କହିଥିଲା- ତୁ ତ ନିଜେ ଘର ସଂସାର କରିନୁ। ପରସ୍ପର ସମ୍ମାନ, ସହମତି କଥା କୁଆଡୁ ଜାଣିବୁ। ଭାଷଣ ଦେବା ସହଜ। ବୁଝିଲୁ….।

ମୋର ଦି’ କାନମୂଳ ଝାଇଁଝାଇଁ ହୋଇଗଲା। ରୋଜି ମୋର ମର୍ମସ୍ଥଳକୁ ଆଘାତ କରିଥିଲା।

ତା’ ପରଠୁ ତା’ ସହ ମୁଁ କୌଣସି ପ୍ରକାର ଯୋଗସୂତ୍ର ରଖି ନଥିଲି। ମଉସା-ମାଉସୀ ତ ଆଗରୁ ଚାଲିଯାଇଥିଲେ। ମତେ ମଧ୍ୟ ଲାଗିଲା, ଏଇ ଅଂଚଳକୁ ମୁଁ ଚାକିରି ପାଇଁ ଆସିବା ପରଠୁ ମୋ ସହ ରୋଜିର ସଂପର୍କ ଧୀରେ ଧୀରେ ଶୀଥିଳ ପଡ଼ି ଆଜି ବୋଧହୁଏ ଶେଷ ହୋଇଗଲା। କଷ୍ଟ ଲାଗିଲେ ବି ନିଜକୁ ବୁଝାଇଥିଲି, ଉଷ୍ଣତା ନଥିବା ସଂପର୍କ ବରଂ ତୁଟି ଯିବା ହିଁ ଭଲ।

କିନ୍ତୁ ଏବେ କିଛିଦିନ ତଳେ ରୋଜିଠାରୁ ଫୋନ୍ ପାଇଲି, ସେ ସୌମ୍ୟରଂଜନଠୁ ଅଲଗା ହୋଇ ରହୁଛି। ଚାକିରି ନଥିଲେ ମୋ ପାଖକ ଚାଲିଆସନ୍ତା।

ପୁଣି ତାକୁ ନେଇ ଏଇ କିଛି ଦିନ ହେଲା ମୋ ଭିତରେ ସଂଘର୍ଷ ଚାଲିଲା। ଫୋନ୍ ଯୋଗେ, ଚିଠି ଲେଖି ତାକୁ ବହୁ ପ୍ରକାର ବୁଝାବୁଝି କଲି।

ଏବେ ତିନିଦିନ ହେଲା ସେ ପାଖରେ ଥିଲା। ମନ ଭିତରେ ରାଗ ଥିଲେ ବି ଅଧିକାଂଶ ସମୟ କାନ୍ଦ କାନ୍ଦ ଭାବ ତାକୁ ବଡ଼ ଦୟନୀୟ କରୁଥିଲା। ବିଭିନ୍ନ ଉପାୟରେ ତାକୁ ଖୁସି କରିବା ପାଇଁ ମୁଁ ଚେଷ୍ଟା କରୁଥିଲି। ତା’ର ମନ ପରିବର୍ତ୍ତନ ପାଇଁ ଉପାୟ ଖୋଜୁଥିଲି। ସେ ଆଉ କିଛି ଦିନ ମୋ ପାଖରେ ରହିବ କହୁଥିଲା। କିନ୍ତୁ ହଠାତ୍ କ’ଣ ହେଲା କେଜାଣି, ଗତ ରାତିରେ ସେ ଅଡି ବସିଲା – ଭୋର୍ ବସରେ ଫେରିଯିବ ବୋଲି।

ପନ୍ଦର ବର୍ଷ ତଳେ ଏଇ ଆଦିବାସୀ ଅଂଚଳରେ ମୁଁ ରହିବାକୁ ନେଇ ଆମ ଭିତରେ ଚିଠି ପତ୍ରରେ ବହୁ ଯୁକ୍ତିତର୍କ ହୋଇଥିଲା। କଲେଜ ଜୀବନର ସବୁତକ ବର୍ଷ ଆମେ ଭଲ ସାଙ୍ଗ ଥିଲୁ ବୋଲି ଅନ୍ତତଃ ମୋ ମନରେ ଯେତିକି ସନ୍ତୋଷ ଥିଲା, ରୋଜି ମନରେ ସେ ଭଳି କିଛି ନ ଥିଲେ ହେଁ, ସେ ମତେ ତା’ର ଭଲ ସାଂଗ ବୋଲି ଅନ୍ତତଃ ମାନୁଥିଲା। ସଂଭବତଃ ସଂପର୍କ ସେତୁର ଏ କୂଳରେ ମୁଁ ଥାଇ, ସେ କୂଳରେ ଗଦାଏ ରାଗ ଓ ଅଭିମାନକୁ ଧରି ମୁହଁ ଫୁଲାଇ ରହିଥିବା ରୋଜିକୁ ମୁଁ ଆଦିବାସୀମାନଙ୍କ ସବୁ ଭଲ ଗୁଣ ସଂପର୍କରେ ଦେଖା ସାକ୍ଷାତରେ କହୁଥିଲି।

