ଦଦରା ଘରେ ଚାଲିଛି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ

ବୌଦ୍ଧ, ୧୦ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଭାରତ ସ୍ୱାଧୀନତା ପ୍ରାପ୍ତିର ପରେ ପରେ ୧୯୪୭ ମସିହା ସେପ୍ଟେମ୍ବର ମାସରେ ବୌଦ୍ଧ ଜିଲା ଦହ୍ୟା ଠାରେ ଜମି ଜମା ସଂକ୍ରାନ୍ତିୟ ସଂପତିର ସୁପରିଚାଳନା ପାଇଁ ଏକ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା। ଇତି ମଧ୍ୟରେ ୭୧ ବର୍ଷ ବିତିଯାଇଥିଲାବେଳେ ୩୯ ଜଣ ରାଜସ୍ୱ ନିରୀକ୍ଷକ ଦାୟିତ୍ୱ ଗ୍ରହଣ କରିସାରିଥିଲେହେଁ ଏହି ଦୁଇ ବଖରିଆ ଟିଣ ଛାଉଣି ଘରେ ଚାଲୁଥିବା କାର୍ଯ୍ୟାଳୟରେ କୌଣସି ପରିବର୍ତ୍ତନ ଏଯାଏଁ ହୋଇପାରିନାହିଁ। ଏହି ଟିଣ ଛାଉଣୀ ଘରର ଅନେକ ସ୍ଥାନରେ କଣା ସୃଷ୍ଟି ହୋଇ ପାଣି ଗଳୁଛି। କାର୍ଯ୍ୟାଳୟର ଅନେକ ପୂରୁଣା ନଥି ପତ୍ର ବର୍ଷା ଜଳରେ ଭିଜି ନଷ୍ଟ ହୋଇଗଲାଣି। ବାକି ଯାହା ଅଛି ତାହାକୁ ବର୍ଷା ଜଳ କବଳରୁ ରକ୍ଷା କରିବା ପାଇଁ ୪ ଗୋଟି ଆଲମିରାରେ ଯାକି ଜୁକି ପୁରାଇ ଦିଆଯାଇଛି। ପରବର୍ତି ସମୟରେ ଦରକାରବେଳେ ଉକ୍ତ ନଥିପତ୍ର ଖୋଜିବାବେଳେ ସମସ୍ୟା ସୃଷ୍ଟି ହେଉଥିବା ରାଜସ୍ୱ ନିରୀକ୍ଷକ ଉମା ଶଙ୍କର ସାହୁ ପ୍ରକାଶ କରିଛନ୍ତି। ବର୍ଷା ସମୟରେ କାର୍ଯ୍ୟାଳୟ ର କର୍ମଚାରୀମାନେ ମିଳିମିଶି, ଉକ୍ତ ଆଲମିରା ଗୁଡିକୁ ଟାଣି ସ୍ଥାନ ପରିବର୍ତ୍ତନ କରୁଛନ୍ତି, କେବଳ ବର୍ଷା ଜଳରୁ ନଥିପତ୍ର ଗୁଡିକୁ ରକ୍ଷା କରିବା ପାଇଁ। ରାତିରେ ସମସ୍ତ ରେକର୍ଡ ପତ୍ରକୁ ଘୋଡାଇ ରଖାଯାଉଛି। ଦହ୍ୟା ରାଜସ୍ୱ ସର୍କଲ ଅଧିନରେ ଦହ୍ୟା, ମନୁପାଲି, ଖଲିଆପାଲି, କସୁରବନ୍ଧ ଆଦି ୪ ଗୋଟି ପଂଚାୟତର ୬୫ ଗୋଟି ମୌଜାର ଜମି ଜମା ସଂକ୍ରାନ୍ତିୟ ସମସ୍ତ କାଗଜପତ୍ର ରହିଥିବାବେଳେ ୭୧ ବର୍ଷ ପରେ ଟିଣ ଘରେ ଚାଲିଛି ଏହି କାର୍ଯ୍ୟାଳୟ। କାର୍ଯ୍ୟାଳୟର ମରାମତି ପାଇଁ ରାଜସ୍ୱ ନିରୀକ୍ଷକମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତିକି ନାହିଁ ତାହା ଜଣାନାହିଁ। ହେଲେ ସପ୍ତାହକୁ ଥରେ ବୌଦ୍ଧ ତହସିଲଦାର ଏହି କାର୍ଯ୍ୟାଳୟକୁ ଆସୁଛନ୍ତି। ତାଙ୍କ ଆଖିତ ଏହି କାର୍ଯ୍ୟାଳୟର ଦୂରାବସ୍ଥା ଉପରେ ନିଶ୍ଚୟ ପଡିଥିବ। ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ଏହି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଦ୍ୱାରା ଆଦାୟ ହେଉଥିବାବେଳେ ଏହି କୋଠାର ନିର୍ମାଣ ହୋଇନପାରିବା ପରିତାପର ବିଷୟ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି କାର୍ଯ୍ୟାଳୟକୁ ରାସ୍ତା ଟିଏ ନାହିଁ। ଏତେବର୍ଷ ପରେ ବି ଏଠାକୁ କେବଳ ପାଦ ଚଲା ରାସ୍ତାଟି ଏ ରହିଛି। ବର୍ତମାନ ଏହି ରାସ୍ତାରେ ବର୍ଷାପାଣି ଜମି ରହି ଜଳାଶୟ ର ଭ୍ରମ ସୃଷ୍ଟି କରୁଛି। ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଚାଷୀ ତଥା ପ୍ରଜାମାନେ ୨୦୦ ମିଟର ଦୂରରେ ନିଜର ସାଇକେଲ ତଥା ମଟର ସାଇକେଲ ରଖି ଆଣ୍ଠୁ ବୁଡା ପାଣି ଦେଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦହ୍ୟା ଠାରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପାଇଁ ନୂତନ କୋଠା ସାଙ୍ଗକୁ ଏକ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି ହେଉଅଛି। ଯାହାଦ୍ୱାରା ସରକାରୀ ନଥିପତ୍ର ସୁରକ୍ଷିତ ରହିବା ସହିତ ଚାଷୀ ଓ ପ୍ରଜା ଏହି କାର୍ଯ୍ୟାଳୟକୁ ସୁବିଧାରେ ଯାତାୟାତ କରିପାରିବେ।

Leave a Reply

Your email address will not be published. Required fields are marked *