ଏମିତିରେ ଦେଖିବାକୁ ଗଲେ, ବିଶ୍ୱ ଆଦିବାସୀ ସଂପ୍ରଦାୟର ଗହଳି ଭିତରେ, କୌଣସି ଆଦିବାସୀ ବୃଦ୍ଧା ମୋ ଆଖି ଆଗକୁ ଆସିଗଲେ, ମୋ ସ୍ମୃତିରେ ଦୁଇ ଜଣ ଅବିସ୍ମରଣୀୟ ଆଦିବାସୀ ରମଣୀ ସଜୀବ ହୋଇଉଠନ୍ତି। ଜଣେ କଳ୍ପନା ରାଜ୍ୟର। ଆଉ ଜଣେ ବାସ୍ତବ ଜଗତର। ‘ପରଜା’ ରେ ବର୍ଣ୍ଣିତ ସୁକ୍ରୁଜାନି ଝିଅ ‘ଜିଲି’ ଏକ କାଳ୍ପନିକ ଚରିତ୍ର ହେଲେ ହେଁ, ‘ପରଜା’ ପଢ଼ିବା ପରଠାରୁ ଏଇ ଚରିତ୍ର ମୋ ଭିତରେ ଏକ ସ୍ଥାୟୀ କାରୁଣ୍ୟ ହୋଇ ରହିଯାଇଛି। ଆଉ ‘ବଣ୍ଡା ହାଇଲ୍ୟାଣ୍ଡର୍ସ’ ର ରଚୟିତା, ବିଶିଷ୍ଟ ନୃତତ୍ତ୍ୱବିତ୍ ବେରିଆର ଏଲୱିନ୍ ଙ୍କ ବଣ୍ଡା ପତ୍ନୀ ‘କୌଶଲ୍ୟା’ – ଡାକ ନାମ ‘କୋଶି’, ବିଂଶ ଶତାବ୍ଦୀର ଏକ ବାସ୍ତବ ଚରିତ୍ର। ଶତାବ୍ଦୀର ପ୍ରଗତି ଭିତରେ ଯା’ର ଯୌବନ, ପ୍ରୋଢ଼ତ୍ୱକୁ ଡ଼େଇଁ ବାର୍ଦ୍ଧକ୍ୟର ଅସହାୟତାକୁ ସ୍ପର୍ଶ କରିଛି। ଏ ଦୁଇ ଚରିତ୍ର ଜୀବନର ଚଢ଼ା – ଉତରା ଭିତରେ ଆଦିବାସୀ ରମଣୀ ପ୍ରତି ଏକ ସ୍ୱତଃ ସ୍ଫୃର୍ତ୍ତ ସମ୍ମାନବୋଧ ଓ ସଂବେଦନଶୀଳତା ଭଦ୍ରେକ ହୋଇଛି। ଇତିହାସ, ପୁରାଣ ଓ ସମକାଳୀନ ଅଜସ୍ର ଅବିସ୍ମରଣୀୟ ନାରୀ ଚରିତ୍ର ଭିତରେ ଏ ଦୁଇ ଚରିତ୍ର ମୋ ଚିତ୍ତବୃତ୍ତିରେ ଚିର ସଜୀବ ଅଛନ୍ତି। ଆଦିବାସୀ ବୃଦ୍ଧା ଜଣେ ନଜରରେ ପଡ଼ିଗଲେ, କାଳ୍ପନିକ ଚରିତ୍ର ଜିଲିର ବାର୍ଦ୍ଧକ୍ୟ ମୋ ଆଗରେ ଠିଆ ହେଲା ପରି ମନେ ହୋଇଛି। ସେଇ ସେଇ ଦିନ ମାନଙ୍କରେ, ମନ ଭିତରେ ଇଚ୍ଛାଟିଏ ବି ଜାଗିଥିଲା, କେବେ ଥରେ ସୁଯୋଗଟିଏ ମିଳନ୍ତା କି ‘ବଣ୍ଡା’ ହାଇଲ୍ୟାଣ୍ଡର୍ସ’ ର ଲେଖକ ବେରିଆର ଏଲ୍ ୱିନ୍ ଙ୍କ ବଣ୍ଡା ପତ୍ନୀ, ସେଇ ଚର୍ଚ୍ଚିତ ନାରୀକୁ ଦେଖି ଆସିଥାଆନ୍ତି …।

କିନ୍ତୁ ମୋର ଏ ମାନସିକତା ପ୍ରତି ରୋଜି ସମ୍ମାନ ଦେବା ତ ଦୂରର କଥା, ଆଦିବାସୀ ଲୋକଙ୍କ ବିଷୟ ଉଠିଲେ ହିଁ ତା’ ଭିରେ ଅସହିଷ୍ଣୁ ଭାବଜାଗି ଉଠେ।

ଆଜିକୁ ପନ୍ଦର ବର୍ଷ ତଳେ କନ୍ଧମାଳ ଜିଲ୍ଲାର ଏହି ଆଦିବାସୀ ଅଂଚଳକୁ ଏକ ବେସରକାରୀ ମହାବିଦ୍ୟାଳୟରେ ଅଧ୍ୟାପିକା ଚାକିରି ନିମନ୍ତେ ଆସିଥିଲି। କିନ୍ତୁ ଏଠିକାର ଅନୁଦାନ ପ୍ରାପ୍ତ ହାଇସ୍କୁଲରେ ରହିଯାଇଛି ଶିକ୍ଷୟିତ୍ରୀ ଭାବେ। ସେଇ ସେଇ ଦିନମାନଙ୍କରେ ବେସରକାରୀ କଲେଜର ତୃତୀୟ ପୋଷ୍ଟରେ ରହି ଅଧ୍ୟାପିକା ହେବାର ସ୍ୱପ୍ନକୁ ସାକାର କରିବି ବୋଲି ଭାବିଲା ବେଳକୁ, ଶୁଭାକାଂଙୀମାନେ ପରାମର୍ଶ ଦେଲେ, ସରକାରଙ୍କ ଅନୁଦାନ ନୀତିର ଗୋଲକଧନ୍ଦାରେ ନ ପଡ଼ିବା ଭଲ। ଏ କଲେଜର ତୃତୀୟ ପୋଷ୍ଟର ଭବିଷ୍ୟତ କହିହେବ ନାହିଁ। ସୁତରାଂ ଆଗରୁ ଖୋଲିଥିବା ହାଇସ୍କୁଲର ଦ୍ୱିତୀୟ ପୋଷ୍ଟରେ ରହିଯିବା ଉଚିତ୍।

ଅଧ୍ୟାପିକା ଚାକିରି ଛାଡ଼ିଲା ବେଳେ ଦିନା କେତେ କଷ୍ଟ ଭୋଗିଲି। ମନ କଥା ପ୍ରିୟ ସାଙ୍ଗ ରୋଜିକୁ ମଧ୍ୟ ଚିଠି ଜରିଆରେ କହିଲି। ସେଇଦିନ ମାନଙ୍କରେ ନିଜର ଦୁଃଖକୁ ନେଇ, ସୁଖକୁ ନେଇ ପୃଷ୍ଠା ପୃଷ୍ଠା ଚିଠି ଲେଖିବା ବଡ଼ ସ୍ୱାଭାବିକ ଥିଲା। ଆତ୍ମସନ୍ତୋଷ ବି ମିଳୁଥିଲା। ମୁଁ କଲେଜ ଜୀବନରୁ ସ୍ୱପ୍ନ ଦେଖିଥିଲି ଅଧ୍ୟାପିକା ହେବା ପାଇଁ। କିନ୍ତୁ ସ୍ୱପ୍ନ କୁ ସାକାର କରିବା ପାଇଁ ଭାଗ୍ୟର ସହଯୋଗ ନଥିଲା। ମୁଁ ଏିଠି ସ୍କୁଲରେ ରହିଗଲି। କିନ୍ତୁ ବିଦ୍ୟାର୍ଥୀ ଜୀବନ ଓ ତା’ ପରବର୍ତ୍ତୀ କ୍ୟାରିଅର ଇତ୍ୟାଦିକୁ ନେଇ ରୋଜିର କିଛି ସ୍ୱପ୍ନ ହିଁ ନଥିଲା। ତା’ ପାଇଁ ଜୀବନ ଥିଲା, ପରିପୂର୍ଣ୍ଣ ବିଳାସ। ସହରର ଚାକଚକ୍ୟ ଆଡ଼କୁ ଅଧିକ ଆକର୍ଷଣ ରଖିଥିବା ରୋଜାଲିନ୍ ସେତେବେଳେ ମତେ ଯାହାସବୁ କହଥିଲା, ସେସବୁ ଗୋଟି ଗୋଟି ମୋର ମନେ ଅଛି।

ଚାକିରିର ପ୍ରଥମ ଖରାଛୁଟି। ରୋଜି ସହ କିଛିଦିନ କଟାଇବା ପାଇଁ ମୁଁ ତାଙ୍କ ଘରକୁ ଯାଇଥାଏ। ଖାଇବା ଟେବୁଲରେ ଆମେ ବସି କଥାହେଉଥାଉ। ମଉସା ସ୍କୁଲ କଥା ପଚାରିଲେ – ଷ୍ଟାଫ୍ ସବୁ କେମିତି ?

– ଅଧିକାଂଶ ଆମେ ଦୂରରୁ ଯାଇଛୁ। ଖୁବ୍ କମ୍ ଜଣ ସେଇ ଆଖ ପାଖର। ସମସ୍ତେ ପ୍ରାୟ ଭଲ।

– ଆଉ ସେଠିକା ପରିବେଶ ? ତତେ ଏକୁଟିଆ ଲାଗୁନି ? ମାଉସୀ ପଚାରିଲେ।

– ମୁଁ ତ ଗୋଟେ ଆଦିବାସୀ ସାହିରେ ରହୁଛି। ଛୁଟିଦିନମାନଙ୍କରେ ବାହାର ବାରଣ୍ଡାରେ ବସି, ସେମାନଙ୍କ ଜୀବନଚର୍ଯ୍ୟା ଦେଖିବାକୁ ମତେ ଖୁବ୍ ଭଲ ଲାଗୁନି। ସ୍ତ୍ରୀ ଲୋକଗୁଡ଼ିକ ବଡ଼ ପରିଶ୍ରମୀ। ସଭିଏଁ ମିଳିମିଶି ଚଳନ୍ତି। ସଭିଏଁ ଖଟନ୍ତି ମିଳିମିଶି ଆନନ୍ଦ ସାଉଁଟନ୍ତି। ଦୁଃଖ ପିଅନ୍ତି। ସୁଖ ଭୋଗନ୍ତି। ମତେ ଏକୁଟିଆ ଲାଗେନି।

ମାଉସୀ ଝଅଟ କରି କଥା ଲେଉଟାଇଲେ – ଆଲୋଝିଅ, ରୋଜିକୁ ବୁଝା, ବାହାର ଜାଗାରେ, ନୂଆ ପରିବେଶରେ କେମିତି ଚଳିବାକୁ ହୁଏ। ବାପଘରର ସାଆନ୍ତିଆ ସୁଖକୁ କାନିରେ ବାନ୍ଧିଲେ ଆଗକୁ ଚାଲିହେବନି। ଜୀବନର ଅଧେ ସମୟ ପରଲୋକଙ୍କୁ ଆପଣାର କରି ଚଳିବାକୁ ହେବ —।

ମାଉସୀ କଥା ନ ସରୁଣୁ ରୋଜି ସିଧାସଳଖ ମତେ ଆକ୍ରମଣ କଲା-ତତେ ସେ ପରିବେଶରେ ରହିବାକୁ ବିରକ୍ତି ଲାଗୁନି ? ମଳିମୁଣ୍ଡିଆ, ଅପରିଛନିଆ ଲୋକ, ଲଙ୍ଗଳା ରୋଗିଣା ସାଲୁବାଲୁ ପିଲା, ମାଟି ଗୋବର, ସାପ-ବେଙ୍ଗ-ବିଚ୍ଛା, ଏସବୁ ଭିତରେ ଯେ ତୁ କେମିତି ରହୁଛୁ ?

ମତେ ଯେମିତି ଲାଗିଲା, ଏ ଭିତରେ ନିଶ୍ଚେ କିଛି ଘଟିଛି। ରୋଜିର କୌଣସି ଆଚରଣ ମାଉସୀ- ମଉସାଙ୍କୁ କ୍ଷୁବ୍ ଧ କରିଛି। ଏମିତିରେ କଲେଜ ପଢ଼ିବା ଦିନରୁ ମୁଁ ଦେଖି ଆସିଛି, କେତେବେଳେ ଘର ପାଇଁ କେତେବେଳେ ପରିସ୍ଥିତି ପାଇଁ, ଆଉ କେବେ କଲେଜ ପାଇଁ ସେ ଉଦ୍ ବେଗର କାରଣ ବନିଛି ଯିବା ଆସିବା ରାସ୍ତାରେ କେହି କିଛି କହିଦେଲେ, ତା’ ଉପରକୁ ଚପଲ ଉଠାଇଛି। କଲେଜ ଭିତରେ ଛୋଟ ଛୋଟ କଥାକୁ ନେଇ ଗୋଟେ ଗୋଟେ ଇସୁ୍ୟ ଠିଆ କରିଛି। ଘରକୁ ଆସୁଥିବା ବନ୍ଧୁବାନ୍ଧବଙ୍କୁ ନେଇ କେତେବେଳେ କି ପ୍ରକାର କାଣ୍ଡ କାରଖାନା ସୃଷ୍ଟି କରିଛି, ମଉସା, ମାଉସୀ ଏସବୁ ଜାଣନ୍ତି। ମୁଁ ମଧ୍ୟ ଜାଣେ। ତେବେ ଗୋଟେ ସ୍ଥାନକୁ ନେଇ ତା’ ଭିତରେ ଏଭଳି ଅସହିଷ୍ଣୁ ଓ ଘୃଣା ବିରକ୍ତିର ଭାବ.. ! ମୁଁ ସେଠି ଚାକିରି କରୁଛି ଜାଣିବା ପରେ ମଧ୍ୟ… !

ତା’ର କଥା ଶୁଣି ସେଦିନ ମୁଁ ମଧ୍ୟ କ୍ଷୁବ୍ ଧ ହୋଇଥିଲି। ପରେ ଜାଣିଲି, ଅଧ୍ୟାପନା ନ କରି ମୁଁ ସ୍କୁଲରେ ଶିକ୍ଷକତା କରିବା ତା’ର ପସନ୍ଦ ହୋଇନି। ପସନ୍ଦ ହୋଇନି ଅର୍ଥ, ସେ ଶିକ୍ଷକତାକୁ ଛୋଟ ଦୃଷ୍ଟିରେ ଦେଖୁଛି।

ସେଦିନ ଶୋଇବା ସମୟରେ ତା’ର ଏ ଚିନ୍ତାଧାରାକୁ ସେ ମୋ ଆଗରେ ଆହୁରି ସ୍ପଷ୍ଟ କରିଦେଇଥିଲା – ତୋର ଯଦି ମାଷ୍ଟ୍ରାଣି ହେବାକୁ ଇଚ୍ଛାଥିଲା, ତେବେ ଏମ୍ .ଏ ଯାଏ କାହିଁକି ପଢ଼ୁଥିଲୁ ?

ମୁଁ ତାକୁ ବୁଝାଇଥିଲି – ଦେଖ ରୋଜି, ଇଚ୍ଛାକୁ ନେଇ ଜୀବନର ସବୁ କିଛି ହୁଏ ନାହିଁ। ସବୁ କିଛି ପୂର୍ବ ନିର୍ଦ୍ଧାରିତ। ଆମେ କେବଳ ଉଦ୍ ଯୋଗ ହିଁ କରିବା କଥା। ତୁ କ’ଣ ଜାଣିନୁ, ଉଦ୍ ଯୋଗ କର୍ମକର୍ତ୍ତା।

– ସେଇଥିପାଇଁ ଅଧ୍ୟାପିକା ହେବା ପାଇଁ ଇଚ୍ଛା ନ କରି ତୁ ମାଷ୍ଟା୍ରଣୀ ପାଇଁ ଉଦ୍ ଯୋଗ କଲୁ, ନୁହେଁ ?

ତା’ର ଏ ଭଳି ବିତଣ୍ଡା ଯୁକ୍ତିକୁ ଅଧିକ ବଢ଼ାଇବା ପାଇଁ ମୋର ଇଚ୍ଛା ହୋଇ ନଥିଲା। ନିଦ ଆସୁଥିବା ବାହାନା କରି ମୁଁ କାନ୍ଥ ପଟକୁ ମୁହଁ କରିନେଲି।

ପରଦିନ ସେ ବାଥ୍ ରୁମ୍ ରେ ଥିଲାବେଳେ ମାଉସୀ କହିଲେ –

– ରୋଜିକୁ ନେଇ ଆମେ ଦି’ ଜଣ ଖୁବ୍ ଚିନ୍ତିତ। ଗୋଟେ ଭଲ ପ୍ରସ୍ତାବ ଆସିଛି। କିନ୍ତୁ ସେ ରାଜି ହେଉନି। ଅଡ଼ି ବସିଛି, ଏଠିକା ବେସରକାରୀ କଲେଜରେ ପଚାଶ ହଜାର ଡୋନେସନ ଦେଇ ଅଧ୍ୟାପିକା ହେବ। ମଉସା ବୁଝାବୁଝି କଲେ, ସେଇଟା ଚତୁର୍ଥ ପୋଷ୍ଟ। ତା’ର ଭବିଷ୍ୟତ ସଂପର୍କରେ କିଛି କହି ହେବନି।

ମୁ କିଛି କହିବାକୁ ଯାଉଥିଲି, ରୋଜି ବାଥ୍ ରୁମରୁ ଆସୁଥିବା ଦେଖି ଆମେ ଦୁହେଁ ପ୍ରସଙ୍ଗ ବଦଳାଇଲୁ।

ପରେ ଖବର ପାଇଲି, ସେ ସେଇଠି ଅଧ୍ୟାପନା କଲା ଓ କଲେଜର ଜଣେ ଅଧ୍ୟାପକଙ୍କୁ ବାହା ହେବା ପାଇଁ ଜିଦ୍ ଧରି ବସିଲା। ବେସରକାରୀ କଲେଜର ଅଣଅନୁଦାନପ୍ରାପ୍ତ ଅଧ୍ୟାପକ ଜଣକର ଚାକିରି ଜନିତ ବୈଧତା ସଂପର୍କରେ ପ୍ରଶ୍ନବାଚୀ ଥିବା କଥା ମଉସା ଓ ଶୁଭଚିନ୍ତକମାନେ ଯେତେ ବୁଝାଇଲେ ମଧ୍ୟ ରୋଜି ତା’ର ଜିଦ୍ଦିରୁ ଟଳିଲା ନାହିଁ। ବାହ୍ୟ ଚାକଚକ୍ୟ ପ୍ରତି ଅଧିକ ପ୍ରବଣତା ଥିବା ରୋଜି ପାଇଁ ଚେହେରା ଦୃଷ୍ଟିରୁ ସୌମ୍ୟରଂଜନ ଠିକ୍ ଥିଲେ। କିନ୍ତୁ ବିବାହର ଦଶବର୍ଷ ପରେ ମଧ୍ୟ ଉଭୟେ ଅନୁଦାନ ନ ପାଇବା ରୋଜିର ସ୍ୱପ୍ନକୁ ଧୀରେ ଧୀରେ ଧୂଆଁଳିଆ କରିଦେଲା। ଏ ଭିତରେ ମଉସା-ମାଉସୀଙ୍କର ଦେହାନ୍ତ ଘଟିଥିଲା। ଝିଅ ନାଆଁରେ ରଖିଥିବା ଟଙ୍କା ଯେତେ ଯେତେ ସରି ଆସୁଥିଲା, ସୌମ୍ୟରଂଜନଙ୍କ ପ୍ରତି ଅସହିଷ୍ଣୁ ଭାବ ତା’ ଭିତରେ ସେତେ ବଢ଼ିବାକୁ ଲାଗିଲା।

ଏମିତିରେ ଦୁଇବର୍ଷ ଗଡ଼ିଗଲା

ସୌମ୍ୟରଂଜନଠୁ ଅଲଗା ହେବା ପରେ କେଜାଣି କେମିତି ହୋଲି ବେଳକୁ ଅଧିକା ତିନି ଦିନ ଛୁଟି ନେଇ ରୋଜି ମୋ ପାଖକୁ ଆସିଥାଏ। ମୁଁ ରହୁଥିବା ପଡ଼ାର ଅଧିକାଂଶ ଆଦିବାସୀ ଓ କନ୍ ଭର୍ଟଡ଼୍ ଅଣହିନ୍ଦୁ ହେତୁ ପୂର୍ବାହ୍ନ ଢ଼ଳିବା ଯାଏ ହୋଲିର ସାମନ୍ୟତମ ଆଭାସ ହିଁ ନଥିଲା ଆଖପାଖରେ। ଆମେ ଦୁହେଁ ଦାଣ୍ଡ ବାରଣ୍ଡାର ପାହାଚ ଉପରେ ବସିଥାଉ। ରୋଜିକୁ ଦେଖି ମତେ କାନ୍ଦ କାନ୍ଦ ଲାଗୁଥାଏ। ସବୁ ଥାଇ କିଛି ନ ଥିଲା ଭଳି ଜୀବନ ସେ କାହିଁକି ଜିଉଁଛି ?

ହଠାତ୍ ଦୃଶ୍ୟଟିଏ ଦେଖି ମୁଁ ଚଟ୍ କିନା ରୋଜିର ହାତକୁ ଧରିନେଲି।

– ଏଇ, ଦେଖୁଛୁ ଏ ସ୍ତ୍ରୀ ଲୋକଟାକୁ।

– ହଁ, ଦେଖୁଛି। ତୁ’ ତ ଯୋଉ ଜାଗାରେ ଜୀବନ କାଟୁଛୁ, ତା’ ଚାରି ପାଖରେ ସେଇ ଏକାଭଳି ବୁଢ଼ୀ, ଦରବୁଢ଼ୀ ସ୍ତ୍ରୀ ଲୋକ, ସେଇ ଏକାଭଳି ଅସୁନ୍ଦର, ଅପରଛନିଆ ମରଦ। ଇଚ୍ଛା ନଥିଲେ ବି ଦେଖିବାକୁ ପଡ଼ିବ ନା ସେଇମାନଙ୍କୁ ହିଁ।

ମୋ ଘର ସାମନା ସାହିର ସେଇ ନିର୍ଦ୍ଦିଷ୍ଟ ଚାଳିଆ ତଳେ ଗୋଟେ ପଥର ଉପରେ ବସିଥିବା ଜଣେ ରୁଗ୍ ଣ ଆଦିବାସୀ ଆଡ଼କୁ ଅଙ୍ଗୁଳି ଦେଖାଇ କହିଲି, – ଜାଣିଛୁ, ଏ ଲୋକଟାକୁ ସେ ସ୍ତ୍ରୀ ଲୋକଟା ବାହା ହୋଇଥିଲା।

– ବାହା ହୋଇଥିଲା ମାନେ ?

ଖୁବ୍ ନିକଟରୁ ଦେଖିଥିବା ଏକ ସ୍ପର୍ଶକାତର ପ୍ରସଙ୍ଗ ମୋ ଭିତରେ ଜିଇଁ ଉଠିଲା।

– ଦେଖୁଛୁ, ଏଇ ଲୋକଟାର ବୟସ ଏବେ ଚାଳିଶ ପାଖେଇବ। ବାହା ହୋଇଥିଲା, ନିଜଠୁ ବଡ଼ ଏଇ ସ୍ତ୍ରୀ ଲୋକଟାକୁ। ପିଲାଛୁଆ ହେଲେ ନାହିଁ ବୋଲି ଦଶବର୍ଷ ତଳେ ତାକୁ ଛାଡ଼ି ଗୋଟେ କମ୍ ବୟସର ଧାଂଗଡୀକୁ ବାହାହେଲା। ତା’ର ଏବେ ତିନିଟା ଛୁଆ। ଏଇ ପ୍ରଥମ ସ୍ତ୍ରୀ ଆଉ ଏକ ସାହିରେ ରହୁଛି, ଅନ୍ୟ ଜଣକୁ ବାହାହୋଇ।

– ଯାହାହେଉ, ଏମାନଙ୍କର ଏ ସ୍ୱାଧିନତା ଅନ୍ତତଃ ଆଡମାଇରେବଲ୍ ହେଲେ ତା’ର ସେ ଧାଙ୍ଗଡୀ ତ କାଇଁ ଦିଶୁନି ? ଆଉ ଇଏ ଏବେ ଏଠି କ’ଣ କରୁଛି ?

ରୁଗ୍ ଣ ଲୋକଟାକୁ ସେ ସ୍ତ୍ରୀ ଲୋକଟା ଗାଧୋଉଥିବା ଦେଖି ରୋଜି ଭ୍ରୂକୁଂଚିତ କରି ପଚାରିଲା।

– ଦୀର୍ଘଦିନ ହେଲାଣି, ଏ ଲୋକଟାକୁ କ’ଣ ଗୋଟେ ବେମାର ହୋଇଛି। ରୋଗ ହେବା ଜାଣି ଛୁଆ ତିନିଟାକୁ ସାଙ୍ଗରେ ଧରି ଦ୍ୱିତୀୟ ସ୍ତ୍ରୀ ତା’ ବାପଘରକୁ ଚାଲିଯାଇଛି, ଫୁଲବାଣୀ। ସ୍ୱାମୀଠୁ ଅନୁମତି ନେଇ ଏ ସ୍ତ୍ରୀ ଲୋକଟା ଆସିଛି, ୟା’ର ସେବା ଯତ୍ନ ପାଇଁ। ଆଦିବାସୀ ରମଣୀର ଅପରିସୀମ ମନବଳ କଥା କାହାଣୀ ଉପନ୍ୟାସ ମାନଙ୍କରୁ ପଢ଼ିଥିଲି। କିନ୍ତୁ ଏବେ ଦେଖୁଛି ଏ ସ୍ତ୍ରୀ ଲୋକଟା….।

ମୋ କଥାକୁ ଅଧାରେ କାଟିଲା ରୋଜି। – ତୁ ୟା’କୁ ମନବଳ କହୁଛୁ ? ଇଏ ଦାସୀତ୍ୱ…।

– ଖାଲି ମନବଳ ନୁହେଁ, ତା’ ଭିତରେ ଥିବା ମଣିଷପଣକୁ ଦେଖିବା କଥା। ଆମେ ଦେଖୁଥିବା ଏ ବାହାରର ଦୃଶ୍ୟ ଦାସୀତ୍ୱ ଭଳି ଲାଗିପାରେ। କିନ୍ତୁ ତା’ ଭିତରେ ଥିବା ବିରଳ ମାନବିକତାକୁ ଲକ୍ଷ୍ୟ କରିବା କଥା।

– ଏମାନଙ୍କ ସାମାଜିକ ଜୀବନ ଆମଠୁ ଅଲଗା। ଏମାନେ ଏମିତି କରିପାରିବେ।

– ଅଲଗା ଜୀବନ ବଡ଼ କଥା ନୁହେଁ। ବଡ଼ ହେଉଛି ମଣିଷପଣ। ଯେଉଁ ସମୟର ହେଉ, ଯେଉଁ ସମାଜର ହେଉ; ଯେଉଁଠି ମଣିଷପଣ ଅଛି-ସବୁ ସମୟ ପାଇଁ, ସବୁ ସମାଜ ପାଇଁ ତାହା ହିଁ ଆଦର୍ଶ ଏହା ହିଁ ଆଧୁନିକତା। କେବଳ ବେଶ ପୋଷାକ, ଚାଲିଚଳନ, କଥାବାର୍ତ୍ତା ଓ ଜୀବନ ଜିଇଁବା ଶୈଳୀର ପରିବର୍ତ୍ତନକୁ ଆଧୁନିକତା କୁହାଯିବନି। ଆଜି ବି ଏମାନଙ୍କଠାରୁ ଆମର ଅନେକ କିଛି ଶିଖିବାର ଅଛି।

– ତୁ ମୋ ଆଡ଼କୁ ବୋଧେ ଆଙ୍ଗୁଠି ଦେଖାଉଛୁ !

– ସବୁ କଥାକୁ ତୁ ନିଜ ଉପରକୁ କାହିଁକି ଯେ ଟାଣୁ… ?

ସେଦିନ ଦିନସାରା ରୋଜି ମୁହଁ ଫୁଲାଇ ବସିଥିଲା। ମୁଁ ମଧ୍ୟ ବେଶୀ କିଛି କଥା ହୋଇ ନଥିଲି। ଏମିତିରେ ତ ବିଚାରୀ ସ୍ୱାମୀଠୁ ଅଲଗା ହୋଇ ରହିଛି। ଯାହା ବି କହଲେ ତାକୁ ବାଧିବ।

ରୋଜି ରହିଥିବା ସମୟ ଭିତରେ ଗପସପ, ଯୁକ୍ତିତର୍କ, ରନ୍ଧାବଢ଼ା, ଖିଆପିଆରେ କେମିତି ଯେ ଦିନ ସରି ରାତି ହୋଇଯାଉଥିଲା, ଜାଣି ହେଉ ନଥିଲା। ତା’ ଭିତରେ ଗତ ଦୁଇଦିନ ଆମେ ଦି’ପହର ଚାଆ ଟିକେ ଡ଼େରିରେ ସାରି, ତିନିଟା ପରେ ପରେ ବୁଲି ବାହାରି ଯାଇଥିଲୁ। ମୁଁ ରହୁଥିବା ପଡ଼ାଠାରୁ ତିନି କିଲୋମିଟର ଦୂରରେ ଥିବା ଫୁଲଫଳର ସରକାରୀ ଫାର୍ମ ଆଡ଼େ ରୋଜିକୁ ବୁଲେଇ ନେଇଥିଲି। ଏତେ ସୁନ୍ଦର ପରିବେଶ। ଗଛଭର୍ତ୍ତି ଫୁଲଫଳର ସଂଭାର। ମଣିଷର ବୁଦ୍ଧି ଓ ପରିଶ୍ରମରେ ପ୍ରକୃତିର ପୂରିଲା ସୌନ୍ଦର୍ଯ୍ୟ, ଯାହାକୁ ବି ବିଭୋର କରିବ। ରୋଜି କିନ୍ତୁ ସେଠି ବି ବେଶୀ ସମୟ ରହିପାରିନଥିଲା। ତା’ ପରଦିନ ଘର ପାଖ ଝରଣା କୂଳକୁ ତାକୁ ନେଇଯାଇଥିଲି। ଝରଣାର କଡ଼େକଡ଼େ ପଥୁରିଆ ରାସ୍ତାରେ ବହୁଦୂର ଯାଏ ଆମେ ଉପରକୁ ଉପରକୁ ଚଢ଼ିଥିଲୁ।

ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବା ପରଠୁ ରୋଜି ଭାରି କାନ୍ଦ କାନ୍ଦ ଲାଗୁଥିଲା। ତାକୁ କିଛି ବି ପଚାରିବାକୁ ମୋର ସାହସ ହେଉ ନ ଥିଲା।

ତା’ ପରଦିନ ସେ ଚାଲିଯାଇଥିଲା।

ଏଥର ତା’ର ଆସିବା ଓ ଯିବା ମତେ ଭାରି ଓଜନିଆ ଲାଗୁଥିଲା। ସମୟ ଅସମୟରେ ମୁଁ ବି ତା’ ପାଇଁ କ୍ଷତ ବିକ୍ଷତ ହେଉଥିଲି।

ଆଜି ସ୍କୁଲ ଛୁଟି।

ଘରେ ବହୁକାମ ଅସଜଡ଼ା ହୋଇ ପଡ଼ିଛି।

ବାରଂବାର ରୋଜି କଥା ମନକୁ ଆସି କିଛି ବି ଇଚ୍ଛା ହେଉନି କରିବାକୁ। ରାଜି ଖୁସି ବାହା ହୋଇଥିବା ଦୁଇଜଣଙ୍କ ଜୀବନରେ କାହିଁକି ଏମିତି ହୁଏ ? ବିବାହ ପୂର୍ବର ଏତେ ସ୍ୱପ୍ନ, ଏତେ ସଂଭାବନା କାହିଁକି ଧୂଆଁଳିଆ ହୋଇଉଠେ। କାହିଁକି ପରସ୍ତ ପରସ୍ତ ଧୂଳି ଜମିଯାଏ ସଂପର୍କର କଅଁଳ ଦୁବଘାସର ଗାଲିଚା ଉପରେ ?

ପରସ୍ପରକୁ ସହ୍ୟ କରିବା, ସଂଭାଳିନେବା ମାନସିକତା ଯଦି ନଥାଏ, କାହିଁକି ବାହା ହୁଅନ୍ତି ନାରୀ-ପୁରୁଷ ? ଜୀବନ ଭିତରେ ତ ସମସ୍ୟା ଆସିବ। ଅସୁବିଧା ଘାଣ୍ଟିବ। ଅଘଟଣ ଘଟିବ। ଚିନ୍ତାଧାରାର ଭିନ୍ନତାକୁ ବାରଂବାର ଭେଟିବାକୁ ପଡ଼ିବ।

ଭିନ୍ନ ଭିନ୍ନ ପରିସ୍ଥିତି ଭିତରେ ତା ଜୀବନରୂପୀ ସେଇ ନିର୍ଦ୍ଦିଷ୍ଟ କାଳଖଣ୍ଡ ଗଠିତ। ଅନନ୍ତ ସମୟ ତା’ ଅସୀମତା ଭିତରୁ ପ୍ରତ୍ୟେକ ମଣିଷ ପାଇଁ କିଛି କିଛି ଅଂଶ ବାଣ୍ଟିଦେଇଛି। ଏ ଭାଗ ଭିତରେ ଖାଲି ମଣିଷ ନୁହେଁ, ଗଛ-ଲତା-ପଶୁ-ପକ୍ଷୀ-କୁ ନେଇ ସଭିଏଁ ଅଛନ୍ତି। ନିଜ ନିଜ ଭାଗରେ ପଡିଥିବା କାଳଖଣ୍ଡ କୁ ନେଇ ସଭିଏଁ ଜୀବନ ଗଡ଼ାଇ ଚାଲନ୍ତି। ଏ ଗଡ଼ିବା ରାସ୍ତାରେ ଖାଲ, ଖମା, ଢ଼ିପ, ସମତଳ କେତେବେଳେ କିିଏ ହାବୁଡ଼ିଯାଏ, କେତେବେଳେ କ’ଣ ଜୁଟେ। ଚଲାପଥର ଦି’ ପାଖରେ କେବେକେବେ ବାଘର ହେଣ୍ଟାଳ ଶୁଭେ, କେବେ ଜଣା ଅଜଣା ଫୁଲର ବାସ୍ନାରେ ମଣିଷ ମନ ବିମୋହିତ ହୋଇଉଠେ। ସମସ୍ୟା ଆସେ। ବିପଦ ମୁଣ୍ଡ ଟେକେ। ଦୁଃସ୍ଥିତି ଆଗରେ ଠିଆ ହୁଏ। ଧର୍ମ ସଂକଟ ବାଟ ଓଗାଳେ। ମନ ବିବେକ ସଂଘର୍ଷର ଦୋ ଛାତିରେ କିଛିକ୍ଷଣ ଅଟକିବାକୁ ବାଧ୍ୟହୁଏ ଏ ମଣିଷ। ଏସବୁ ହୁଏ ବୋଲି ନିଜହାତରେ ଗଢ଼ିଥିବା ଘରଟିକୁ ଭାଙ୍ଗିଦେବା ? ହାତଧରି କେତେବାଟ ଚାଲିଥିବା ଲୋକଟିକୁ ଛାଡିଦେବା ? ପରିସ୍ଥିତିର ପ୍ରତିକୂଳତା ପାଇଁ ଆତ୍ମଘାତି ହେବା ? ଅନ୍ତତଃ ମଣିଷ ପାଇଁ ଏସବୁ ଠିକ୍ ନୁହେଁ। ସେଥିରେ ପୁଣି ଶିକ୍ଷିତ ମଣିଷ… ଯା’ ଭିତରେ ଜ୍ଞାନ ବିଜ୍ଞାନର ଏତେ ରାସ୍ତା… ବୁଦ୍ଧି ବିବେକର ଏତେ ସହଯୋଗ….।

ହଠାତ୍ ଫୋନ୍ ଘଣ୍ଟି ବାଜିବାରୁ ମୁଁ ଚମକି ପଡ଼ିଲି।

ଏବେ କିଛି ବର୍ଷ ହେବ ଏ ଅଂଚଳରେ ଅଧିକାଂଶ ସମୟ ଲ୍ୟାଣ୍ଡ ଫୋନ ଅଚଳ ରହୁଛି। ଏଣୁ ଫୋନ ଘଣ୍ଟି ବାଜିଲେ, କାଳେ କଟିଯିବ, ଆଉ ଲାଗିବନି – ଏଇ ଆଶଙ୍କା ନେଇ ମୁଁ ଦୌଡ଼ିଗଲି। ରିସିଭର ଉଠାଉ ଉଠାଉ ରୋଜିର କୋହମୟ ସ୍ୱର ଭାସି ଆସିଲା – ୟାଙ୍କର ଆକ୍ ସିଡେଣ୍ଟ ହୋଇ ଯାଇଛି। ମେଡିକଲରେ ଅଛନ୍ତି। ମୁଁ କ’ଣ କରିବି … ?

ମୋଭିତରେ ତତ୍ କ୍ଷଣାତ୍ ପ୍ରବଳ ଆତ୍ମବଳ ସଂଚରିଗଲା। ଦୃଢ଼ କଣ୍ଠରେ ତାକୁ କହିଲି -ଏଇ ମୁହୂର୍ତ୍ତରେ ସୌମ୍ୟରଂଜନ ପାଖକୁ ଯା’। ବେସାଲିସ୍ ରେ ଦାଂପତ୍ୟ ଜୀବନ ଗଡ଼େ ନାହିଁ। ଗାଢ଼ନିଦର ସ୍ୱପ୍ନଟିଏ ଭଳି ପଛଦିନକୁ ଭୁଲି ଯା’….।

ଆରପଟୁ ରୋଜିର କାନ୍ଦ ଶୁଭୁଥିଲା।

ପ୍ଲଟ୍ -ନଂ-୩
କେଦାରଗୌରୀ କଂପ୍ଲେକ୍ସ୍,
ଗୌରୀବିହାର
ଭୁବନେଶ୍ୱର-୨

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top